ଟିକା ନେଇନଥିବା ଲୋକଙ୍କ ପାଇଁ ଓମିକ୍ରନ ବିପଜ୍ଜନକ- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ଜେନେଭା: ଓମିକ୍ରନ ପ୍ରକରଣ କେବଳ ଦ୍ରୁତ ଗତିରେ ବିଶ୍ୱବାସୀଙ୍କୁ ସଂକ୍ରମିତ କରୁନାହିଁ । ଏହା ମଧ୍ୟ କୋଭିଡ-୧୯ର ଅନ୍ୟ ପ୍ରକରଣ ଭଳି ବିପଜ୍ଜନକ । ଏଥିରେ ଆକ୍ରାନ୍ତ ଲୋକ ହାସପାତାଳରେ ଭର୍ତ୍ତି ହେଉଛନ୍ତି । କେତେକଙ୍କର ମୃତ୍ୟୁ ଘଟୁଛି । ତେଣୁ ଏହାକୁ ହାଲୁକା ଭାବରେ ନିଆଯିବା ଅନୁଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍‍ କହିଛନ୍ତି ଯେ ଯେଉଁମାନେ ଟିକା ନେଇନାହାନ୍ତି, ସେମାନଙ୍କ ପାଇଁ ଓମିକ୍ରନ ପ୍ରକରଣ ଅଧିକ ବିପଜ୍ଜନକ ସାବ୍ୟସ୍ତ ହେଉଛି । ତେବେ ଟିକାକରଣ ବ୍ୟାପକ କରାଯିବା ସହିତ କୋଭିଡ କଟକଣାକୁ ପାଳନ କଲେ ଏହି ପ୍ରକରଣର ମଧ୍ୟ ସଫଳତାର ସହିତ ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି ।
ଟେଡ୍ରୋସ କହିଛନ୍ତି, ଓମିକ୍ରନରେ ଆକ୍ରାନ୍ତ ବ୍ୟକ୍ତି କମ୍‍ ଗୁରୁତର ହେଉଥିଲେ ମଧ୍ୟ ଏହା ଏକ ବିପଜ୍ଜନକ ଭୂତାଣୁ ହୋଇ ରହିଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଏଥିପ୍ରତି ଅଧିକ ସଜାଗ ରହିବାକୁ ହେବ । ବିଶ୍ୱର ଅନେକ ସ୍ଥାନରେ ବହୁସଂଖ୍ୟକ ଲୋକ ଏବେ ମଧ୍ୟ ଟିକା ନେଇନାହାନ୍ତି । ଆଫ୍ରିକାରେ ୮୫% ଲୋକ ଏବେ ସୁଦ୍ଧା ପ୍ରଥମ ପାନ ଟିକା ନେଇନାହାନ୍ତି । ତେଣୁ ଟିକାକରଣରେ ରହିଥିବା ତାରତମ୍ୟ ଦୂର କରାନଯିବା ପର୍ଯ୍ୟନ୍ତ ମହାମାରୀର ସଫଳ ମୁକାବିଲା କରାଯାଉଛି ବୋଲି କୁହାଯାଇପାରିବ ନାହିଁ । ସେ ସ୍ମରଣ କରାଇ ଦେଇ କହିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ୨୦୨୧ ସେପ୍ଟେମ୍ବର ସୁଦ୍ଧା ସେମାନଙ୍କ ଜନସଂଖ୍ୟାର ୧୦%, ଡିସେମ୍ବର ସୁଦ୍ଧା ୪୦% ଏବଂ ୨୦୨୨ ମଧ୍ୟଭାଗ ସୁଦ୍ଧା ୭୦% ଲୋକଙ୍କର ଟିକାକରଣ କରିବାକୁ ଦୃଢ ଇଛା ପ୍ରକାଶ କରିଥିଲେ । କିନ୍ତୁ ବିଶ୍ୱର ୯୦ଟି ରାଷ୍ଟ୍ରାରେ ଏପର୍ଯ୍ୟନ୍ତ ଟିକାକରଣ ୪୦%ରେ ପହଞ୍ଚିନାହିଁ । ସେମାନଙ୍କ ମଧ୍ୟରୁ ୩୬% ଏବେ ମଧ୍ୟ ୧୦%ରୁ କମ୍‍ ଟିକାକରଣରେ ରହିଛନ୍ତି ।

Comments are closed.