ମୁଣ୍ଡରେ ୮ ଲକ୍ଷ ପୁରସ୍କାର ଥିବା ମାଓବାଦୀ ନିହତ

ଦାନ୍ତେୱାଡା : ବିଜେପି ବିଧାୟକ ଭୀମା ମାଣ୍ଡାଭିଙ୍କ ହତ୍ୟାକାରୀ ମାଓବାଦୀ ମୁୟା ଗୁରୁବାର ସକାଳେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ନିହତ ହୋଇଛି। ମୁୟା ମୁଣ୍ଡରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଧାୟକ ମାଣ୍ଡାଭି ଅପ୍ରେଲ ୯ରେ ଏକ କାରରେ ଯାଉଥିବାବେଳେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ବିଧାୟକଙ୍କ ଓ ତାଙ୍କ ଡ୍ରାଇଭରର ମୃତ୍ୟୁ ଘଟିଥିଲା। ଏହାସହ ୩ ସୁରକ୍ଷା କର୍ମୀ ସହିଦ ହୋଇଥିଲେ।
ଦାନ୍ତେୱାଡା ଏସ୍‍ପି ଅଭିଷେକ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଆତଙ୍କବାଦୀ ମୁୟା ନିହତ ହୋଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବୁଧବାର ବିଳମ୍ବିତ ରାତିରେ ଡିଆରଜି (ଡିଷ୍ଟ୍ରିକ ରିଜର୍ଭ ଗ୍ରୁପ)କୁ କିରନ୍ଦୁଲର ଗୁମିୟାପାଲ, ମଡକାମିରାସ ଜଙ୍ଗଲରେ ମାଓବାଦୀ ଥିବାର ସୂଚନା ମିଳିଥିଲା। ଗୁରୁବାର ସକାଳେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ମୁୟାର ମୃତ୍ୟୁ ଘଟିଛି। ମୁୟାର ଶବ ଜବତ କରାଯାଇଛି। ସେଠାରୁ ରାଇଫଲ ଏବଂ ୬ଟି ଜୀବନ୍ତ ଗୁଳି ମିଳିଛି। ମୁୟା ମାଲକାନାଗିରି ଅଞ୍ଚଳ କମିଟିରେ ଦୀର୍ଘ ଦିନ ହେବ ସକ୍ରିୟ ଥିଲା। ସେ ଶ୍ୟାମାଗିରି ବିସ୍ଫୋରଣ ସହ ଚୋଲନାର ବିସ୍ଫୋରଣରେ ସାମିଲ ଥିଲା।

Comments are closed.