ଦେଶବ୍ୟାପୀ ଗୋଟିଏ ଦିନରେ ମିଳିବ ଦରମା

‘ଏକ ରାଷ୍ଟ୍ର, ଏକ ଦିନରେ ବେତନ’

ନୂଆଦିଲ୍ଲୀ : ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ‘ୱାନ ନେସନ, ୱାନ ପେ ଡେ’ ଅର୍ଥାତ୍‌ ‘ଏକ ରାଷ୍ଟ୍ର, ଏକ ଦିନରେ ବେତନ’ ବ୍ୟବସ୍ଥା ଲାଗୁ କରିବା ଉପରେ ବିଚାର କରୁଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବେତନ ପ୍ରଦାନ କ୍ଷେତ୍ରରେ ଏଣିକି ସାରା ଦେଶରେ ଗୋଟିଏ ସମାନ ବ୍ୟବସ୍ଥା ରହିବା ଦରକାର। ଏହାଫଳରେ ସମଗ୍ର ଦେଶରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ ପ୍ରତି ମାସରେ ନିର୍ଦ୍ଧାରିତ ସମୟରେ ଦରମା ପାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଏ ସମ୍ପର୍କିତ ବିଧେୟକକୁ ସଂସଦରେ ମଞ୍ଜୁରି କରାଇବାକୁ ଇଚ୍ଛୁକ ଥିବା ଶ୍ରୀ ଗଙ୍ଗୱାର କହିଛନ୍ତି।
ବିଭିନ୍ନ କ୍ଷେତ୍ରରେ ସରକାର ଏକ ସାର୍ବଜନୀନ ସର୍ବନିମ୍ନ ବେତନ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା ଫଳରେ ଶ୍ରମିକଙ୍କ ଜୀବନରେ ଉନ୍ନତି ଆସିପାରିବ ​ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏବେ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟସ୍ଥଳରେ ସ୍ଥିତି (ଓଏସ୍‌ଏଚ୍‌)କୋଡ ଏବଂ ବେତନ କୋଡ୍‌ ଲାଗୁ କରିବା ଦିଗରେ କାମ କରୁଛନ୍ତି । ଇତିମଧ୍ୟରେ ସଂସଦରେ ବେତନ ​କୋଡକୁ ମଞ୍ଜୁରି ମିଳିସାରିଛି ଏବଂ ଏବେ ଏହାର କାର୍ଯ୍ୟାନ୍ବୟନ ପାଇଁ ନିୟମ ପ୍ରସ୍ତୁତି ଚାଲିଛି । ଓଏସ୍‌ଏଚ୍‌ ​କୋଡ୍‌କୁ ଲୋକସଭାରେ ଚଳିତବର୍ଷ ଜୁଲାଇ ୨୩ରେ ଆଗତ କରାଯାଇଥିଲା। ଏହି କୋଡକୁ ୧୩ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ମିଶାଇ ପ୍ରସ୍ତୁତ କରାଯାଇଥିଲା । ଏହାଛଡା ଏଥିରେ ଅନେକ ପ୍ରାବଧାନକୁ ​ଯୋଡା ଯାଇଥିଲା । ଏଥିରେ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେବା ଏବଂ ବର୍ଷିକ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ ଆଦି ନିୟମରେ ବାଧ୍ୟତାମୂଳକ କରାଯାଇଛି।

Comments are closed.