ବିଜେପିରେ ସାମିଲ ହେଲେ ଟିଏମସି ବିଧାୟକ, ଦେଢ଼ମାସରେ ଦଳ ଛାଡ଼ିଲେଣି ୧୧ ବିଧାୟକ

କଲକାତା: ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗି ଚାଲିଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଅଳ୍ପ କିଛି ମାସ ବାକି ରହିଥିବାବେଳେ ଜଣକ ପରେ ଜଣେ ବିଧାୟକ ଦଳ ଛାଡ଼ିବାରେ ଲାଗିଛନ୍ତି। ଏହି କ୍ରମରେ ମଙ୍ଗଳବାର ବିଧାୟକ ଦୀପକ ହାଲଦାର ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।
ପଶ୍ଚିମବଙ୍ଗର ବରୁଇପୁରରେ ଏକ ସାଧାରଣ ସଭାରେ ଦୀପକ ବିଜେପିରେ ଯୋଗଦେଇଛନ୍ତି। ପୂର୍ବରୁ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ସୁଭେନ୍ଦୁ ଅଧିକାରୀ ଏବଂ ମୁକୁଲ ରାୟଙ୍କ ଉପସ୍ଥିତିରେ ସେ ବିଜେପି ହାତ ଧରିଛନ୍ତି। ବିଗତ ଦେଢ଼ମାସ ମଧ୍ୟରେ ଟିଏମସିର ୧୧ ବିଧାୟକ ଦଳ ଛାଡ଼ିଥିବାବେଳେ ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।
ତେବେ ଦୀପକ ଦଳ ଛାଡ଼ିବା ପଛରେ ଟିଏମସିକୁ ଦାୟୀ କରିଛନ୍ତି। ଦଳୀୟ ନେତୃତ୍ଵ ସେମାନଙ୍କୁ ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ଦେଉ ନ ଥିବା ଦୀପକ ଅଭିଯୋଗ କରିଛନ୍ତି। ଦୀପକ କହିଛନ୍ତି ଯେ, ସେ ଦୁଇ ଥର ବିଧାୟକ ନିର୍ବାଚିତ ହେଲେଣି। କିନ୍ତୁ ୨୦୧୭ ପରଠାରୁ ତାଙ୍କୁ ଜନତାଙ୍କ ପାଇଁ ଠିକ୍ ଭାବେ କାମ କରିବାକୁ ସୁଯୋଗ ଦିଆଯାଉ ନାହିଁ। ସେଥିଲାଗି ସେ ଦଳ ଛାଡ଼ୁଥିବା କହିଛନ୍ତି।