ଓଡ଼ିଶା ମଡେଲ୍ ଜେଲ୍‌ ମାନୁଆଲ୍‌-୨୦୨୦, ପ୍ରତି ୬ ବନ୍ଦୀଙ୍କ ପାଇଁ ଜଣେ ୱାର୍ଡର

ଭୁବନେଶ୍ବର: ବନ୍ଦୀମାନଙ୍କ ମାନବିକ ଅଧିକାର, ସୁପ୍ରିମକୋର୍ଟଙ୍କ କେତେକ ନିର୍ଦେଶନାମା ଓ ଏନ୍ଏଚ୍‌ଆର୍‌ସିଙ୍କ ନିୟମାବଳୀକୁ ନେଇ ଓଡ଼ିଶା ନୂତନ ଜେଲ୍ ମାନୁଆଲ୍‌-୨୦୨୦ର ଗେଜେଟ୍‌ ନୋଟିଫିକେସନ ପ୍ରକାଶ ପାଇଛି। ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜେଲ୍‌ ପ୍ରଶାସନ ଏବଂ ସଂସ୍କାର ସେବାକୁ ସମାନ ପ୍ରକାର କରିବା ପାଇଁ କେନ୍ଦ୍ର ସରକାର ନିର୍ଦେଶରେ ଏହି ନୂତନ ଜେଲ୍ ମାନୁଆଲ୍‌ ପ୍ରସ୍ତୁତ କରାଯାଇଛି। ଏହାକୁ ନୂଆଦିଲ୍ଲୀସ୍ଥିତି ବିପିଆର୍‌ଡି ଦ୍ବାରା ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ଜେଲ୍‌ ମାନୁଆଲ୍‌ ଚିଠାରୁ ୩୨ଟି ପ୍ରସଙ୍ଗକୁ ନେଇ ରାଜ୍ୟ ଆଇନ ବିଭାଗ ଓଡ଼ିଶା ଜେଲ୍‌ ମାନୁଆଲ୍‌-୨୦୨୦ ପ୍ରସ୍ତୁତ କରାଯାଇଛି।

ନୂତନ ମଡେଲ୍‌ ଜେଲ୍‌ ମାନୁଆଲ୍‌ରେ ବହୁ ପରିବର୍ତ୍ତନ କରାଯାଇଛି। ମୁଖ୍ୟତଃ କଏଦୀଙ୍କ ମାନବିକ ଅଧିକାର ଯେମିତି କ୍ଷୁଣ୍ଣ ନ ହେବ ସେଥିପାଇଁ ଏହି ମାନୁଆଲ୍‌ରେ ଗୁରୁତ୍ବ ଦିଆଯା ଇଛି। ଜେଲ ପ୍ରଶାସନ କଏଦୀମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରିବେ ଯେମିତି ସାଧାରଣ ବନ୍ଦୀ, ବିଚାରାଧୀନ ବନ୍ଦୀ, ମହିଳା ବନ୍ଦୀ, ସଜା କାଟୁ ଥିବା ବନ୍ଦୀ, ଯୁବ ବନ୍ଦୀ ଓ ପ୍ରଥମ ଅପରାଧୀ, ଅଭ୍ୟାସଗତ ଅପରାଧୀ ଏବଂ ହାଇ ସିକ୍ୟୁରିଟି ବନ୍ଦୀ। ନୂତନ ମାନୁଆଲ୍ ଅନସାରେ ଜେଲ୍‌ଗୁଡ଼ିକୁ କଏଦୀଙ୍କ କ୍ଷମତା ଅନୁସାରେ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସର୍କଲ ଜେଲ୍‌ରେ ୧୦୦୦, ଜିଲା ଜେଲାରେ ୫୦୦ ଓ ସବ୍‌ ଜେଲ୍‌ରେ ୩୦୦ କଏଦୀ ରହିବେ ବୋଲି କହିଛନ୍ତି କାରାଗାର ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ। ପ୍ରତି ୬ କଏଦୀଙ୍କ ପାଇଁ ଜଣେ ଗାର୍ଡ ବା ୱାର୍ଡର ରହିବେ। କଏଦୀଙ୍କ ପାଇଁ ମେସିନ୍‌ ଚାଳିତ ଲଣ୍ଡରି, ହସ୍ପିଟାଲ୍‌, ନିଶାଖୋର ବନ୍ଦୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା, ଜଣେ ସଜାକାଟୁଥିବା କଏଦୀଙ୍କୁ ମାସକୁ ଥରେ ସମ୍ପର୍କୀୟଙ୍କୁ ସାକ୍ଷାତ କରିବାକୁ ଅନୁମତି, ପ୍ରତି ନୂତନ ବିଚାରାଧୀନ କଏଦୀଙ୍କୁ ଆବଶ୍ୟକ ମୁତାବକ ମୁଲାକାତ ବ୍ୟବସ୍ଥା, ଜେଲ୍‌ ବଦଳ ପାଇଁ ବ୍ୟବସ୍ଥା ରହିଛି।

