୧୨ଟି ରାଜ୍ୟରେ ଲାଗୁ ହେଲା ‘ଏକ ଦେଶ-ଏକ ରାଷ୍ଟ୍ର-ଏକ ରାସନକାର୍ଡ’

ନୂଆଦିଲ୍ଲୀ : ନୂଆ ବର୍ଷରେ ଦେଶର ୧୨ଟି ରାଜ୍ୟରେ ‘ଏକ ଦେଶ-ଏକ ରାସନକାର୍ଡ’ ଯୋଜନା ଦେଶରେ କାର୍ଯ୍ୟକାରୀ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଗୁଜରାତ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ଗୋଆ, ମଧ୍ୟପ୍ରଦେଶ, ତ୍ରିପୁରା ଓ ଝାଡ଼ଖଣ୍ଡ ଭଳି ୧୨ଟି ରାଜ୍ୟରେ ଏହା ପ୍ରଚଳନ କରାଯାଇଛି । ଏହାଦ୍ବାରା ସମ୍ପୃକ୍ତ ରାଜ୍ୟର ୩୫ନିୟୁତ ନାଗରିକ ଉପକୃତ ହେବାକୁ ଯାଉଛନ୍ତି । ପର୍ଯ୍ୟାୟକ୍ରମେ ଏହା ଅନ୍ୟ ରାଜ୍ୟରେ ପ୍ରଚଳନ ହେବ; ତେବେ ଜୁନ୍‌ରୁ ସାରା ଦେଶରେ ଏହା କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ବାନ ପ୍ରଥମେ ଆସନ୍ତା ଜୁନ୍‌ ୧ ଓ ଜାନୁଆରୀ ୧୫ରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କହିଥିଲେ ; ତେବେ ଜୁନ୍‌ ୩୦ ପୂର୍ବରୁ ଯେମିତି ହେଲେ ସାରା ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଥିଲେ। ସେହି ଅନୁସାରରେ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଇଥିବା ଏକକ ନୂଆ ରାସନ କାର୍ଡ ଜୁନ୍‌ ୧ରୁ କାର୍ଯ୍ୟକାରୀ ହେବ।

ଏହି ଯୋଜନା ଦ୍ବାରା କାର୍ଡଧାରୀ ଯେଉଁ ରାଜ୍ୟର ହୋଇଥାଆନ୍ତୁ ନା କାହିଁକି ଦେଶର ଯେକୌଣସି ରାଜ୍ୟରେ ନିଜ ପାଇଁ ଧାର୍ଯ୍ୟ ଖାଉଟି (ରାସନ) ସାମଗ୍ରୀ ଉଠାଇପାରିବେ । ସମ୍ପ୍ରତି ଦେଶରେ ୭୯କୋଟି ରାସନକାର୍ଡଧାରୀ ଥିଲାବେଳେ ଏହି ଯୋଜନା ବିଶେଷ ଭାବେ ଦେଶାନ୍ତରୀ ଶ୍ରମିକଙ୍କୁ ସୁହାଇବ। ଆଧାର ସଂଯୁକ୍ତ ବା‌େ‌ୟାମେଟ୍ରିକ ବ୍ୟବସ୍ଥା ଦ୍ବାରା ଏହି କାର୍ଡ ସବୁ ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ସ୍ବତନ୍ତ୍ର ମେସିନ୍‌ ବ୍ୟବହାର କରାଯିବ। ବିକ୍ରୟ କେନ୍ଦ୍ରରେ ଏହି ମେସିନ୍‌ ସ୍ଥାପନ କରାଯାଇଛି ।

Comments are closed.