ପାରାଲିମ୍ପିକ୍‌ସ ପଦକ ବିଜେତାଙ୍କୁ କ୍ରୀଡ଼ାମନ୍ତ୍ରୀ ଠାକୁରଙ୍କ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ଟୋକିଓ ପାରାଲିମ୍ପିକ୍‌ସରେ ପଦକ ଜିତିଥିବା ସମସ୍ତ ଭାରତୀୟ କ୍ରୀଡ଼ାବିିତ୍‌ଙ୍କୁ ବୁଧବାର ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ଦେଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର। ଏହାସହ ଠାକୁର ଆଶା ରଖିଛନ୍ତି ଯେ ୨୦୨୪ ପ୍ୟାରିସ୍‌ ପାରାଲିମ୍ପିକ୍‌ସରେ ଆମ କ୍ରୀଡ଼ାବିତ୍‌ ଟୋକିଓର ପଦକ ସଂଖ୍ୟାକୁ ମଧ୍ୟ ଟପିଯିବେ। ଟୋକିଓ ପାରାଲିମ୍ପିକ୍‌ସକୁ ଭାରତ ସର୍ବାଧିକ ୫୪ ଜଣ କ୍ରୀଡ଼ାବିତ୍‌ ପଠାଇଥିବା ବେଳେ ସେମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୧୯ଟି ପଦକ ଜିତି ପାରିଛନ୍ତି। ଏହା ପାରାଲିମ୍ପିକ୍‌ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏଥିରେ ଥିଲା ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ। ସମସ୍ତ ପାରାଲିମ୍ପିକ୍‌ସରେ ଭାରତ ମୋଟ ୧୨ଟି ପଦକ ହାସଲ କରିଥିଲା।
ସମ୍ବର୍ଦ୍ଧନା ଉତ୍ସବରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, ୨୦୧୬ ରିଓ ପାରାଲିମ୍ପିକ୍‌ସରେ ଭାରତ ୧୯ ଜଣ ପ୍ରତିଯୋଗୀ ପଠାଇଥିବା ବେଳେ ଏଥର ୧୯ଟି ପଦକ ଜିତିଛି। ଏହାଦ୍ବାରା ତୁମେମାନେ ଦେଖାଇଛ ଯେ ମନୁଷ୍ୟର ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ସବୁଠାରୁ ଅଧିକ ଶକ୍ତିଶାଳୀ। ଆମର ପଦକ ସଂଖ୍ୟା ୪ ଗୁଣ ହୋଇଛି। ପ୍ରଥମଥର ପାଇଁ ଆମେ ଟେବୁଲ ଟେନିସ୍ ଓ ତୀରନ୍ଦାଜୀରେ ପଦକ ଜିତିପାରିଛୁ। ପ୍ରଥମଥର ଖେଳା ଯାଇଥିବା ବ୍ୟାଡ୍‌ମିଣ୍ଟନରେ ଅାମେ ଏକାଧିକ ପଦକ ଜିତିଛୁ। ଆମେ ୨ଟି ବିଶ୍ବ କୀର୍ତ୍ତିମାନର ସମକକ୍ଷ ହୋଇଥିବା ବେଳେ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା କରିଛୁ। ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଲାଗି ଆମ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେବାରେ ସରକାର ବହୁତ ପ୍ରୟାସ କରିଛନ୍ତି। ଆଗକୁ ଆମେ ଆଞ୍ଚଳିକ ଓ ଜାତୀୟ ସ୍ତରରେ ପାରାଲିମ୍ପିକ୍‌ସ ପ୍ରତିଯୋଗିତାର ଆୟୋଜନ କରିବୁ। ପାରାଲିମ୍ପିକ୍‌ସରେ ନୂତନ ଯୁଗର ଆରମ୍ଭ ହୋଇଛି। ଏହି ଉତ୍ସବରେ ଉପସ୍ଥିତ ସମସ୍ତ ପଦକ ବିଜେତା ମଞ୍ଚରେ ବସିଥିଲେ ଏବଂ ଜଣକ ପରେ ଜଣଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଉତ୍ସବରେ କେନ୍ଦ୍ର ଆଇନ୍ ଓ ନ୍ୟାୟ ମନ୍ତ୍ରୀ କିରେନ୍ ରିଜିଜୁ, କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରମାଣିକ, କ୍ରୀଡ଼ା ସଚିବ ରବି ମିତ୍ତଲ, ସାଇର ମହାନିର୍ଦେଶକ ସନ୍ଦୀପ ପ୍ରଧାନ, ଭାରତୀୟ ପାରାଲିମ୍ପିକ୍‌ କମିଟିର ଅଧ୍ୟକ୍ଷା ଦୀପା ମଲିକ ଉପସ୍ଥିତ ଥିଲେ।

Comments are closed.