କରୋନାରେ ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କଟକ : କରୋନାରେ ଆଜି ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ଘଟିଛି। ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। କୋରାରପୁଟ ଜିଲା ଜୟପୁରର ବାସିନ୍ଦା ହୋଇଥିବା ବେଳେ ଦୀର୍ଘ ୨୫ ବର୍ଷ ହେବ କଟକରେ ଓ ଓଡିଶାର ସଙ୍ଗୀତ ଜଗତ ସହ ସମ୍ପୃକ୍ତ ଥିଲେ । ସେ ଜଣେ ସୁନାମଧନ୍ୟ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଆରେଞ୍ଜର। ଜଣେ ଉତ୍ତମ ଗିତାର ବାଦକ, ମାଣ୍ଡୋଲିନ୍‍ ବାଦକଭାବେ ପରିଚିତ ଥିଲେ । ସେ ଖୁବ ବନ୍ଧୁ ବତ୍ସଳ ଓ ମେଳାପି ଥିଲେ। ଓଡିଶା ଚଳଚ୍ଚିତ୍ର , ଆଲବମ, ଭଜନ, ଜଗତକୁ ତାଙ୍କର ଖୁବ ଅବଦାନ ରହିଛି। ବହୁ ବିଶିଷ୍ଟ ପ୍ରଯୋଜକଙ୍କ ସହ ସେ କାମ କରିଛନ୍ତି।
କିଛି ଦିନ ତଳେ ତାଙ୍କ ପତ୍ନୀ ଓ ଝିଅ କରୋନାରେ ଆକ୍ରାନ୍ତ ହୋଇ ନିକଟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶାନ୍ତିରାଜ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ମାତ୍ର ତାଙ୍କ ଅବସ୍ଥାରେ ଗୁରୁତର ହେବାରୁ ଆଜି ସକାଳେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ତାଙ୍କ ସହିତ ଏକତ୍ର ରହୁଥିବା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁନଦାର ଓ ଗୀତିକାର ଡ଼କ୍ଟର ନିର୍ମଳ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଶାନ୍ତିରାଜଙ୍କ ମଧ୍ୟରେ ସଙ୍ଗୀତର ବିବିଧତା ଭରି ରହିଥିଲା। ସେ ମିନିକିରି କରିବାରେ ମଧ୍ୟ ପାରଦର୍ଶିତା ହାସଲ କରିଥିଲେ। ସହକର୍ମୀମାନଙ୍କ ସବୁ ସମୟରେ ସେ ହସାଉଥିଲେ ଓ ତାଙ୍କ ସହ ହସଖୁସିରେ ରହୁଥିଲେ। ତାଙ୍କ ପରଲୋକରେ ସମଗ୍ର ମହଲରେ ଶୋକର ଛାୟା ଖେଳିଯାଇଛି।

Comments are closed.