ଦିଲ୍ଲୀରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ; ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ କୋଭିଡ ଆକ୍ରାନ୍ତ ଓମିକ୍ରନ ପ୍ରକରଣରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ରବିବାର ଦିନ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା ପ୍ରକାଶ କରିଛନ୍ତି । ଓମିକ୍ରନ ରୋଗୀ ଚିହ୍ନଟ ହେବା ଏହା ଦିଲ୍ଲୀର ପ୍ରଥମ ଘଟଣା ବୋଲି ସେ କହିଛନ୍ତି । ଏହାକୁ ମିଶାଇ ଭାରତରେ ମୋଟ ୫ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ଦିଲ୍ଲୀରୁ ଚିହ୍ନଟ ବ୍ୟକ୍ତିଜଣକ ତାଞ୍ଜାନିଆରୁ ଫେରିଥିଲେ । ତାଙ୍କୁ ସଂପ୍ରତି ଲୋକନାୟକ ଜୟପ୍ରକାଶ ହାସପାତାଳରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଶ୍ରୀ ଜୈନ କହିଛନ୍ତି ଯେ ବିଶେଷକରି ଓମିକ୍ରନ ପ୍ରଭାବିତ ରାଷ୍ଟ୍ରଗୁଡିକରୁ ବିମାନ ସେବାକୁ ବନ୍ଦ କରାଯିବାର ଆବଶ୍ୟକତା ରହିଛି । ଏହା ପୂର୍ବରୁ ଦେଶର କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ରରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ । ଗୁଜରାଟରେ ଚିହ୍ନଟ ବ୍ୟକ୍ତି ଜଣକ ୭୨ ବର୍ଷ ବୟସ୍କ ଏବଂ ସେ ଜିମ୍ବାୱେରୁ ଫେରିଥିଲେ । ସେହିଭଳି କର୍ଣ୍ଣାଟକକୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଏବଂ ବିଦେଶ ଗସ୍ତ କରିନଥିବା ଅନ୍ୟଜଣକୁ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି । ମହାରାଷ୍ଟ୍ରର ଡୋମିଭିଲିରେ ଚିହ୍ନଟ ବ୍ୟକ୍ତି ମଧ୍ୟ ଦକ୍ଷିଣ ଆଫ୍ରିକାର କେପଟାଉନରୁ ଦୁବାଇ ବାଟ ହୋଇ ଫେରିଥିଲେ ।

Comments are closed.