ଅଲିଭ୍‌ ରିଡଲେଙ୍କ ଅଣ୍ଡାଦାନ ତଦାରଖ ଲାଗି ଗଞ୍ଜାମରେ ୧୧ଟି ଶିବିର; ୩୦ ଟିମ୍ ଗଠନ କଲା ବନ ବିଭାଗ 

ବ୍ରହ୍ମପୁର: ସୁଦୀର୍ଘ ବେଳାଭୂମି ଏବଂ ଶାନ୍ତ ଉପକୂଳ । ଅଲିଭ୍‌ ରିଡଲେ କଇଁଚ୍ଛଙ୍କୁ ସ୍ବାଗତ ପାଇଁ ସତେ ଯେମିତି ପ୍ରସ୍ତୁତ ହୋଇଛି ଗଞ୍ଜାମ ଉପକୂଳ । ଶ୍ରୀଲଙ୍କାରୁ ଆସୁଥିବା ଏହି ବିଦେଶୀ ଅତିଥିଙ୍କ ମିଳନ ଠାରୁ ଆରମ୍ଭ କରି ଅଣ୍ଡାଦାନ ଏବଂ ଛୁଆ ଜନ୍ମ ପର୍ଯ୍ୟନ୍ତ ସମସ୍ତ ପ୍ରାକୃତିକ କାର୍ଯ୍ୟର ମୂକସାକ୍ଷୀ ହେବାକୁ ଅନେଇ ବସିଛି ଋଷିକୂଲ୍ୟା ମୁହାଣ । ବ୍ରହ୍ମପୁର ବନଖଣ୍ଡ ତରଫରୁ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେମାନଙ୍କ ଆଗମନ ଠାରୁ ପ୍ରସ୍ଥାନ ସମୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ବ୍ୟାପକ ପାଟ୍ରୋଲିଂ ସହ ସୁରକ୍ଷିତ ଅଣ୍ଡାଦାନ ଦିଗରେ ନିଆଯାଉଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।
ଉପକୂଳର ପ୍ରାୟ ୫କିମି ଅଞ୍ଚଳରେ ସବୁ ବର୍ଷ ଗଣଅଣ୍ଡାଦାନ ହୋଇଥାଏ । ତାହା ହେଉଛି ଗୋଖରକୁଦା ଠାରୁ ବଟେଶ୍ବର । ଏହାବ୍ୟତୀତ ଆଉ ସାଢ଼େ ୩ କିମି ଅଞ୍ଚଳରେ ମଧ୍ୟ କାଁଭାଁ ଅଣ୍ଡାଦାନ ଦେଖିବାକୁ ମିଳିଥାଏ । ଅଲିଭ୍‌ ରିଡଲେ କଇଁଚ୍ଛମାନେ ଅକ୍ଟୋବର ଏବଂ ନଭେମ୍ବରରେ ଉପକୂଳରେ ପହଞ୍ଚଛନ୍ତି । ସେମାନଙ୍କ ମିଳନ ସେହି ସମୟରେ ହୋଇଥାଏ । ଏହା ପରେ ଫେବୃୟାରରୁ ଏପ୍ରିଲ୍‌ ମଧ୍ୟରେ ଦେଖିବାକୁ ମିଳେ ଗଣ ଅଣ୍ଡାଦାନ । କଇଁଚ୍ଛମାନେ ଉପକୂଳକୁ ଆସି ଅଣ୍ଡା ଦେଇଥାନ୍ତି । ବିଶ୍ବାସ କରାଯାଏ, କଇଁଚ୍ଛ ଯେଉଁ ଉପକୂଳରେ ଜନ୍ମ ହୋଇଥାନ୍ତି, ସେମାନେ ସେହି ଉପକୂଳରେ ହିଁ ଅଣ୍ଡାଦାନ ପାଇଁ ପସନ୍ଦ କରିଥାନ୍ତି । ଅଣ୍ଡାଦାନ ପରେ ସେମାନେ ଫେରିଯା’ନ୍ତି । ଅଣ୍ଡାଗୁଡ଼ିକ ବାଲି ତଳେ ପୋତି ହୋଇଥାଏ । ସେଥିରୁ ଛୁଆ ଜନ୍ମ ନିଅନ୍ତି । ମେ’ ଏବଂ ଜୁନ୍‌ ମାସରେ ଛୁଆଁ ଜନ୍ମ ହୋଇଥାନ୍ତି । ବର୍ତ୍ତମାନ କଇଁଚ୍ଛଙ୍କ ମିଳନ ପ୍ରକ୍ରିୟା ଚାଲିଛି । ସେମାନଙ୍କ ସୁରକ୍ଷା ପ୍ରତି ବନ ବିଭାଗ ବିଶେଷ ଧ୍ୟାନ ଦେଉଛି । ଗତ ନଭେମ୍ବର ପହିଲା ଠାରୁ ସମୁଦ୍ର ଭିତରେ ମାଛମରା କଟକଣା ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି । ଏହି ସଂପୂର୍ଣ୍ଣ ପ୍ରକ୍ରିୟାରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ସଂପୃକ୍ତ କରାଯାଇଥାଏ । କଟକଣା ଜାରି ପୂର୍ବରୁ ଏନେଇ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ମଧ୍ୟ ହୋଇସାରିଛି ।
ଉପକୂଳରେ ବନ ବିଭାଗ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ କହିବାନୁଯାୟୀ, ବର୍ତ୍ତମାନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଛି । ପ୍ରତିଦିନ ଗୋଟିଏ ଟିମ୍‌କୁ ପାଟ୍ରୋଲିଂରେ ନିୟୋଜିତ କରାଯାଉଛି । ମାସିକ ୩୦ଦିନ ପାଇଁ ୩୦ଟି ଟିମ୍‌ ଗଠନ ହୋଇଛି । ପ୍ରତି ଟିମ୍‌ରେ ୧୦ରୁ ୧୨ଜଣ କର୍ମଚାରୀ ରହୁଛନ୍ତି । ଉପକୂଳରେ ୧୧ଟି କ୍ୟାମ୍ପ ପ୍ରତିଷ୍ଠା କରାଯାଇ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି । କଇଁଚ୍ଛ ଏଣେତେଣେ ଅଣ୍ଡାଦାନ କରୁଥିବା ଯୋଗୁ ସେଗୁଡ଼ିକର ଫାଟିଯିବା ଆଶଙ୍କା ରହୁଛି । ଏଣୁ ୮ଟି ହାଚେରି ମଧ୍ୟ ନିର୍ମାଣ କରାଯାଇଛି । ଏହି ହାଚେରିକୁ ଚାରିପଟୁ ଜାଲବାଡ଼ରେ ବେଢ଼ାଯାଇଛି । ହାଚେରି ଭିତରେ ଅଣ୍ଡାଗୁଡ଼ିକୁ ନେଇ ରଖାଯିବ । ଯାହାଫଳରେ ଅଣ୍ଡା ସୁରକ୍ଷା ରହିବା ସହ ଛୁଆମାନେ ମଧ୍ୟ ସୁରକ୍ଷିତ ରହିବେ । ଅଲିଭ୍‌ ରିଡେଲ କଇଁଚ୍ଛ ଆମ ଅତିଥି ହୋଇଥିବାରୁ ସେମାନଙ୍କ ସୁରକ୍ଷା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିରେ ସ୍ଥାନୀୟ ବାସିନ୍ଦାଙ୍କୁ ସାମିଲ୍‌ କରାଯାଉଛି । ସେମାନଙ୍କ ସହ ନିୟମିତ ବୈଠକ ବସି ଯୋଜନା ପ୍ରସ୍ତୁତ ହେଉଛି । ଆଗାମୀ ଦିନରେ ଅଡିଓ ଏବଂ ଭିଡ଼ିଓ ମାଧ୍ୟମରେ କଇଁଚ୍ଛଙ୍କ ସୁରକ୍ଷା ସଂପର୍କରେ ବ୍ୟାପକ ପ୍ରଚାର କରାଯିବ ବୋଲି ସେ କହିଛନ୍ତି । ଗତ ବର୍ଷ ୩ଲକ୍ଷ ୨୩ହଜାର ୬୨ଟି ଅଲିଭ୍‌ ରିଡଲେ କଇଁଚ୍ଛ ଅଣ୍ଡାଦାନ ପାଇଁ ଉପକୂଳକୁ ଆସିଥିଲେ । ଚଳିତ ବର୍ଷ ଏହି ସଂଖ୍ୟା ବଢ଼ିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Comments are closed.