ବିଧାନସଭା ସ୍ଥାୟୀ କମିଟି ସୁପାରିସ: ଗୋଟିଏ ବଦଳି ନୀତି, ନିୟମିତ ଅଧ୍ୟକ୍ଷ ନିଯୁକ୍ତି

ଭୁବନେଶ୍ୱର: ସରକାରୀ ଓ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଗୋଟିଏ ପ୍ରକାର ବଦଳି ନୀତି କାର୍ଯ୍ୟକାରୀ କରିବା ଏବଂ ୧୦୦ ପ୍ରତିଶତ ଅନୁଦାନ(ବ୍ଲକ ଗ୍ରାଣ୍ଟ) ପାଉଥିବା ବେସରକାରୀ କଲେଜକୁ ସରକାରୀ ସାହାଯ୍ୟପ୍ରାପ୍ତ ବେସରକାରୀ କଲେଜ ପରିସରଭୁକ୍ତ କରିବା ସହିତ ଉଭୟ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଦୀର୍ଘ ଦିନ ହେଲା ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ସମସ୍ତ କଲେଜରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ପାଇଁ ବିଧାନସଭା ସ୍ଥାୟୀ କମିଟି ସୁପାରିସ କରିଥିଲା। ଏହା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାିଛି ସେ ସଂକ୍ରାନ୍ତ ରିପୋର୍ଟ ଆସନ୍ତା ମେ ୧୪ ତାରିଖ ସୁଦ୍ଧା ଦାଖଲ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ଉପସଚିବ ବିଭାଗୀୟ ବିଭିନ୍ନ ଶାଖାର ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି।

ବିଧାନସଭା ସ୍ଥାୟୀ କମିଟି ସୁପାରିସ କରିଥିଲା ଯେ ୨୦୧୦ ପୂର୍ବରୁ ଖୋଲିଥିବା ମହାବିଦ୍ୟାଳୟ ସେଗୁଡ଼ିକୁ ଅନୁଦାନ ପ୍ରଦାନରେ ସମସ୍ୟା ରହିଥିବାରୁ ସେ କ୍ଷେତ୍ରରେ ୨୦୧୧ ଜନଗଣନା ପରିବର୍ତ୍ତେ ୨୦୦୧ ଜନଗଣନା ବିଚାରକୁ ନେବାର ଆବଶ୍ୟକତା ରହିଛି। ଯେଉଁ ମହାବିଦ୍ୟାଳୟ ନାମରେ ଜମି ରହିଛି ସେଗୁଡ଼ିକୁ ବନ୍ଦୋବସ୍ତ କରିବା, ମହାବିଦ୍ୟାଳୟଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ପରିଚାଳନାକୁ ସହଜ କରିବା ପାଇଁ ରାଜ୍ୟରେ ଥିବା ଆଞ୍ଚଳିକ ନିର୍ଦେଶକ ପଦ ୧୫କୁ ବୃଦ୍ଧି, ମହାବିଦ୍ୟାଳୟଗୁଡ଼ିକରେ ବହୁ ସଂଖ୍ୟାରେ ଅଧ୍ୟାପକ ପଦ ଖାଲିପଡ଼ିଥିବାରୁ ଅଧ୍ୟାପକଙ୍କ ଅବସର ବୟସ ୬୨ବର୍ଷକୁ ବୃଦ୍ଧି, ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ନଥିବା ବ୍ଲକଗୁଡ଼ିକରେ ଅତି କମରେ ଗୋଟିଏ ଯୁକ୍ତ ତିନି ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଖୋଲିବାକୁ ସୁପାରିସ କରାଯାଇଥିଲା।

ଏହାବ୍ୟତୀତ ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସୃଷ୍ଟି ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା କରିବା, ଆନ୍ତଃ କଲେଜ ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସହିତ ବିତର୍କ ଓ ବିଜ୍ଞାନ ମେଧା ପ୍ରତିଯୋଗିତା ନିୟମିତ ଆୟୋଜନ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ଉପରୁ ହୋଲ୍ଡ଼ିଂ ଟିକସ ଛାଡ଼ ବ୍ୟବସ୍ଥାର ଅନୁଧ୍ୟାନ, ବର୍ତ୍ତମାନ ବିଶ୍ବବିଦ୍ୟାଳୟଗୁଡ଼ିକୁ ପ୍ରତିଷ୍ଠାନ ବାବଦରେ ପ୍ରଦାନ କରାଯାଉଥିବା ପାଣ୍ଠି ପରିମାଣ ବୃଦ୍ଧି ପାଇଁ ବଜେଟରେ ବ୍ୟବସ୍ଥା କରିବାକୁ କମିଟି ସୁପାରିସ କରିଛି।

Comments are closed.