ବିନା ଦର୍ଶକରେ ଆୟୋଜିତ ହୋଇପାରେ ଅଲିମ୍ପିକ୍‌ସ

ଟୋକିଓ: ଜାପାନର ଟୋକିଓ ସହରରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ସ ବିନା ଦର୍ଶକଙ୍କ ଉପସ୍ଥିତିରେ ଆୟୋଜିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ହାତଗଣତି ଦିନ ରହିଥିବା ବେଳେ ପ୍ରତିିଦିନ ୧୦ ହଜାର କିମ୍ବା ସିଟ୍ ସଂଖ୍ୟାର ଅଧାର ଦର୍ଶକଙ୍କୁ ଷ୍ଟାଡ଼ିୟମରେ ବସି ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିବ ବୋଲି ଗତମାସରେ ଆୟୋଜକ କମିଟି ନିଷ୍ପତ୍ତି ନେଇଥିଲା। ତେବେ ବର୍ତ୍ତମାନ ଟୋକିଓରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇଥିବାରୁ ବିନା ଦର୍ଶକରେ ଅଲିମ୍ପିକ୍‌ସ ଆୟୋଜନ ପାଇଁ ଆୟୋଜକ କମିଟି ଚିନ୍ତା କରୁଛି।

ପୂର୍ବ ଘୋଷଣା ଅନୁଯାୟୀ ଅନେକ ଦର୍ଶକ ଷ୍ଟାଡ଼ିୟମରେ ଅଲିମ୍ପିକ୍‌ସ ଦେଖିବାକୁ ଟିକଟ କିଣିଥିବା ବେଳେ ସେମାନଙ୍କ ଆଶା ମଉଳି ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଟୋକିଓରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିନା ଦର୍ଶକରେ ଅଲିମ୍ପିକ୍‌ସ ଆୟୋଜନ ସମ୍ଭାବନା ରହିଥିବା ଜାପାନ ପ୍ରଧାନମନ୍ତ୍ରୀ ୟୋସିହାଇଡ୍ ସୁଗା ମତ ଦେଇଥିବାରୁ ଆୟୋଜକ କମିଟି ଏହାକୁ ଗୁରୁତ୍ବର ସହ ନେଇଥିବା ଜଣାପଡ଼ିଛି।

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆୟୋଜକ କମିଟି ସଭାପତି ସିକୋ ହସିମୋଟୋ କହିଛନ୍ତି ଅଲିମ୍ପିକ୍‌ସ ଆରମ୍ଭ ହେବାକୁ ହାତଗଣତି ଦିନ ରହିଥିବା ବେଳେ ଟୋକିଓ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ନିଶ୍ଚିତ ଭାବେ ଚିନ୍ତାଜନକ। ଆଗକୁ ପରିସ୍ଥିତି କିପରି ରହୁଛି ତାହା ଉପରେ ଆୟୋଜକ କମିଟି ନଜର ରଖିଛି। ଆବଶ୍ୟକସ୍ଥଳେ ବିନା ଦର୍ଶକରେ ଅଲିମ୍ପିକ୍‌ସ ଆୟୋଜନ ପାଇଁ ଆୟୋଜକ କମିଟି ପ୍ରସ୍ତୁତ।

Comments are closed.