ମହାରାଷ୍ଟ୍ରରେ ୭, ଗୁଜରାଟରେ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୩୨ କୁ ବୃଦ୍ଧି

ମୁମ୍ବଇ ଧରାବି ବସ୍ତିକୁ ବ୍ୟାପିଲା ଓମିକ୍ରନ, ଆକ୍ରାନ୍ତଙ୍କ ଠାରେ ଗୁରୁତର ଲକ୍ଷଣ ନାହିଁ,ତୁଣ୍ଡି ବାନ୍ଧିବାକୁ ସତର୍କ କରାଇଲେ ସରକାର

ନୂଆଦିଲ୍ଲୀ : ଦେଶରେ କରୋନାର ଓମିକ୍ରନ ପ୍ରଜାତି ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇଛି । ଶୁକ୍ରବାର ମହାରାଷ୍ଟ୍ରରେ ଆଉ ୭ଜଣ ଓ ଗୁଜରାଟରେ ୨ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରର ମୁମ୍ବଇରୁ ୩ଜଣ ଓ ପ୍ରିମ୍ପ୍ରି ଛିଣ୍ଡୱାଡା ମ୍ୟୁନିସିପାଲ ନିଗମ ଅଞ୍ଚଳରୁ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାଦ୍ବାରା ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ପୂର୍ବରୁ ରାଜ୍ୟରେ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ମୁମ୍ବଇରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଧରାବି ବସ୍ତି ଅଞ୍ଚଳର ଜଣେ ବୋଲି ଜଣାପଡିଛି। ସଂକ୍ରମିତ ବୟସ ୪୮ବର୍ଷ। ନିକଟରେ ସେ ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆରୁ ଫେରିଥିଲେ। ବିଏମସି ଅଧିକାରୀଙ୍କ କହିବା ଅନୁଯାୟୀ ତାଙ୍କ ଠାରେ ଏବେ ଲକ୍ଷଣ ନାହିଁ। ତାଙ୍କୁ ଏକାନ୍ତବାସରେ ରଖାଯାଇଛି। କରୋନାର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ମୁମ୍ବଇର ଧରାବି ବସ୍ତି ସଂକ୍ରମଣର କେନ୍ଦ୍ରସ୍ଥଳ ହୋଇଥିଲା। ଏହାଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏଠାରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି। ମୁମ୍ବଇରୁ ଚିହ୍ନଟ ଆଉ ଦୁଇ ସଂକ୍ରମିତ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ଜଣାଯାଇଛି। ଛିଣ୍ଡୱାଡାରେ ଚିହ୍ନଟ ୪ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସାଢ଼େ ୩ବର୍ଷର ଶିଶୁ ରହିଛି ା ଗୁଜରାଟରେ ମଧ୍ୟ ଆଉ ଦୁଇଜଣ କରୋନାର ଓମିକ୍ରନ ପ୍ରଜାତି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଗୁଜରାଟ ଜାମନଗର ମ୍ୟୁନିସିପାଲିଟି ନିଗମ (ଜେଏମସି)ର ସୂଚନା ଅନୁଯାୟୀ ଶୁକ୍ରବାର ଜଣେ ୭୨ବର୍ଷୀୟ ପ୍ରବାସୀ ଭାରତୀୟ (ଏନଆରଆଇ)ଙ୍କ ପତ୍ନୀ ଓ ଜଣେ ସମ୍ପର୍କୀୟ ଓମିକ୍ରନ ପ୍ରଜାତି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଜେଏମ୍‌ସି ଅଧିକାରୀଙ୍କ ସୂଚନା ଅନୁଯାୟୀ ଉଭୟଙ୍କ ସ୍ବାବ ନମୁନାର ଜିନୋମ ସି‌େକ୍ବନ୍ସ ପରୀକ୍ଷାରୁ ଓମିକ୍ରନ ପ୍ରଜାତି ଭୂତାଣୁ ଚିହ୍ନଟ ହୋଇଛି। ସେମାନଙ୍କୁ ଜାମନଗରସ୍ଥିତ ଗୁରୁଗୋବିନ୍ଦ ସିଂହ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନଆରଆଇ ପରିବାର ରହୁଥିବା ଆବାସିକ ଅଞ୍ଚଳକୁ ଜେଏମସି ନିଷିଦ୍ଧାଞ୍ଚଳ ଘୋଷଣା ପୂର୍ବକ ସେଠାକୁ ବାହାର ଲୋକଙ୍କ ଆତଯାତ ବାରଣ କରାଯାଇଛି। ଗୁଜରାଟ ସ୍ବାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ୭୨ବର୍ଷୀୟ ଏନଆରଆଇ ଜଣଙ୍କ ନଭେମ୍ବର ୨୮ରେ ଜିମ୍ବାୱେରୁ ଫେରିଥିଲେ। ଡିସେମ୍ବର ୪ରେ ସେ ଓମିକ୍ରନ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ତାଙ୍କ ପତ୍ନୀ ଓ ଶାଳକ ସଂକ୍ରମିତ ହୋଇଥିଲେ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ୩୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅଧିକାଂଶଙ୍କ ଠାରେ ସେପରି ଗୁରୁତର ଲକ୍ଷଣ ଦେଖାଯାଇ ନାହିଁ। ୩୨ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୧୭, ରାଜସ୍ଥାନରୁ ୯, ଗୁଜରାଟରୁ ୩, କର୍ଣ୍ଣାଟକରୁ ୨ ଓ ଦିଲ୍ଲୀରୁ ଜଣେ ଅଛନ୍ତି। ସେହିପରି ବିଶ୍ବର ୫୯ଟି ଦେଶରେ ଓମିକ୍ରନ ପ୍ରଜାତି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ୨୯୩୬ଜଣ ସଂକ୍ରମିତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି। ଓମିକ୍ରନ ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିଦେଶ ଫେରନ୍ତା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସରକାରଗୁଡିକୁ କହିଛି। ଆଇସିଏମ୍‌ଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ ଓମିକ୍ରନକୁ ନେଇ ଭୟଭୀତ ହେବାର ନାହିଁ। ତେବେ ଏଥିପାଇଁ ଆମକୁ ସତର୍କ ରହିବାକୁ ହେବ। ଲୋକେ ଏବେ ତୁଣ୍ଡି ବାନ୍ଧୁ ନଥିବା ବେଳେ ସରକାର ଏଥିପାଇଁ ଚେତାବନୀ ଦେଇଛନ୍ତି। ତୁଣ୍ଡି ନବାନ୍ଧିବା ଭଳି ଅବହେଳା ଦେଶ ପାଇଁ ବିପଦ ଆଣିଦେଇପାରେ। ତେଣୁ ତୁଣ୍ଡି ବାନ୍ଧିବା ସହିତ ଟିକା ନେବା ଜରୁରୀ। କାରଣ କୌଣସି ପ୍ରକାର ଅବହେଳା ଦେଶ ପାଇଁ ନୂଆ ବିପଦ ଆଣିଦେଇପାରେ। ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି ଯେ ତୁଣ୍ଡି ନ ବାନ୍ଧିବା ଦ୍ବାରା ଆମେ ନିଜକୁ ସଙ୍କଟଜନକ ସ୍ଥିତିରେ ରଖିଛେ। ତୁଣ୍ଡି ବାନ୍ଧିବା ଉପରେ ଗୁରୁତ୍ବ ଦେବାକୁ ସରକାର ଲୋକଙ୍କୁ ଚେତାଇ ଦେଉଛନ୍ତି।

Comments are closed.