କଟକ ଯିବା ରାସ୍ତାରେ ବସରେ ଆଖିବୁଜିଲେ ରୋଗାକ୍ରାନ୍ତ ମହିଳାଙ୍କ

ବି.ଡି.ଓ ଏବଂ ତହସିଲଦାରଙ୍କ ମାନବିକତା ଯୋଗୁଁ ମୃତଦେହ ଧରି ଗାଁକୁ ଫେରିଲେ ପରିବାରଲୋକ

ହରଭଙ୍ଗା : ସୋମବାର ରାତ୍ରିରେ ସୂଦୂର କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ସିଲଗୁଡା ଗ୍ରାମର ନବୀନ ନାଏକଙ୍କ ଟିବି ରୋଗାକ୍ରାନ୍ତ ପତ୍ନୀ ନମିତା ନାଏକ(୨୪)ଙ୍କୁ ପରିବାର ଲୋକେ ରଘୁନାଥ ନାମକ ଏକ ବେସରକାରୀ ବସ୍‌ରେ କଟକ ମେଡିକାଲ ଚିକିତ୍ସା ପାଇଁ ନିଆଯାଉଥିଲା। ମାତ୍ର ଅଧା ବାଟରେ ନମିତାଙ୍କ ମୃତ୍ୟୁ ଘଟିଥିଲା। ଫଳରେ ପରିବାର ଲୋକେ ତାଙ୍କ ମୃତଦେହ ଧରି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକରେ ଗତ ସୋମବାର ରାତି ୨.୧୫ରେ ସେଠାରେ ଓହ୍ଲାଇଥିଲେ। ସକାଳୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକସ୍ଥିତ ବନ ବିଶ୍ରାମଗାର ସମ୍ମୁଖରେ ମୃତଦେହ ଧରି ପରିବାରଲୋକେ ଠିଆ ହୋଇଥିବା ଦେଖୀ ଲୋକଙ୍କ ଗହଳିଚହଳି ଲାଗିଥିଲା।ଏ ସଂର୍ପକରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ଏବଂ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ପ୍ରମୁଖ ପ୍ରଶାସନିକ ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପଂହଚିଥିଲେ। ଏ ସଂର୍ପକରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ ପରେ ମୃତ ପରିବାର ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୪ହଜାର ୫ଶହ ଟଙ୍କା ସହିତ ତହସିଲଦାର ନିଜେ ଏକ ହଜାର ଟଙ୍କା ପ୍ରଦାନ କରିଥିଲେ। ପ୍ରଶାସନ ପକ୍ଷରୁ ମହାପ୍ରୟାଣ ଗାଡି ଯୋଗାଡ କରାଯାଇ ନମିତାଙ୍କ ମୃତଦେହକୁ ନିଜ ଗାଁକୁ ଫେରିବାର ବ୍ୟବସ୍ଥା କରାଯାଇଥିଲା। ମୃତ ପରିବାର ପକ୍ଷରୁ ବୌଦ୍ଧ ପ୍ରଶାସନର ଏଭଳି ସହଯୋଗ ସବୁଦିନ ପାଇଁ ମନେ ରହିବ ବୋଲି ତାଙ୍କ ସ୍ୱାମୀ ନବୀନ ନାଏକ, ଭାଇ ଦୈତାରୀ ନାଏକ ଏବଂ ମା ନଳିନୀ ନାଏକ କହିଥିଲେ। ସାଧାରଣରେ ପ୍ରଶାସନର ଏଭଳି ମହତ୍ କାର୍ଯ୍ୟକୁ  ମଧ୍ୟ ଉଚ୍ଚପ୍ରଂଶସା କରାଯାଇଥିଲା।

Comments are closed.