ଟିକ୍‌ରି ସୀମାରେ ଆଉ ଜଣେ ଚାଷୀଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡାରେ ଧାରଣାରେ ବସିଥିବା ଚାଷୀମାନଙ୍କ ଆନ୍ଦୋଳନ ଗୁରୁବାର ୨୨ ଦିନରେ ପହଞ୍ଚିଛି। ସେପଟେ ଥଣ୍ଡା ଯୋଗୁ ଜଣକ ପରେ ଜଣେ ଚାଷୀ ଆଖି ବୁଜିବାରେ ଲାଗିଛନ୍ତି। ଗତ କାଲି ଚାଷୀଙ୍କୁ ସମର୍ଥନ ଦେଇ ସନ୍ଥ ବାବା ରାମ ସିଂହ ଆତ୍ମହତ୍ୟା କରିଥିବାବେଳେ ଆଜି ଟିକରି ସୀମାରେ ଆଉ ଜଣେ ଚାଷୀଙ୍କ ଜୀବନ ଚାଲିଯାଇଛି।

ଟିକରି ସୀମାରେ ପ୍ରାଣ ହରାଇଥିବା ଚାଷୀଙ୍କ ନାମ ହେଉଛି ଜୟ ସିଂହ। ତାଙ୍କ ଘର ହରିୟାଣାରେ। ସେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନରେ ଯୋଗଦେଇ ଟିକରି ସୀମାରେ ଧାରଣାରେ ବସିଥିଲେ। ପ୍ରବଳ ଥଣ୍ଡା ସତ୍ବେ ସେ ପଛକୁ ହଟି ନ ଥିଲେ। ଶେଷରେ ଥଣ୍ଡା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଥଣ୍ଡା ଯୋଗୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ଟିକରି ସୀମାରେ ୭ ଚାଷୀଙ୍କ ମୃତ୍ୟୁ ହେଲାଣି। ସେପଟେ କୁଣ୍ଡଳୀ ସୀମାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆନ୍ଦୋଳନ ସମୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦ ଚାଷୀଙ୍କ ଜୀବନ ଗଲାଣି।

ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟ ରାଜଧାନୀ ଦିଲ୍ଲୀର ସମସ୍ତ ସୀମାରେ ବିକ୍ଷୋଭ କରୁଥିବା ଚାଷୀଙ୍କ ନେଇ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟ କହିଥିଲେ, ସୁପ୍ରିମକୋର୍ଟ ଏହି ମାମଲାରେ ପୂର୍ବରୁ ଶୁଣାଣି ଜାରି ରଖିଛନ୍ତି। ତେଣୁ ହାଇକୋର୍ଟରେ ମାମଲାର ଶୁଣାଣି କରିବାର କୌଣସି ଅର୍ଥ ନାହିଁ।

Comments are closed.