ଟ୍ରକ୍ ଚାପାରେ ହେଲପର ମୃତ

ଜେକେପୁର : ରାୟଗଡା ଜିଲ୍ଲା ସ୍ତିତ ଜେକେ କାଗଜକଳର ଟ୍ରକ୍ ପାର୍କିଂ ଅଞ୍ଚଳରେ ଆଜି କାଠ ବୋଝେଇ ଟ୍ରକ୍ ଚାପାରେ ୱାଇ. ଦେମୁତୁ (୪୫) ନାମକ ଜଣେ ହେଲପରର ମୃତ୍ୟୁ ହୋଇଛି। ଚାନ୍ଦିଲି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଆନ୍ଧ୍ରରୁ ନୀଳଗିରି କାଠ ବୋଝେଇ କରି ଜେକେପୁର କାଗଜକଳକୁ ଆସିଥିବା ଟ୍ରକ୍ ପାର୍କିଂ ଅଞ୍ଚଳରେ ଅନଲୋଡ୍ ପାଇଁ ଅପେକ୍ଷା କରିଥିଲା। ଗାଡ଼ି ପାର୍କିଂରେ ଥିବା ଯୋଗୁ ଉକ୍ତ ଟ୍ରକର ହେଲପର ଦେମୁତୁ ଗାଡ଼ି ପଛରେ ବିଶ୍ରାମ ନେଉଥିଲେ। ଡ୍ରାଇଭର ପି. ୱାରଲୁ ଏହା ଜାଣିପାରିନଥିଲେ। ଅନଲୋଡିଂ ପାଇଁ ନମ୍ବର ଆସିବା ପରେ ଡ୍ରାଇଭର ପି. ୱାରଲୁ ଟ୍ରକକୁ ପଛକୁ ନେବା ସମୟରେ ହେଲପର ଦେମୁତୁ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ହେଲପରର ମୃତ୍ୟୁ ହୋଇଥିଲା। ଖବର ପାଇ ଚାନ୍ଦିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଥାନା ପକ୍ଷରୁ ଏସଆଇ ରାଜେଶ୍ବର ଶବର ମାମଲାର ତଦନ୍ତ କରୁଛନ୍ତି।

Comments are closed.