ଜୋରରେ ଆସିବ ଶୀଘ୍ର ଯିବ ଓମିକ୍ରନ: ବିଶେଷଜ୍ଞ

ବ୍ଲୁମ୍‌ବର୍ଗ : ଭାରତରେ କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନର ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହା ଖୁବ୍‌ଶୀଘ୍ର ଶିଖର ଛୁଇଁବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ସବୁଠାରୁ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ଏହି ପ୍ରଜାତି ଭୂତାଣୁ ଯୋଗୁଁ ଭାରତରେ ଦୈନିକ ସଂକ୍ରମଣ ବିସ୍ଫୋରକ ହେବ। ଏହି ପ୍ରଜାତି ଭୂତାଣୁ ଯୋଗୁଁ ଦେଶରେ ତୃତୀୟ ଲହର ଆସିବ। ତେବେ ଓମିକ୍ରନ ପ୍ରଜାତି ଯୋଗୁଁ ଭାରତରେ ଯେଉଁ ତୃତୀୟ ଲହର ଆସିବ ତାହା ସ୍ବଳ୍ପ ଅବଧି ବିଶିଷ୍ଟ ହେବ। ଅର୍ଥାତ୍ ଏହି ଲହର ଶୀଘ୍ର ଚାଲିଯିବ। କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଜଜ୍ ବିଜନେସ୍ ସ୍କୁଲର ପ୍ରଫେସର ପଲ୍‌ କାଟ୍ଟୁମ୍ୟାନ ଓ ତାଙ୍କ ଦଳ କହିଛନ୍ତି ଯେ ଓମିକ୍ରନ ଯୋଗୁଁ ଭାରତରେ ଯେଉଁ ଲହର ଆସିବ ତାହା ଅନ୍ୟ ଦୁଇ ଲହର ତୁଳନାରେ ସ୍ବଳ୍ପକାଳୀନ ହେବ।

ଅର୍ଥାତ୍ ଏହା ଅଳ୍ପ ସମୟ ମଧ୍ୟରେ ନିୟନ୍ତ୍ରଣକୁ ଆସିବ। କାଟ୍ଟୁମ୍ୟାନ କହିଛନ୍ତି ଯେ ଆଉ ଅଳ୍ପ ଦିନ ମଧ୍ୟରେ ଓମିକ୍ରନ ସଂକ୍ରମଣ ଶିଖର ଛୁଇଁବ। ସଂକ୍ରମଣର ଶିଖର ସମୟରେ ଦୈନିକ ସଂକ୍ରମଣ କେତେ ହେବ ତାହା ସେ କହିନାହାନ୍ତି। କାଟ୍ଟୁମ୍ୟାନ ଓ ତାଙ୍କ ଦଳ ଭାରତରେ କୋଭିଡ୍ ଟ୍ରାକରକୁ ବିକଶିତ କରିଛନ୍ତି। ଡିସେମ୍ବର ୨୪ରେ ଓମିକ୍ରନ ସଂକ୍ରମଣର କେନ୍ଦ୍ରସ୍ଥଳ ଭାବେ ୬ଟି ରାଜ୍ୟକୁ ଚିହ୍ନଟ କରାଯାଇଥିବାବେଳେ ଡିସେମ୍ବର ୨୬ରେ ୧୧ଟି ରାଜ୍ୟକୁ କେନ୍ଦ୍ରସ୍ଥଳ ଚିହ୍ନଟ କରାଯାଇଛି। ଏହା ପୂର୍ବରୁ ​‌େ​‌କମ୍ବ୍ରିଜର କରୋନା ଟ୍ରାକର ଦ୍ବିତୀୟ ଲହର ସମ୍ପର୍କରେ କରିଥିବା ପୂର୍ବାନୁମାନ ଠିକ୍ ରହିଥିଲା। କେମ୍ବ୍ରିଜ୍ ଟ୍ରାକର ପୂର୍ବାନୁମାନ କରିଥିଲା ଯେ ମେ ମାସରେ ଭାରତରେ କରୋନା ସଂକ୍ରମଣ ଶିଖର ଛୁଇଁବ ଓ ଅଗଷ୍ଟରେ ଏହା ହ୍ରାସ ପାଇବ।

୨୦୨୦ ଏପ୍ରିଲରେ ଦେଶରେ ଦୈନିକ କରୋନା ସଂକ୍ରମଣ ୪ଲକ୍ଷରୁ ଅଧିକ ରହିଥିଲା। ଏଥିପାଇଁ ଦେଶରେ ଡାକ୍ତରଖାନା ଓ ଶ୍ମଶାନଗୁଡିକରେ ଭିଡ ଦେଖାଯାଇଥିଲା। ଦେଶରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅମ୍ଳଜାନର ବ୍ୟାପକ ଅଭାବ ଦେଖାଯାଇଥିଲା। ଦେଶରେ କରୋନା ଟିକାକରଣ ଅଭିଯାନ ତ୍ବରାନ୍ବିତ ହେବା ସହିତ ଅଧିକାଂଶ ଲୋକ ଟିକା ନେଇସାରିଲେଣି। ତେଣୁ ତୃତୀୟ ଲହର ସେପରି ଘାତକ ହେବ ନାହିଁ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ମଙ୍ଗଳବାର ସମଗ୍ର ଦେଶରେ ୬,୩୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୯୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୯୯,୬୯୧ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୪,୮୦,୨୯୦ରେ ପହଞ୍ଚିଛି। ଦେଶରେ ଏବେ ୭୫,୪୫୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comments are closed.