ଏହାବ୍ୟତୀତ ଜେଲ୍‌ ଭିତରେ କୌଣସି ଅଘଟଣ, ଜେଲ୍‌ ଭଙ୍ଗ, ଦଙ୍ଗା, ଗ୍ୟାଙ୍ଗ ୱାର ଓ ଆନ୍ଦୋଳନ ଭଳି ସମସା ହେଲେ ଏହାକୁ ନିୟନ୍ତ୍ରଣ ପାଇଁ ନୀତି ନିର୍ଦ୍ଧାରଣ, ଜେଲ୍‌ରେ ଲାଇବ୍ରେରି, କଏଦୀଙ୍କୁ ଧନ୍ଧାମୂଳକ ପ୍ରଶିକ୍ଷଣ, ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଜେଲ୍‌ରେ କାଉଣ୍ଟର, ଜେଲ୍‌ରେ କ୍ୟାଣ୍ଟିନ୍, କଏଦୀଙ୍କୁ ନିୟମିତି ଯୋଗ ଶିକ୍ଷା ଏବଂ ସାଂସ୍କୃତିକ କାର୍ଯ୍ୟରେ ନିୟୋଜିତ କରାଯିବା, ଅଧିକ ମୁକ୍ତାକାଶ ଜେଲ୍‌ ବା ଓପନ କଲୋନୀ ସ୍ଥାପନ କରାଯିବା ଲାଗି ପଦକ୍ଷେପ ନେବାର ସମୟ ଆସିଛି ବୋଲି ନୂତନ ମାନୁଆଲ୍‌ରେ ଉଲ୍ଲେଖ କରାଯାଇଛି। ଦୁର୍ଦାନ୍ତ, ଗ୍ୟାଙ୍ଗଷ୍ଟର ଓ ମାଓବାଦୀଙ୍କୁ ହାଇ ସିକ୍ୟୁରିଟି ଜେଲ୍‌ରେ ରଖାଯିବାକୁ ଗୁରୁତ୍ବ ଦିଆଯାଇଛି। ବନ୍ଦୀ କଏଦୀଙ୍କର ଶିଶୁ ଜନ୍ମ ହେଲେ ଏହାର କୌଣସି ରେକର୍ଡ ରହିବ ନାହିଁ। ଶିଶୁର ଯତ୍ନ ଓ କଲ୍ୟାଣ ପାଇଁ କ୍ରେଚ୍‌ର ବନ୍ଦୋବସ୍ତ କରାଯିବ। ଜେଲ୍‌ରେ ସମସ୍ତ ତଥ୍ୟ କମ୍ପ୍ୟୁଟରୀ ମାଧ୍ୟମରେ କରାଯିବାକୁ ଏଥିରେ କୁହାଯାଇଛି।

Comments are closed.