“ସମର୍ପଣ’’ ର ଉଦ୍ୟାପନୀ ସଂଧ୍ୟାରେ ଆଧ୍ୟାତ୍ମିକ ସଙ୍ଗୀତ ସହିତ ଅଭଙ୍ଗ ରଙ୍ଗରେ ଦର୍ଶକ ବିଭୋର

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ସାହାଯ୍ୟରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ “ସମର୍ପଣ’ ର ଉଦ୍ୟାପନୀ ସଂଧ୍ୟାରେ ଦେଖିବାକୁ ମିଳିଥିଲା ଆସାମୀ ଆଧ୍ୟାତ୍ମିକ ଲୋକ ସଙ୍ଗୀତ ସହିତ ଅଭଙ୍ଗ ରଙ୍ଗ ପରିବେଷଣ ।

ଅନ୍ତିମ ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ଶ୍ରୀମତୀ ସଙ୍ଗୀତା ଚାମୁହୁଙ୍କ ଦ୍ୱାରା ବରଗୀତ୍‍ ଏବଂ ଆସାମର ଭକ୍ତି ସଙ୍ଗୀତ । ବରଗୀତ୍‍ ସଙ୍ଗୀତ ମାଧବଦେବଙ୍କ ଦ୍ୱାରା ରଚିତ ଯାହା ବିଭିନ୍ନ ମଠ ମାନଙ୍କରେ ପ୍ରାର୍ଥନା ସେବା ଆରମ୍ଭ କରିବା ପାଇଁ ଗାନ କରାଯାଏ । ସଙ୍ଗୀତାଙ୍କ ପ୍ରଥମ ଉପସ୍ଥାପନା ଥିଲା ରାଗ ଶ୍ୟାମ କଲ୍ୟାଣ ଏବଂ ପରେ ପରେ ରାଗ ଗୌରୀ ସହିତ ଆସାମର କିଛି ଶାସ୍ତ୍ରୀୟ ସଙ୍ଗୀତ, ଭକ୍ତି ସଙ୍ଗୀତ, ଭଜନ ଏବଂ ଲୋକ ସଙ୍ଗୀତ ପରିବେଷଣ । ତାଙ୍କ ସହ ବଂଶୀ ବାଦନରେ ଶ୍ରୀନିବାସ ଶତପଥି, ଗିଟାରରେ ଭବତୋଶ ମହାନ୍ତି, ତବଲାରେ ଡ଼. ତାପଶ ପଲ୍‍, ଢୋଲକରେ ରବି ନାରାୟଣ ବାରିକ ଏବଂ ପରକ୍ୟୁସନରେ ପ୍ରମୋଦ କୁମାର ସାହୁ ଯୋଗ ଦେଇଥିଲେ ।

ସଂଧ୍ୟାର ଶେଷ ଉପସ୍ଥାପନା ଥିଲା ପଣ୍ଡିତ ସଞ୍ଜିବ ଅଭୟଙ୍କରଙ୍କ ଦ୍ୱାରା ଅଭଙ୍ଗ ରଙ୍ଗ ପରିବେଷଣ । ଅଭଙ୍ଗ ଭଗବାନ ଭିଟ୍ଟଲାଙ୍କ ପାଖରେ ଗାନ କରାଯାଇଥାଏ । ଆକ୍ଷରିକ ଭାବରେ ଏହାର ଅର୍ଥ ହେଉଛି ଏକ ନିଖୁଣ ଏବଂ ନିରବଚ୍ଛିନ୍ନ କବିତା ପରିବେଷଣ । ପଣ୍ଡିତ ଅଭୟଙ୍କର ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଏବଂ ଭକ୍ତି ସଙ୍ଗୀତ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରର ସୁପରିଚିତ କଳାକାର । ତାଙ୍କୁ ଗାୟନରେ ଅର୍ପୁଭ ଦ୍ରାବିଡ଼, ତବଲାରେ ଅଜିଙ୍କ୍ୟା ଯୋଶୀ ଏବଂ ହାରମୋନିୟମରେ ଅଭିନାୟ ରଭାଣ୍ଡେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଉପସ୍ଥିତ ରହି ତାଙ୍କର ଏହି ସଙ୍ଗୀତକୁ ମନଭରି ଉପଭୋଗ କରୁଥିଲେ ।

Comments are closed.