୨୬/୧୧କୁ ୧୦ବର୍ଷ: କିପରି ଥିଲା ସେଦିନ ମୁମ୍ବଇ

0

ମୁମ୍ବଇ: ୧୦ବର୍ଷ ପୂର୍ବେ ଆଜିର ଦିନରେ ମୁମ୍ବଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୧୬୬ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଏକାଧିକ ଥିଲେ ସୁରକ୍ଷାକର୍ମୀ। ୨୬ନଭେମ୍ବର ୨୦୦୮ ସନ୍ଧ୍ୟାରେ ସମଗ୍ର ଦେଶବାସୀ ଭାରତ-ଇଂଲଣ୍ଡ କ୍ରିକେଟ ମ୍ୟାଚରେ ମସଗୁଲ ଥିଲେ। ତେନ୍ଦୁଲକର ଓ ବିରେନ୍ଦ୍ର ସେୱାଗଙ୍କ ଧୂଆଧାର ବ୍ୟାଟିଂକୁ ନେଇ ମୁମ୍ବଇରେ ଚର୍ଚ୍ଚା ଚାଲିଥିଲା। ରାତି ପ୍ରାୟ ୯ଟା। ଭାରତ ୬ଟି ୱିକେଟ ବିନିମୟରେ ଇଂଲଣ୍ଡକୁ ଏକ ଦିବସୀୟ ମ୍ୟାଚରେ ପରାସ୍ତ କରି ବିଜୟ ଲାଭ କରିବା ପରେ ସମଗ୍ର ଦେଶ ହୋଇଯାଇ ଥିଲା ଉତ୍ସବ ମୁଖର। ଏହି ସମୟରେ ମୁମ୍ବଇର ଏକ ଅଞ୍ଚଳରେ ଗୁଳିର ଶବ୍ଦ ବିଚଳିତ କରିଦେଇଥିଲା ପ୍ରଶାସନ ଓ ଗଣମାଧ୍ୟମକୁ। ଗୁଳି ଚାଳଣାର କାରଣ ଜାଣିବାକୁ ପୁଲିସ ଓ ଗଣମାଧ୍ୟମକୁ ଲାଗିଥିଲା ବେଶ୍‍ କିଛି ସମୟ। କିଛି ଅସାମାଜିକ ଯୁବକ ଏଭଳି କାଣ୍ଡ କରିଥିବା ପ୍ରଥମେ ସନ୍ଦେହ କରାଯାଇ ଥିଲା। ସମୟାନୁକ୍ରମେ ଜଣା ପଡ଼ିଥିଲା ମୁମ୍ବଇ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଲିୟୋପୋଲ୍ଡ କ୍ୟାଫେ କର୍ଣ୍ଣର ଓ ଛତ୍ରପତି ଶିବାଜୀ ଟାର୍ମିନାଲରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ କ୍ୟାଫେ କର୍ଣ୍ଣରରେ କୌଣସି ମୃତାହତ ହୋଇ ନଥିଲେ ମଧ୍ୟ ଶିବାଜୀ ଟାର୍ମିନାଲରେ ଏହାର ବୀପରିତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆତଙ୍କବାଦୀଙ୍କ ଗୁଳିରେ ଛତ୍ରଭଙ୍ଗ ଯାତ୍ରୀଙ୍କ ଠେଲାପେଲାରେ ସବୁଠାରୁ ଅଧିକ ଲୋକ ପ୍ରାଣ ହରାଇବା ସହ ଗୁରୁତର ଆହତ ହୋଇଥିଲେ। କ୍ରମଶଃ ମୁମ୍ବଇର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆତଙ୍କବାଦୀଙ୍କ ଗୁଳି ଓ ବିସ୍ଫୋରଣର ଶବ୍ଦ ସମଗ୍ର ଦେଶକୁ ଆତଙ୍କିତ କରିଦେଇଥିଲା। ଛତ୍ରପତି ରେଳ ଷ୍ଟେସନରେ ଆତଙ୍କବାଦୀ କେବଳ ଗୁଳି ମାଡ଼ କରି ନଥିଲେ ଗ୍ରେନେଡ଼ ମଧ୍ୟ ଫିଙ୍ଗି ଥିଲେ। ଏହି ଘଟଣା ଗଣମାଧ୍ୟମରେ ତ୍ୱରିତ ବେଗରେ ସମଗ୍ର ଦେଶରେ ବ୍ୟାପିବା ସହ ଅଜମଲ ଅମିର କସାବ ଓ ଇସ୍ମାଇଲ ଖାନ୍‍ ନାମକ ଆତଙ୍କବାଦୀଙ୍କ ପରିଚୟ ମିଳିଥିଲା। ଇତିମଧ୍ୟରେ ଆତଙ୍କବାଦୀମାନେ ତାଜ୍‍ ହୋଟେଲ, ହୋଟେଲ ଓବେରଏ ଓ କାମା ହାସ୍ପିଟାଲକୁ ଟାର୍ଗେଟ କରିଥିଲେ। ଏପରିକି ଦକ୍ଷିଣ ମୁମ୍ବଇର ଏକାଧିକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣର ଖବର ମିଳିଲା। ଆତଙ୍କବାଦୀମାନେ ଇତିମଧ୍ୟରେ ଏକ ଅଟୋରେ ବିସ୍ଫୋରଣ କରିଥିଲେ। ସହରରେ ଏକକାଳୀନ ୪ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତର୍କିତ ଆକ୍ରମଣ କିଛି ସମୟ ପାଇଁ ପୁଲିସକୁ ମଧ୍ୟ ବିଚଳିତ କରି ଦେଇଥିଲା। ତେବେ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସର ମିଳିତ ପ୍ରୟାସ ପରେ ହୋଟେଲ ତାଜ ମଧ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ସୁରାକ ମିଳିଥିଲା। ଆତଙ୍କବାଦୀଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ମିଳୁ ନଥିବା ବେଳେ ରାତି ବଢିବା ସହ ସମସ୍ତ ଆତଙ୍କବାଦୀ ତାଜ୍‍ ହୋଟେଲରେ ଡ଼େରା ପକାଇ ଥିଲେ। ଏଠାରେ ଆତଙ୍କବାଦୀମାନେ ଏକାଧିକ ବିଦେଶୀ ନାଗରିକଙ୍କୁ ବନ୍ଧକ ବନାଇବା ସହ ହେଟେଲର ହେରିଟେଜ ପ୍ରକୋଷ୍ଠରେ ନିଆଁ ଲଗାଇ ଦେଇଥିଲେ।
୨୭ତାରିଖ ସକାଳେ ଏନଏସଜି କମାଣ୍ଡୋଙ୍କୁ ମୁମ୍ବଇର ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଗଲା। ୨୮ନଭେମ୍ବର ସକାଳ ସୁଦ୍ଧା ଅବେରୋଏ ହୋଟେଲରୁ ବନ୍ଧକଙ୍କୁ ମୁକୁଳାଇବାରେ କମାଣ୍ଡୋ ସଫଳ ହେବା ସହ ତାଜ ହୋଟେଲରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇ ଯାଇଥିଲା। ସେହିପରି ନରୀମନ ହାଉସରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ସନ୍ଧ୍ୟା ସୁଦ୍ଧା ମାରିବାରେ ସଫଳ ହେଲେ ଏନଏସଜି କମାଣ୍ଡୋ। ହେଲିକପ୍ଟରରେ ନରିମନ ହାଉସ ଛାତରେ ଓହ୍ଲାଇଥିଲେ କମାଣ୍ଡୋ। ଛାତ ରାସ୍ତା ଦେଇ ପ୍ରବେଶ କରି ନରିମନ ହାଉସରେ ଲୁଚି ରହିଥିବା ସମସ୍ତ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ଏନଏସଜି କମାଣ୍ଡୋ। ଇତିମଧ୍ୟରେ ଆତଙ୍କବାଦୀଙ୍କ ମୋବାଇଲ ସାଟେଲାଇଟ ନେଟୱାର୍କକୁ ଅଚଳ କରି ଦିଆଗଲା। ଫଳରେ ଆତଙ୍କବାଦୀମାନେ ପାକିସ୍ତାନରେ ଥିବା ସେମାନଙ୍କ ନେତାଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ୨୯ତାରିଖ ସନ୍ଧ୍ୟାରେ ଆତଙ୍କବାଦୀମାନେ ପାକ୍‍ଠାରୁ କୌଣସି ନିର୍ଦେଶ ନପାଇ ଦ୍ୱାରା ହୋଟେଲ ମଧ୍ୟରେ ନିଜ ଆତ୍ମରକ୍ଷା କରିବାର ରଣନୀତି ଆପଣେଇବାରେ ଲାଗିଲେ। ଫଳରେ ବନ୍ଧକଙ୍କୁ ମୁକ୍ତ କରି ଆତଙ୍କବାଦୀଙ୍କୁ ଗୁଳି ମାରିବାରେ ସଫଳ ହୋଇଥିଲେ। ଏହି ଆକ୍ରମଣରେ ସମସ୍ତ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଛତ୍ରପତି ଶିବାଜୀ ଟାର୍ମିନାଲରେ ଅତାଙ୍କବାଦୀ କାର୍ଯ୍ୟକଳାପ ପରେ ପୁଲିସ ହାତରେ ଧରା ପଡ଼ିଥିଲା କସାବ। ଗୁରୁତର ଆହତ କସାବକୁ ଜେରା କରି ଏହି ଘଟଣା ପ୍ରଚ୍ଛଦରେ ପ୍ରକିସ୍ତାନର ହାତ ଥିବା ପ୍ରମାଣିତ ହୋଇଥିଲା। ପରେ କସାବକୁ ବିଚାରବିଭାଗୀୟ ହାଜତରେ ନିଆଯିବା ପରେ ତାଙ୍କ ଫାସି ଦଣ୍ଡରେ ଦଣ୍ଡିତ କରାଯାଇ ଥିଲା। କସାବକୁ ଜୀବନ୍ତ ଧରିବା ଦ୍ୱାରା ମୁମ୍ବଇରେ ୧୦ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ସମ୍ପର୍କରେ ଜାଣି ପାରିଥିଲା ପୁଲିସ। ସେ ସମୟରେ ଏହି ତଥ୍ୟ ପୁଲିସର ମନୋବଳକୁ ବ୍ୟାପକ ଭାବେ ବଢାଇ ଦେଇଥିଲା। ଆତଙ୍କବାଦୀମାନେ ସମୁଦ୍ର ପଥରେ ମୁମ୍ବଇରେ ପ୍ରବେଶ କରିଥିବା ପ୍ରମାଣିତ ହୋଇଥିଲା। ପ୍ରବେଶ ପରେ ସେମାନେ ପୁଲିସର ଏକ ଭ୍ୟାନକୁ ଲୁଟିବାରେ ସଫଳ ହୋଇଥିଲେ। ଏହି ଭ୍ୟାନରେ ସେମାନେ କାମା ହସ୍ପିଟାଲରେ ପ୍ରବେଶ କରି ଗୁଳି ମାଡ଼ କରିଥିଲେ। ପୁଲିସ ଭ୍ୟାନରେ ଆତଙ୍କବାଦୀମାନେ ମୁମ୍ବଇ ରାସ୍ତାରେ ଗୁଳି ବର୍ଷଣ କରି ଘୁରି ବୁଲୁଥିଲେ। କାମା ହସ୍ପିଟାଲଠାରେ ଆତଙ୍କବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟରେ ଏଟିଏସ ଚିଫ ହେମନ୍ତ କରକରେ, ଏସଆଇ ଅଲୋକ କାମତେ ଓ ବିଜୟ ସାଲସ୍କାର ସହିଦ ହୋଇଯାଇଥିଲେ।
ଆର୍ଥିକ ରାଜଧାନୀ ମୁମ୍ବଇରେ ଆତଙ୍କବାଦୀଙ୍କୁ ମାରିବାକୁ ୨୦୦ଏନଏସଜି କମାଣ୍ଡୋ ଓ ୫୦ ସେନା କମାଣ୍ଡୋଙ୍କୁ ମୁତୟନ କରାଯାଇଥିଲା। ଏହି ସମୟରେ ମୁମ୍ବଇ ସମୁଦ୍ର ତଟରେ ନୌସେନା ମଧ୍ୟ ସଜାଗ ରହିଥିଲା। ପୁଲିସ ଓ ଏନଏସଜିର ୧୧ଜଣ ଯବାନ ଏଥିରେ ସହିଦ ହୋଇଥିଲେ। ଏହି ଘଟଣା ସମୟରେ ୧୩୭ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୩୦୦ଜଣ ଗୁରୁତର ହୋଇଥିଲେ।

Leave A Reply