ଲୁଚେଇଲେ ଲୁଚୁନି ଓମଫେଡ ଦୁର୍ନୀତି ; ପୁଣି ଆସିଲା ସଫ୍ଟୱେର ‘ସ୍କାମ୍’

ଭୁବନେଶ୍ୱର : କିଛିଦିନର ନିରବତା ପରେ ପୁଣି ଓମଫେଡର ସଫ୍ଟୱେର ଦୁର୍ନୀତି ପଦାକୁ ଆସିଛି। ପୂର୍ବରୁ ଓମଫେଡରେ ପଲିଥିନ୍ ଓ ଗୋଖାଦ୍ୟ ଦୁର୍ନୀତି ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ସଫ୍ଟୱେର କିଣା ବାବଦକୁ ପ୍ରାୟ ୧.୨୬କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି। ଏନେଇ ଦୀର୍ଘ ୩ବର୍ଷ ତଳୁ ଓମଫେଡ଼ ମୁଖ୍ୟ ଧରିଲେଣି, ହେଲେ ତାକୁ କେତେକ ବରିଷ୍ଠ ଅଧିକାରୀଙ୍କ ଚାପରେ ଚାପି ଦିଆଯାଇଛି। ଏମିତିକି ପୂର୍ବତନ ଓମଫେଡ଼ ପରିଚାଳନା ନିର୍ଦେଶକ ବିଶାଳ ଗଗନ ୬ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ପ୍ରୋସିଡିଂ ପାଇଁ ଚିଠା ପ୍ରସ୍ତୁତ କରିଥିଲେ ବି ତାହା କାଗଜକଲମରେ ସୀମିତ ହୋଇ ରହିଯାଇଛି।

ଏଭଳି ଏକ ସାଂଘାତିକ ଘଟଣାକୁ ନେଇ ଏବେ ଲୋକାୟୁକ୍ତରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବିନା ଟେଣ୍ଡରରେ ଓଏସଆଇସି ନାମକ ଏକ ସଂସ୍ଥାକୁ ତତ୍କାଳୀନ ପରିଚାଳନା ନିର୍ଦେଶକ ୧.୨୬କୋଟି ଟଙ୍କାର ଏକ ସଫ୍ଟୱେର କାର୍ୟ୍ୟାଦେଶ ଦେଇଥିଲେ। ଉକ୍ତ ସଂସ୍ଥା ଦୁଗ୍ଧଚାଷୀଙ୍କୁ ଡିବିଟି ଜରିଆରେ ଚାଷୀଙ୍କ ଦେୟ ଦେବାପାଇଁ ସଫ୍ଟୱେର ପ୍ରସ୍ତୁତ କରିଥାନ୍ତେ। ୭ବର୍ଷ ତଳେ ଉକ୍ତ ସଂସ୍ଥାକୁ ସଫ୍ଟୱେର ପ୍ରସ୍ତୁତ ଦାୟିତ୍ୱ ଦିଆଯାଇଥିଲେ ହେଁ ଏପର୍ୟ୍ୟନ୍ତ କାର୍ୟ୍ୟ ଶେଷ ହୋଇନାହିଁ। ଉକ୍ତ ସଂସ୍ଥା ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆରକେଭିୱାଇ) ଅର୍ଥକୁ ବାଟବଣା କରାଯାଇଛି। ଯେଉଁଥି ଲାଗି ୧.୨୬କୋଟି ଟଙ୍କା ନିରର୍ଥକ ହୋଇଛି। ତେଣୁ ଯେଉଁ ୬ଜଣ ଅଧିକାରୀ ଏହି ଅନିୟମିତତା କାର୍ୟ୍ୟ ପାଇଁ ଦାୟୀ କାହିଁକି ସେମାନଙ୍କ ବିରୋଧରେ ସରକାରଙ୍କ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ତତ୍କାଳୀନ ପରିଚାଳନା ନିର୍ଦେଶକ ଶ୍ରୀ ଗଗନ ଦର୍ଶାଇଥିଲେ। ହେଲେ ଏପର୍ୟ୍ୟନ୍ତ ଓମଫେଡ଼ ପକ୍ଷରୁ ସଂପୃକ୍ତ ୬ଜଣ ଅଧିକାରୀଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାବେଳେ ସଂପୃକ୍ତ ସଂସ୍ଥା ସଫ୍ଟୱେୟାର କାର୍ୟ୍ୟ ଶେଷ କରିନାହିଁ। ତେଣୁ ଏତେବଡ଼ ସାଂଘାତିକ ଘଟଣାକୁ ଉଚ୍ଚସ୍ତରୀୟ ତଦନ୍ତ କରି ବିହିତ କାର୍ୟ୍ୟାନୁଷ୍ଠାନ ନେବା ଲାଗି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗକାରୀ ଦର୍ଶାଇଛନ୍ତି।

Comments are closed.