ଅଲିମ୍ପିକ୍‌ସ ଘୁଞ୍ଚିବା ପରେ ଝିଲି ଓ ସ୍ନେହାଙ୍କ ପାଇଁ ସୁଯୋଗ

କଟକ : କରୋନା ମହାମାରୀ ସଂକ୍ରମଣ ପାଇଁ ପ୍ରଭାବିତ ହୋଇଛି ଅଲିମ୍ପିକ୍‌ସ। ୨୦୨୦ ଟୋକିଓ ଅଲିମ୍ପିକ୍‌ସ ସ୍ଥଗିତ ହେବା ସହିତ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ଅଲିମ୍ପିକ୍‌ସ ଏକବର୍ଷ ଘୁଞ୍ଚିବା କାହା ପାଇଁ ଆଶୀର୍ବାଦ ତ ଆଉ କାହା ପାଇଁ ଅଭିଶାପ ମଧ୍ୟ ପାଲଟିଛି। ଏଭଳି ସ୍ଥଳେ ଓଡ଼ିଶାର ଦୁଇ ଯୁବା ଉଦୀୟମାନ ମହିଳା ଭାରୋତ୍ତୋଳକ ଝିଲି ଦଳବେହେରା ଓ ସ୍ନେହା ସୋରେନଙ୍କ ପାଇଁ ସୁଯୋଗ ଆଣିଛି। ଏସିଆନ, ରାଜ୍ୟଗୋଷ୍ଠୀ ଓ ୟୁଥ୍‌ ବିଶ୍ବ ଜୁନିୟର ଭାରୋତ୍ତୋଳନେରେ ଚମକ ପ୍ରଦର୍ଶନ କରିଥିବା ଝିଲି ଓ ସ୍ନେହାଙ୍କ ପାଇଁ ଏବେ ଅଲିମ୍ପିକ୍‌ସ ପ୍ରତିନିଧିତ୍ବ ନେଇ ସୁଯୋଗ ସୃଷ୍ଟି ହୋଇଛି।

ନୟାଗଡ଼ର ଝିଲି ଦଳବେହେରା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ଯୋଗଦେବା ପରେ ଜାତୀୟ ଚମ୍ପିଆନସିପ୍‌ରେ ଭାଗନେଇଥିଲେ। ଜାତୀୟସ୍ତରରେ ଏକାଧିକ ପଦକ ହାସଲ କରିବା ପ​ରେ ୨୦୧୬ରେ ମାଲେସିଆର ପାଲଙ୍ଗରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ରୌପ୍ୟ, ୨୦୧୭ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ୪୮ କିଗ୍ରା ବର୍ଗରେ ସ୍ବର୍ଣ୍ଣ, ୨୦୧୮ ଉଜ୍‌ବେକିସ୍ତାନର ତାସ୍‌କେଣ୍ଟରେ ଆୟୋଜିତ ଜୁନିୟର ଏସିଆନ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ରୌପ୍ୟ,୨୦୧୮ରେ ଉଜ୍‌ବେକିସ୍ତାନର ତାସକେଣ୍ଟରେ ଆୟୋଜିତ ବିଶ୍ବ ଜୁନିୟର ଭାରୋତ୍ତୋଳନ ଚମ୍ପିଆନସିପ୍‌ର ୪୮ କିଗ୍ରା ବର୍ଗରେ ବ୍ରୋଞ୍ଜ, ୨୦୧୯ରେ ଚିନ୍‌ର ନିଙ୍ଗାବୋରେ ଆୟୋଜିତ ଏସିଆନ ଭାରୋତ୍ତୋଳନ ଚମ୍ପିଆନସିପ୍‌ର ୪୫ କିଗ୍ରା ବର୍ଗରେ ରୌପ୍ୟ, ନେପାଳର ପୋଖରାରେ ଆୟୋଜିତ ଦକ୍ଷିଣ ଏସୀୟ କ୍ରୀଡ଼ାରେ ୪୫ କିଗ୍ରା ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବାବେଳେ ଥାଇଲାଣ୍ଡର ପଟାୟାଠାରେ ଆୟୋଜିତ ବିଶ୍ବ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ପତିଆଲା ସାଇ ସେଣ୍ଟରରେ ଅବସ୍ଥାନ କରୁଥିବା ଝିଲି କୁହନ୍ତି, କରୋନା ମହାମାରୀ ପାଇଁ ପତିଆଲା କେନ୍ଦ୍ରରେ ଅଭ୍ୟାସ ବନ୍ଦ ରହିଛି। ଏଠାରେ କେବଳ ଶାରୀରିକ ଅଭ୍ୟାସ କରୁଛି। ଅଲିମ୍ପିକ୍‌ସରେ ଅଂଶଗ୍ରହଣ କରିବା ପ୍ରଥମ ଲକ୍ଷ୍ୟ ରହିଛି। ୨୦୨୦ ଅଲିମ୍ପିକ୍‌ସ ୨୦୨୧କୁ ଘୁଞ୍ଚିବା ପରେ ଯୋଗ୍ୟତା ହାସଲ କରିବା ନେଇ ସୁଯୋଗ ରହିଛି। ଏଥିପାଇଁ ସବୁ ପ୍ରକାର ପରିଶ୍ରମ କରିବାକୁ ପ୍ରସ୍ତୁତ ବୋଲି ଝିଲି କହିଛନ୍ତି। ସେହିପରି ମୟୂରଭଞ୍ଜ ଜିଲାର ଆଦିବାସୀ ବାଳିକା ସ୍ନେହା ମଧ୍ୟ ଭାରତୀୟ ମହିଳା ଭାରୋତ୍ତୋଳନର ନୂଆ ସମ୍ଭାବନା ଭାବେ ଉଭା ହୋଇଛନ୍ତି। ଜାତୀୟ ଚମ୍ପିଆନସିପ୍‌ରେ ଏକାଧିକ ସଫଳତା ପରେ ସ୍ନେହା ୨୦୧୭ରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆୟୋଜିତ ରାଜ୍ୟଗୋଷ୍ଠୀ ଯୁବ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ୪୮ କିଗ୍ରା ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ଚର୍ଚ୍ଚାକୁ ଆସିଥିଲେ। ୨୦୧୯ରେ ସାମୋଆର ଆପିଆରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପ୍‌ର ୫୫କିଗ୍ରା ବର୍ଗରେ ରୌପ୍ୟ, ଥାଇଲାଣ୍ଡର ପଟାୟାରେ ଆୟୋଜିତ ବିଶ୍ବ ଜୁନିୟର ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ଭାଗ ନେଇଥିଲେ। ଓଡ଼ିଶା ଭାରୋତ୍ତୋଳନ ସଂଘର ସମ୍ପାଦକ ନାରାୟଣ ସାହୁ କୁହନ୍ତି, ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା ବହୁତ କଷ୍ଟକର । କିନ୍ତୁ ଟୋକିଓ ଅଲିମ୍ପିକ୍‌ସ ଏକବର୍ଷ ଘୁଞ୍ଚିବା ପରେ ଝିଲି ଓ ସ୍ନେହାଙ୍କ ଯୋଗ୍ୟତା ହାସଲ ନେଇ ସୁଯୋଗ ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

Comments are closed.