ସାରା ଦେଶରେ କାର୍ଯ୍ୟକାରୀ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା

ଟୋଲ ପ୍ଲାଜାରେ ଟିକସ ଠକେଇ ରୋକିବ ସମନ୍ୱିତ ଟୋଲ ଆଦାୟ ବ୍ୟବସ୍ଥା : ନିତିନ ଗଡ଼କରୀ

-ବିଭିନ୍ନ ରାଜ୍ୟ ଓ ସଂସ୍ଥା ସହ ବୁଝାମଣା ସ୍ୱାକ୍ଷରିତ
-ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ପ୍ରିପେଡ ୱାଲେଟର ଶୁଭାରମ୍ଭ
-ଫାଷ୍ଟ ଟ୍ୟାଗ ସହିତ ଯୋଡ଼ି ହେବ ଜିଏସଟି ଇ-ୱେ ବିଲ୍‍

ନୂଆଦିଲ୍ଲୀ : ସାରା ଦେଶରେ ଗୋଟିଏ ବୈଦ୍ୟୁତିକ ଟୋଲ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାକୁ ଲକ୍ଷ୍ୟରେ ରଖି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତିନ ଗଡ଼କରୀ ନୂଆଦିଲ୍ଲୀଠାରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ-ଫାଷ୍ଟ ଟ୍ୟାଗ’ ଉପରେ ଏକ ସମ୍ମିଳନୀର ଉଦଘାଟନ କରିଛନ୍ତି । ସାରା ଦେଶରେ ଗୋଟିଏ ବୈଦ୍ୟୁତିକ ଟୋଲ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ର ମନ୍ତ୍ରୀ ଅବସରପ୍ରାପ୍ତ ଜେନେରାଲ ଭି.କେ. ସିଂହ ଓ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ।
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଜାତୀୟ ବୈଦ୍ୟୁତିକ ଟୋଲ ଆଦାୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଜାତୀୟ ରାଜପଥର ଟୋଲ ପ୍ଲାଜାଗୁଡ଼ିକରେ ଆରଏଫଆଇଡି ଆଧାରିତ ଫାଷ୍ଟ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯାଉଛି।

ତେବେ ରାଜ୍ୟ ରାଜପଥର ଟୋଲ ପ୍ଲାଜାଗୁଡ଼ିକରେ ସାଧାରଣ ପଦ୍ଧତି କିମ୍ବା ଅନ୍ୟ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯାଏ। ଏହାଦ୍ୱାରା ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟକୁ ଫାଷ୍ଟ ଟ୍ୟାଗ’ ଅଧୀନକୁ ଆଣିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ କରାଯାଉଛି। ଫଳରେ ସାରା ଦେଶରେ ବାଧାମୁକ୍ତ ପରିବହନ ସୁନିଶ୍ଚିତ ହୋଇପାରିବ। ଏଥିପାଇଁ ଭାରତୀୟ ରାଜପଥ ପରିଚାଳନା ନିଗମ ଲିଃ (ଆଇଏଚଏମସିଏ) ପକ୍ଷରୁ ସମସ୍ତ ରାଜ୍ୟ ଓ ସହରର ଟୋଲ ପ୍ଲାଜାଗୁଡ଼ିକୁ ଫାଷ୍ଟ ଟ୍ୟାଗ ଅଧୀନରେ ସାମିଲ କରିବା ଲାଗି ସବୁ ରାଜ୍ୟକୁ ଯୋଜନା ଗାଇଡଲାଇନ ପ୍ରଦାନ କରାଯାଇଛି।

Image Credit : PIB

ଆଧୁନିକ ଫାଷ୍ଟ ଟ୍ୟାଗ ବ୍ୟବସ୍ଥାରେ ୬୦ ଲକ୍ଷ ଟ୍ୟାଗକୁ ସାମିଲ କରାଯାଇପାରିବ ଏବଂ ଦୈନିକ ୧୦ ଲକ୍ଷ କାରବାର ହୋଇପାରିବ। ତେଣୁ ଏହି ବୃହତ ବ୍ୟବସ୍ଥା ମଧ୍ୟକୁ ଯଥାଶୀଘ୍ର ରାଜ୍ୟ କର୍ତୃପକ୍ଷ ଏବଂ ଏଜେନ୍ସିଗୁଡ଼ିକୁ ଆଣିବା ଲାଗି ଯୋଜନାରେ ବ୍ୟବସ୍ଥା ରହିଛି। ଏହି ଯୋଜନା ଅନ୍ତର୍ଗତ ଆଇଏଚଏମସିଏଲ ପକ୍ଷରୁ ରାଜ୍ୟଗୁଡ଼ିକୁ ବୈଦ୍ୟୁତିକ ଟୋଲ ଆଦାୟ ଭିତିଭୂମି ନିର୍ମାଣ ଲାଗି ୫୦% ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ପ୍ରତ୍ୟେକ ଦୁଇ ଲେନ ବିଶିଷ୍ଟ ଟୋଲ ପ୍ଲାଜା ପାଇଁ ସର୍ବାଧିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ସହିତ ବୈଦ୍ୟୁତିକ ଟୋଲ ଆଦାୟ କାର୍ଯ୍ୟକ୍ରମ ପରିଚାଳନା ଦେୟର କିଛି ଅଂଶ ଆର୍ଥିକ
ସହାୟତା ମଧ୍ୟ ଯୋଗାଇ ଦିଆଯିବ।
ଆଜି ଆଇଏଚଏମସିଏଲ ପକ୍ଷରୁ କେତେକ ରାଜ୍ୟ/କର୍ତ୍ତୃପକ୍ଷଙ୍କ ସହିତ ଫାଷ୍ଟ ଟ୍ୟାଗ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ବୁଝାମଣା ସ୍ୱାକ୍ଷର କରାଯାଇଛି। ଚଳିତ ବର୍ଷ ଡିସେମ୍ବର ପହିଲା ଠାରୁ ସମସ୍ତ ଜାତୀୟ ରାଜପଥର ଟୋଲ ପ୍ଲାଜାଗୁଡ଼ିକରେ ଫାଷ୍ଟ ଟ୍ୟାଗ ଜରିଆରେ ଟୋଲ ଆଦାୟକୁ ବାଧ୍ୟତାମୂଳକ କରାଯିବ। ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Image Credit : PIB

