ପ୍ରତି ୩ ସପ୍ତାହରେ ବିଶ୍ୱରେ ଗୋଟିଏ ଆଞ୍ଚଳିକ ଭାଷାର ମୃତ୍ୟୁ ଘଟୁଛି

ବିଶ୍ୱରେ ଅନେକ ଭାଷା ବ୍ୟବହାର ହେଉଥିବା ବେଳେ ଅନେକ ଭାଷା ଏବେ ମଧ୍ୟ କେବଳ ସୀମିତ ଭୌଗଳିକ କ୍ଷେତ୍ର ମଧ୍ୟରେ ସୀମିତ ରହିଛି ଓ ଏହାର ପ୍ରଚାର ପ୍ରସାର କିମ୍ବା ବହୁଳ ବ୍ୟବହାର କ୍ଷେତ୍ରରେ ଦେଖା ଦେଉଥିବା ପ୍ରତିବନ୍ଧକ ଦୂର ହେଉନଥିବାରୁ ପ୍ରତି ୩ ସପ୍ତାହରେ ବିଶ୍ୱରେ ଗୋଟିଏ ଆଞ୍ଚଳିକ ଭାଷାର ମୃତ୍ୟୁ ଘଟୁଛି ବୋଲି ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ଏନଏମଆରସି ମୁଖ୍ୟ ପରାମର୍ଶଦାତା ପ୍ରଫେସର ଅଜିତ କୁମାର ମହାନ୍ତି କହିଛନ୍ତି।କଟକ ଜିଲ୍ଲାର ମାହାଙ୍ଗା ସ୍ଥିତ ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମର ୬୩ତମ ଭର୍ଚୁଆଲ୍ ଆଲୋଚନା ଚକ୍ରରେ ଭାଗନେଇ ପ୍ରଫେସର ମହାନ୍ତି ‘ଲାଙ୍ଗୁଏଜ, ମଦର ଟଙ୍ଗ ଆଣ୍ଡ ଥ୍ରୀ ଲାଙ୍ଗୁଏଜ ଫର୍ମୁଲା, ଗୋଇଂ ବିଅଣ୍ଡ ଦ ନିଉ ଏଜୁକେଶନ ପଲିସି’ ଶୀର୍ଷକ ବିଷୟରେ ମାତୃଭାଷା ଓ ଆଞ୍ଚଳିକ ଭାଷା ସଂରକ୍ଷଣ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟତମ ବକ୍ତା ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗର ପୂର୍ବତନ ପ୍ରଫେସର ପ୍ରଫୁଲ୍ଲ ମହାପାତ୍ର ‘ଫିଲୋସଫି ଇନ ପବ୍ଲିକ ଲାଇଫ’ ଓ ଏନଆଇଟି ରାଉରକେଲାର ପ୍ରଫେସର ରାମକୃଷ୍ଣ ବିଶ୍ୱାଳ ‘ଈମ୍ପାକ୍ଟ ଅଫ କୋଭିଡ-୧୯ ଅନ ଏସଡ଼ିଜି ୨୦୩୦,ଏ ସାଇକୋ ସୋସିଆଲ ପ୍ରସ୍ପେକ୍ଟିଭ’ ଶିର୍ଷକରେ ଆଲୋଚନା କରିଥିଲେ।

ଏହି ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମର ୬୪ତମ ସୋପାନରେ ମହାରାଷ୍ଟ୍ର ଥାନେର ବେଡେକର କଲେଜର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ପ୍ରଫେସର ଭି. ପି.ଏମ ଯୋଶୀ ‘ଓପନିଙ୍ଗ ନିଉ ହୋରାଇଜନସ ଅଫ ଲର୍ଣ୍ଣିଙ୍ଗ ଇନ ପୋଷ୍ଟ କୋଭିଡ ୱାର୍ଲଡ଼’ ଶିର୍ଷକ ବିଷୟରେ କହିଛନ୍ତି ଯେ କୋଭିଡ ସମୟରେ ଶିକ୍ଷଣ ବ୍ୟବସ୍ଥାରେ ଯେଉଁ ବିକଳ୍ପ ସୃଷ୍ଟି ହୋଇଛି ତାହା କୋଭିଡ ପରବର୍ତ୍ତୀ ସମୟରେ ସାରା ବିଶ୍ୱ ପାଇଁ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପରବର୍ତ୍ତୀ ବକ୍ତା ଭାବରେ କର୍ଣ୍ଣାଟକ ଷ୍ଟେଟ ଓପନ ୟୁନିଭରସିଟିର ଇଂରାଜୀ ବିଭାଗର ପ୍ରଫେସର ମଧୁରା ଏ. ଏସ ‘ହୋଲୋକୋଷ୍ଟ ଆଣ୍ଡ ଲିଟରେଚର: ଏ ରିଭିଉ’ ବିଷୟରେ ଆଲୋଚନା କରିଥିଲେ। ଏଥିରେ ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପ୍ରାଧ୍ୟାପକ ସୁଶୀଲ କୁମାର ପଟ୍ଟନାୟକ ‘ମ୍ୟାନେଜମେଣ୍ଟ ଅଫ ଟାଇମ ଫର ବେଟର ଲାଇଫ’ ସନ୍ଦର୍ଭରେ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କୋଲକାତା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀନିବାସୁଲୁ ଏନ ଏସ ଯୋଗ ଦେଇ ୱେବିନାରର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।

ଏହି ୱେବିନାରରେ କାର୍ଡର ନିର୍ଦେଶକ ବିକ୍ରମ କେଶୋରୀ ଜେନା, ସହ ନିର୍ଦେଶକ ଚିନ୍ମୟ କୁମାର ସାହୁ ଓ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ରୁଦ୍ରନାରାୟଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ଶୁଭମ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.