ଜୁନ୍‍ ଶେଷରେ ଅଲିମ୍ପିକ୍‍ସରେ ଦର୍ଶକ ପ୍ରବେଶର ନିଷ୍ପତ୍ତି

ଟୋକିଓ: ୨୦୨୦ରେ କୋଭିଡ୍‍ ସଂକ୍ରମଣ ଯୋଗୁଁ ଟୋକିଓ ଅଲିମ୍ପିକ୍‍ସକୁ ବର୍ଷେ ସ୍ଥଗିତ ରଖିବା ପରେ ଚଳିତବର୍ଷ ଏହାକୁ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ଆନ୍ତର୍ଜାତିକ ଅଲିମ୍ପିକ୍‍ କମିଟି (ଆଇଓସି)। ଆସନ୍ତା ଜୁଲାଇ ୨୩ରୁ ଏହି କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ତେବେ ଜାପାନରେ ମଧ୍ୟ କୋଭିଡ୍‍ ସଂକ୍ରମଣ ବଢ଼ୁଥିବାରୁ ଜାପାନ ସରକାର ଟୋକିଓ ସହର ଓ କିଛି ଆଖପାଖ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିିତି ଜାରି କରିଛନ୍ତି। ଏହି ଅଲିମ୍ପିକ୍‍ସରେ ବିଦେଶୀ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ ବୋଲି ଆଇଓଏ ନିଷ୍ପତ୍ତି ନେଇସାରିଛି। ତେବେ ସ୍ଥାନୀୟ ଦର୍ଶକ ଷ୍ଟାଡିୟମରେ ପ୍ରବେଶ କରିପାରିବେ କି ନାହିଁ; ତା’ର ନିଷ୍ପତ୍ତି ହୋଇନାହିଁ।

ତେବେ ସମସ୍ତେ ଚାହାଁନ୍ତି ଯେ ଷ୍ଟାଡିୟମ୍‍କୁ ଦର୍ଶକ ଆସନ୍ତୁ। କ୍ରୀଡ଼ାବିତ୍‍ମାନେ ମଧ୍ୟ ଚାହାନ୍ତି ଯେ ଦର୍ଶକଙ୍କ ସମ୍ମୁଖରେ ସେମାନେ ପ୍ରଦର୍ଶନ କରନ୍ତୁ। ଷ୍ଟାଡିୟମ୍‍କୁ ସ୍ଥାନୀୟ ଦର୍ଶକ ଆସିବେ କି ନାହିଁ; ତା’ର ନିଷ୍ପତ୍ତି ଜୁନ୍‍ ଶେଷ ସପ୍ତାହରେ ନିଆଯିବ ବୋଲି ଆଇଓସିର ଉପସଭାପତି ଜନ୍‍ କୋଟ୍‍ସ କହିଛନ୍ତି। ଯଦି ବା ଦର୍ଶକଙ୍କୁ ଷ୍ଟାଡିୟମ୍‍କୁ ଛଡ଼ାଯିବାର ନିଷ୍ପତ୍ତି ନିଆଯାଏ; ତେବେ କେଉଁ ଷ୍ଟାଡିୟମ୍‍ରେ କେତେ ପ୍ରତିଶତ ଦର୍ଶକ ରହିବେ; ତା’ର ନିଷ୍ପତ୍ତି ମଧ୍ୟ ନିଆଯିବ। କରୋନା ସଂକ୍ରମଣ ଯୋଗୁଁ ଏବେ ମଧ୍ୟ ଅର୍ଦ୍ଧାଧିକ ଜାପାନବାସୀ ଅଲିମ୍ପିକ୍‍ସ ଆୟୋଜନ ସପକ୍ଷରେ ନାହାନ୍ତି।

Comments are closed.