ସେହିପରି ଫାଷ୍ଟ ଟ୍ୟାଗ ସହିତ ଇ-ୱେ ବିଲ ବ୍ୟବସ୍ଥାକୁ ଯୋଡ଼ିବା ଲାଗି ଆଇଏଚଏମସିଏଲ ଏବଂ ଜିଏସଟି ନେଟୱାର୍କ (ଜିଏସଟିଏନ) ମଧ୍ୟରେ ଆଉ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ବସ୍ତୁ ଓ ସେବା କର (ଜିଏସଟି) ଇ-ୱେ ବିଲ (ଇଡବ୍ଲ୍ୟୁବି) ବ୍ୟବସ୍ଥାକୁ ଖୋଜିବା ଓ ଠାବ କରିବା କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଦୂର କରିବା ଏବଂ ଅନୁଧ୍ୟାନ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏହା କରାଯାଇଛି। ଏପ୍ରିଲ ୨୦୨୦ ଠାରୁ ସର୍ବଭାରତୀୟ ସ୍ତରରେ ଏହାକୁ ବାଧ୍ୟତାମୂଳକ କରାଯିବ। ଯାହାଫଳରେ ଜିଏସଟି ୱେ-ବିଲ ଖୋଜିବା ଓ ଠାବ କରିବା ବ୍ୟବସ୍ଥା ଅଧିକ ଦକ୍ଷ ହୋଇପାରିବ। ଏହାଛଡ଼ା ଟୋଲ ପ୍ଲାଜା ଗୁଡ଼ିକରେ ରାଜସ୍ୱ
ଠକେଇକୁ ଧରିବା ସହଜ ହେବ। ଏହି ସଂଯୋଗ ଫଳରେ ରାଜସ୍ୱ ଆଦାୟ କର୍ତୃପକ୍ଷ ସାମଗ୍ରୀ ପରିବହନ କରୁଥିବା ବାହନଗୁଡ଼ିକ ସଠିକ୍‍ ଲକ୍ଷ୍ୟପଥରେ ଯାଉଛନ୍ତି କି ନାହିଁ ଧରିବା ଲାଗି ସକ୍ଷମ ହୋଇପାରିବେ। ପ୍ରତ୍ୟେକ ଟୋଲ ପ୍ଲାଜା ନିକଟରୁ ମିଳୁଥିବା ଏସଏମଏସ ଆଲର୍ଟ ଜରିଆରେ ଯୋଗାଣକାରୀ ଏବଂ ପରିବହନକାରୀ ସେମାନଙ୍କ ବାହନକୁ ଠାବ କରିବାରେ ସକ୍ଷମ ହେବ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଯେ ବ୍ୟାପକ ସ୍ତରରେ ପରିବହନ ସଂସ୍କାର ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଆସୁଛନ୍ତି। ଦେଶବ୍ୟାପୀ ଗୋଟିଏ ଆନ୍ତଃପରିଚାଳିତ ଆରଏଫଆଇଡି ଆଧାରିତ ଟ୍ୟାଗ ବ୍ୟବସ୍ଥା ଏ ଦିଗରେ ଏକ ବୃହତ ପଦକ୍ଷେପ। ଏହି ବ୍ୟବସ୍ଥା ଜରିଆରେ ଗୋଟିଏ ପ୍ରକାରର ଫାଷ୍ଟ ଟ୍ୟାଗ ବାହନର ଝରକା କାଚରେ ଲଗାଯିବ। ଏହାରି ମାଧ୍ୟମରେ ଦେଶବ୍ୟାପୀ ସମସ୍ତ ଟୋଲ ପ୍ଲାଜାରେ ଟୋଲ ପଇଠ କରାଯାଇପାରିବ। ଏହି ପଦକ୍ଷେପ ଦ୍ୱାରା ବ୍ୟବସ୍ଥାଗତ ବାଧା ଦୂର ହେବା ସହିତ ବାଧାମୁକ୍ତ ପରିବହନ ସୁନିଶ୍ଚିତ ହୋଇପାରିବ। ଏଥିସହିତ ଟୋଲ ଫି’ ଆଦାୟ ପ୍ରକ୍ରିୟା ଅଧିକ ପ୍ରଭାବୀ ହୋଇପାରିବ। ସେ ଆହୁରି କହିଥିଲେ ଯେ ଏହା ଦେଶର ଜିଡିପି କ୍ଷତି ମଧ୍ୟ ହ୍ରାସ କରିବ। କାରଣ ଟୋଲ ପ୍ଲାଜାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଯୋଗୁ ହେଉଥିବା ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ।
