ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲକାରୀଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ଜାପାନର ଟୋକିଓରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ସରେ ଭାଗନେବାକୁ ଥିବା ଏବଂ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଥିବା କ୍ରୀଡ଼ାବିତ୍‌ଙ୍କୁ କେନ୍ଦ୍ର ସରକାର କରୋନା ଟିକା ଦେବାକୁ ପ୍ରସ୍ତାବ ଦେଇ ପତ୍ର ଲେଖିଛନ୍ତି ଭାରତୀୟ ବକ୍ସିଂ ମହାସଂଘର ସଭପତି ଅଜୟ ସିଂହ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଓ କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ପତ୍ର ଲେଖି ଅଜୟ ସିଂହ ଦର୍ଶାଇଛନ୍ତି, ଯେଉଁ କ୍ରୀଡ଼ାବିତ୍‌ ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ଏବଂ ଯେଉଁମାନେ ଅଲିମ୍ପିକ୍‌ସ ଯୋଗ୍ୟତା ପ୍ରତିଯୋଗିତାରେ ଭାଗ ନେଉଛନ୍ତି; ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ପ୍ରଦାନ କରାଯିବା ଉଚିତ୍‌। କ୍ରୀଡ଼ାବିତ୍‌ଙ୍କ ସହ ପ୍ରଶିକ୍ଷକ ଓ ବୈଷୟିକ ଅଧିକାରୀଙ୍କୁ କରୋନା ଟିକା ଦେବା ଆବଶ୍ୟକ ବୋଲି ଅଜୟ ଲେଖିଛନ୍ତି। ସୂଚନାଯୋଗ୍ୟ; ୯ଜଣ ଭାରତୀୟ ବକ୍ସର ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ତାରକା ମହିଳା ବକ୍ସର ମେରି କମ୍‌। ଆଉ ୪ଜଣ ଭାରତୀୟ ବକ୍ସର ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ହାସଲ କରିବାର ସମ୍ଭାବନା ରହିଛି। ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ କ୍ରୀଡ଼ାବିତ୍‌ ପୂର୍ବାପେକ୍ଷା ଅଧିକ ପଦକ ଜିତିବାର ସମ୍ଭାବନା ରହିଥିବା ଅଜୟ କହିବା ସହ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବା ଉଚିତ୍‌ ବୋଲି ମତ ଦେଇଛନ୍ତି।

Comments are closed.