ଝାରସୁଗୁଡାରେ ବର୍ଷକର ଶିଶୁ କରୋନା ପଜିଟିଭ୍

ଝାରସୁଗୁଡା : ଆଜି ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ଥିବାବେଳେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ରହିଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲାପାଳ ସରୋଜ କୁମାର ସାମଲ । ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯୧ରେ ପହଁଚିଛି ।


ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡା ଜିଲ୍ଲାର ମଙ୍ଗଳବଜାର ଅଞ୍ଚଳରେ ଜଣେ ୧ ବର୍ଷର ଶିଶୁ କନ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଶିଶୁଙ୍କ ପରିବାର ବାହାର ରାଜ୍ୟରୁ ଫେରି ହୋମ କ୍ଵାରେଣ୍ଟିନରେ ଥିଲେ । ଗତକାଲି ଝାରସୁଗୁଡାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୫ ବର୍ଷୀୟ ଶିଶୁ ଏହି ୧ ବର୍ଷୀୟ ଶିଶୁ କନ୍ୟାର ଭାଇ ବୋଲି ଜଣାପଡିଛି । ସେହିପରି ଆଜି ଚିହ୍ନଟ ହୋଇଥିବା ଅନ୍ୟ ଜଣେ ୪୦ ବର୍ଷୀୟ କରୋନା ଆକ୍ରାନ୍ତ  ଜଣକ ମହାରାଷ୍ଟ୍ରରୁ ଫେରିଥିବାବେଳେ ସେ କ୍ଵାରେଣ୍ଟିନ ସେଣ୍ଟରରେ ଥିଲେ ବୋଲି ଜଣାପଡିଛି ।


ଦୁଇ ପଜିଟିଭ୍ ଚିହ୍ନଟ ପରେ ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ବ୍ରଜରାଜ ନଗରର ହିଲଟପ ଅଞ୍ଚଳ ଏବଂ ମଙ୍ଗଳବଜାରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ଝାରସୁଗୁଡା ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯୧ରେ ପହଞ୍ଚିଥିବା ବେଳେ  ୪୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୪୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.