ଓମିକ୍ରନ ପ୍ରଭାବ: ଭାରତରେ ଦ୍ୱିତୀୟ ଲହର ଅପେକ୍ଷା ଅଧିକ ଦ୍ରୁତଗତିରେ ବ୍ୟାପୁଛି ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ର ଦ୍ୱିତୀୟ ଲହର ଯେଉଁଭଳି ଭାବରେ ବୃଦ୍ଧିପାଇଥିଲା, ତାହାକୁ ଟପିଯାଇଛି ଓମିକ୍ରନ ପ୍ରକରଣ ଜନିତ ସଂକ୍ରମଣର ତୃତୀୟ ଲହର । ଦେଶରେ ହୁ ହୁ ହୋଇ ବଢିଚାଲିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ବିଶେଷକରି ଦିଲ୍ଲୀ, ମହାରାଷ୍ଟ୍ରରେ ଏହା ଏବେଠାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି । ରାଜଧାନୀ ଦିଲ୍ଲୀରେ ଦୈନିକ ସଂକ୍ରମଣ ସଂଖ୍ୟା ଡିସେମ୍ବର ୨୭ରେ ୩୩୧ ଥିବାବେଳେ ରବିବାର ଅର୍ଥାତ ଜାନୁଆରୀ ୨ ତାରିଖ ଦିନ ଏହା ୩୧୯୪କୁ ବୃଦ୍ଧିପାଇଛି । ୨୦୨୧ ମଇ ମାସ ୨୦ ତାରିଖ ପରବର୍ତ୍ତୀ ସମୟରେ ଏହା ଦିଲ୍ଲୀରେ ସର୍ବାଧିକ ଦୈନିକ ସଂକ୍ରମଣ ବୋଲି ଜଣାଯାଇଛି ।
ଦିଲ୍ଲୀ ସହିତ ଦେଶର ଆଉ କେତେକ ସହରରେ ମଧ୍ୟରେ ଦ୍ରୁତ ଗତିରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । କହିବାକୁ ଗଲେ କିଛି ସହରରେ ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଚାଲିଛି । ଓମିକ୍ରନ ପ୍ରକରଣ ପାଇଁ ଏଭଳି ଦ୍ରୁତ ସଂକ୍ରମଣ ବଢୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଦିଲ୍ଲୀରେ ଡିସେମ୍ବର ୨୭ ତାରିଖ ସୋମବାର ଦିନ ୩୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମଙ୍ଗଳବାର ଏଠାରେ ୪୯୬, ବୁଧବାର ୯୨୩, ଗୁରୁବାର ୧୩୧୩ ଓ ଶୁକ୍ରବାର ଦିନ ୧୭୯୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ଜାନୁଆରୀ ୨ ତାରିଖ ରବିବାର ଦିନ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୩୧୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ସଂପ୍ରତି ୮୩୯୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।
କେବଳ ଦିଲ୍ଲୀ ନୁହେଁ, ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି । ମୁମ୍ବଇରେ ଏହା ବହୁଗୁଣିତ ହେବାରେ ଲାଗିଛି । ଡିସେମ୍ବର ୧ ତାରିଖ ଦିନ ମୁମ୍ବଇରେ ୧୦୮ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଗତ ସୋମବାର ଦିନ ମହାନଗରରେ ୮୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ରବିବାର ଅର୍ଥାତ ଜାନୁଆରୀ ୨ ତାରିଖ ଦିନ ସେଠାରେ ୮୦୬୩ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୯,୮୧୯କୁ ବୃଦ୍ଧିପାଇଛି । ମହାରାଷ୍ଟ୍ରରେ ଜାନୁଆରୀ ୨ ତାରିଖ ଦିନ ୧୧,୮୭୭ ନୂଆ ସଂକ୍ରମଣ ସଂଖ୍ୟା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଓମିକ୍ରନ ପ୍ରକରଣ ପ୍ରଭାବରେ କୋଭିଡ-୧୯ର ତୃତୀୟ ଲହର ଦ୍ୱିତୀୟ ଲହର ତୁଳନାରେ ଯଥେଷ୍ଟ ଦ୍ରୁତ ଗତିରେ ବୃଦ୍ଧିପାଉଛି । ସାତଦିନର ସଂକ୍ରମଣ ତଥ୍ୟକୁ ଦେଖିଲେ ଜଣାଯିବ ଯେ, ଦେଶରେ ସଂପ୍ରତି ୧,୨୨,୮୦୧ ସକ୍ର୍ରିୟ ସଂକ୍ରମିତ ରହିଛନ୍ତି । ଇତିମଧ୍ୟରେ ଦିଲ୍ଲୀରେ କୋଭିଡ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କଡା କଟକଣା ଲାଗୁ କରାଯାଇଛି ।

Comments are closed.