ଏହି ପଦକ୍ଷେପ ସମୟ ବଞ୍ଚାଇବା ସହିତ ପ୍ରଦୂଷଣ ମଧ୍ୟ କମାଇବ। ଖୁବଶୀଘ୍ର ଦେଶର କୌଣସି ଟୋଲ ପ୍ଲାଜାରେ କାହାରିକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ। ଟୋଲ ପଇଠ କରିବା ବ୍ୟତୀତ ଇନ୍ଧନ ଭରିବା ଫି’, ପାର୍କିଂ ଫି’ ଆଦି ପାଇଁ ଫାଷ୍ଟ୍ୟାଗ ବ୍ୟବସ୍ଥାର ଉପଯୋଗ କରାଯିବା ଲାଗି ଚିନ୍ତା କରାଯାଉଥିବା ମନ୍ତ୍ରୀ କହିଥିଲେ।
ବର୍ତ୍ତମାନ ନ୍ୟାସନାଲ ପେମେଂଟ୍ସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) କେନ୍ଦ୍ରୀୟ ପଇଠ ସଂସ୍ଥା ଭାବେ କାର୍ଯ୍ୟ କରୁଛି ଏବଂ ୧୩ଟି ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ଫାଷ୍ଟ ଟ୍ୟାଗ ଜାରି କରୁଛନ୍ତି। ଫାଷ୍ଟ ଟ୍ୟାଗ ଉପଯୋଗ କରିବା ଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ସଡ଼କ ଉପଯୋଗକାରୀମାନଙ୍କୁ ୨.୫%ର କ୍ୟାସବ୍ୟାକ ସୁବିଧା ଦିଆଯାଉଛି। ଏବେ ସୁଦ୍ଧା ଦେଶର ୪୯୦ଟି ଜାତୀୟ ରାଜପଥ ଟୋଲ ପ୍ଲାଜା ଏବଂ ବଛାବଛା ୩୯ରୁ ଊର୍ଦ୍ଧ୍ବ ରାଜ୍ୟ ରାଜପଥ ଟୋଲ ପ୍ଲାଜାରେ ଫାଷ୍ଟ୍ୟାଗ ବ୍ୟବସ୍ଥା ହୋଇଛି। ଗତମାସ ଶେଷ ସୁଦ୍ଧା ୬୦ ଲକ୍ଷରୁ ଅଧିକ ଫାଷ୍ଟ ଟ୍ୟାଗ ଜାରି କରାଯାଇସାରିଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଠାରୁ ବୈଦ୍ୟୁତିକ ପଦ୍ଧତିରେ ୧୨,୮୫୦ କୋଟିରୁ ଅଧିକ ଟୋଲ ଆଦାୟ କରାଯାଇସାରିଲାଣି। ସେପ୍ଟେମ୍ବର ୨୦୧୯ରେ ୫୫୪୦.୬୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ପରିମାଣର ସଫଳ ବୈଦ୍ୟୁତିକ ଟୋଲ ଆଦାୟ ହୋଇଛି।

image Credit ; PIB

ଆଇଏଚଏମସିଏଲ ଏବଂ ଏନଏଚଏଆଇ ମିଳିତ ଭାବେ ଫାଷ୍ଟ ଟ୍ୟାଗ ମୋବାଇଲ ଆପ୍ ବିକଶିତ କରିଛନ୍ତି ଯାହାକି ହାତ ପାଆନ୍ତାରେ ଉପଭୋକ୍ତାଙ୍କୁ ଫାଷ୍ଟ ଟ୍ୟାଗ ସୁବିଧା ଦେଉଛି। ଏହା ଉପଭୋକ୍ତାଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଫାଷ୍ଟ ଟ୍ୟାଗ ବ୍ୟବସ୍ଥାକୁ ଯୋଡ଼ିବାର ସୁବିଧା ଦେଉଛି । ଆଜି ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ ପ୍ରିପେଡ ୱାଲେଟର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏଥିରେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ସହ ଫାଷ୍ଟ ଟ୍ୟାଗ ବ୍ୟବସ୍ଥାକୁ ଯୋଡ଼ି ଆଗୁଆ ଦେୟ ପଇଠ କରିବାର ସୁବିଧା ରହିଛି।

Comments are closed.