ଭୁବନେଶ୍ୱର ଏମ୍‌ସ ପରିସରରେ ଖୋଲିବ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ୱର: ସାରା ରାଜ୍ୟରେ ବର୍ତ୍ତମାନ ୩୩୮ଟି ଅଗ୍ନିଶମ ସେବା କେନ୍ଦ୍ର ବିପଦ ଆପଦ ସମୟରେ ଲୋକଙ୍କୁ ସେବା ଯୋଗାଉଛି। ତେବେ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବା ନେଇ ପ୍ରସ୍ତାବ ରହିଥିଲା। ଯାହା ଭୁବନେଶ୍ବର ଏମ୍‌ସ ଭଳି ସର୍ବଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ଼ କରିବ ପାଇଁ କୁହାଯାଇଥିଲା। ଏହି ପରିପ୍ରେକ୍ଷିରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଏହି କେନ୍ଦ୍ର ରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ। ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଛନ୍ତି। ଭୁବନେଶ୍ବର ଏମ୍‌ସ ପରି ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା  ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏସସିବି ମେଡ଼ିକାଲ କଲେଜ କଟକ, ଏମ୍‌କେସିଜି ମେଡ଼ିକାଲ କଲେଜ ବ୍ରହ୍ମପୁର ଏବଂ ଭିମ୍‌ସାର ବୁର୍ଲା ରେ ଗୋଟିଏ ଗୋଟିଏ ଅଗ୍ନିଶମ ସେବା କେନ୍ଦ୍ର ରହିଛି।

Comments are closed.