ଚଳିତ ପ୍ରଜନନ ଋତୁରେ ଅଲିଭ୍‍ ରିଡ୍‍ଲେ କଇଁଛର ସଂରକ୍ଷଣ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି, ନଭେମ୍ବର ୧ରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ମାଛ ଧରା ନିଷେଧ ସମୟ

  • ଅଲିଭ୍‍ ରିଡ୍‍ଲେ ସୁରକ୍ଷାରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି-ମୋନା ଶର୍ମା
  • ୬୬ଟି ପେଟ୍ରୋଲିଂ କ୍ୟାମ୍ପ କରାଯିବ, ୧୦,୬୬୬ ପରିବାର ପାଇବେ ସହାୟତା
    ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଅଲିଭ୍‍ ରିଡ୍‍ଲେ କଇଁଛଙ୍କ ପ୍ରଜନନ ସମୟରେ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ବ୍ରଶପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି। ଏଥି ନିମନ୍ତେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.ମୋନା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଷମତା ସମ୍ପନ୍ନ କମିଟିର ବୈଠକରେ ସବିଶେଷ ଆଲୋଚନା ହୋଇଥିଲା।
    ଅଲିଭ୍‍ ରିଡ୍‍ଲେର ବଂଶ ବୃଦ୍ଧି, ସୁରକ୍ଷା ଏବଂ ସଂରକ୍ଷଣରେ ଓଡ଼ିଶା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଚଳିତ ବର୍ଷ ଏହା ବଜାୟ ରଖିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଶର୍ମା ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦେଶ ଦେଇଥିଲେ। ସ୍ଥାନୀୟ ବାସିନ୍ଦା ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ସକ୍ରିୟ ଭାବେ ସାମିଲ କରି ଏହି କାଯ୍ୟକ୍ରମକୁ ଏକକ ଅଭିଯାନର ରୂପ ଦେବାକୁ ସେ ପରାମର୍ଶ ଦେଇଥିଲେ। ଓଡ଼ିଶା ଉପକୂଳରେ ଅଲିଭ୍‍ ରିଡ୍‍ଲେ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର କଇଁଛମାନଙ୍କର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ସାଟେଲାଇଟ୍‍ ମାଧ୍ୟମରେ ସେମାନଙ୍କର ଗତିବିଧି ସମ୍ବନ୍ଧିତ ତଥ୍ୟ ସଂଗ୍ରହ କରିବାକୁ ଡ.ଶର୍ମା ବୈଠକରେ ଉପସ୍ଥିତ ଭାରତୀୟ ବନ୍ୟ ଜନ୍ତୁ ପ୍ରତିଷ୍ଠାନର ବିଶଷଜ୍ଞ ଡ.କେ.ଶିବ କୁମାରଙ୍କୁ ପରାମର୍ଶ ଦେଇଥିଲେ।
    ପ୍ରଧାନ ବନ ସଂରକ୍ଷକ(ବନ୍ୟଜନ୍ତୁ) ଡ.ହରି ଶଙ୍କର ଉପାଧ୍ୟାୟ କହିଥିଲେ ଯେ ଓଡ଼ିଶାର ଗହୀର ମଥା ଉପକୂଳ ପୃଥିବୀର ଏକ ସର୍ବବୃହ କଇଁଛ ପ୍ରଜନନ ଉପକୂଳ। ଏହାର ସୁରକ୍ଷା ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆରଇଥିବା ପଦକ୍ଷେପର ଜାତୀୟ ଏବଂ ଆନ୍ତର୍ଜାତିକ ଗୁରୁତ୍ୱ ରହିଛି। ଓଲିଭ୍‍ ରିଡ୍‍ଲେ ବିଶଷଜ୍ଞ ଡ.ପ୍ରିୟମ୍ବଦା ମହାନ୍ତି(ହେଜ୍‍ମାଦୀ) କହିଥିଲେ ଯେ ଓଡ଼ିଶା ହେଉଛି ଏକ ଅଗ୍ରଗଣ୍ୟ ରାଜ୍ୟ ଯେଉଁଠି ଅଲିଭ୍‍ ରିଡ୍‍ଲେ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ୱିତ ଭାବେ ଲଗାତାର କାମ କରିଚାଲିଛନ୍ତି।
    ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.ଶର୍ମା ଜଙ୍ଗଲ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଗୃହ ଏବଂ ତଟ ସୁରକ୍ଷା ବାହିନୀ ଆଦି ବିଭାଗଙ୍କୁ ପରସ୍ପର ସହ କ୍ଷେତ୍ରସ୍ତରୀୟ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ। କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଡିଆର୍‍ଡିଓ ଏବଂ ଉପକୂଳବର୍ତ୍ତୀ ୩ଟି ବନ୍ଦର କର୍ତ୍ତୃପକ୍ଷମାନେ ସଂରକ୍ଷଣ ନିୟମକୁ କଡ଼ାକଡ଼ି ଅନୁପାଳନ କ୍ରିବା ସହ ରାତ୍ରୀସମୟରେ ତୀବ୍ର ଆଲୋକ ରଶ୍ମିକୁ ଅବନ କରିବା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ। ତୀବ୍ର ଆଲୋକ ରଶ୍ମି ଓଲିଭ୍‍ରିଡ୍‍ଲେ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ଥିବାରୁ ଆଲୋକ ରଶ୍ମି ନିୟମ୍‍ତ୍ରିତ କରିବାକୁ କୁହାଯାଇଥିଲା।
    ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‍ ମୋଡ୍‍ରେ ଅନୁଷ୍ଠିତ ଏହି ବୈଠକରେ ପିସିସିଏଫ୍‍ ଡ.ଉପାଧ୍ୟାୟ କଇଁଛ ସଂରକ୍ଷଣ ସମ୍ବନ୍ଧିତ ପ୍ରଶାସନିକ, ଆର୍ଥିକ ଓ ଆଇନଗତ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ଡ. ଉପାଧ୍ୟାୟ ଜଣାଇଥିଲେ ଯେ ୨୦୧୯-୨୦ ବର୍ଷରେ ବିଭିନ୍ନ ବିଭାଗମାନଙ୍କର ସମ୍ବନ୍ଧିତ ପ୍ରଚେଷ୍ଟା ମାଧ୍ୟମରେ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଥିଲା। ଫଳରେ ୨୦୧୯-୨୦ ବର୍ଷରେ ପ୍ରାୟ ୭.୩୦ଲକ୍ଷ କଇଁଛ ଅଣ୍ଡା ଦେଇଥିଲେ। ୨୦୧୮-୧୯ରେ ଏହା ୪.୫୧ ଲକ୍ଷ ଥିଲା। ସେହିପରି ବିଭିନ୍ନ କାରଣୁ କଇଁଛ ମୃତ୍ୟୁ ୨୦୧୫-୧୬ରେ ୬୯୮୮ ଥିବାବେଳେ ୨୦୧୮-୧୯ ବର୍ଷରେ ଏହାକୁ ୩୫୧୮କୁ କମାଯାଇ ପାରିଥିଲା। ଚଳିତ ବର୍ଷ ଏହି ମୃତ୍ୟୁହାର ଆହୁରି କମାଇବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.ଶର୍ମା ନିର୍ଦେଶ ଦେଇଥିଲେ।
    ଚଳିତ ପ୍ରଜନନ ଋତୁ ନିମନ୍ତେ ୧ ନଭେମ୍ବର ୨୦୨୦ରୁ ୩୧ ମେ’ ୨୦୨୧ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଁଣ ନିକଟରେ ସମୁଦ୍ର ଉପକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳ ମଧ୍ୟରେ ମାଛମରା ନିଷେଧ ଜାରି ରଖିବା ପାଇଁ ନିଷ୍ପ୍‍ତ୍ତି ହୋଇଥିଲା। ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରା ନିଷେଧ ହେବ। ବିନା ମଟର ବୋଟ୍‍ରେ ପାରମ୍ପରିକ ଢଙ୍ଗରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନଙ୍କୁ ଅଯଥାରେ ଅସୁବିଧାରେ ନପକାଇବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.ମୋନା ଶର୍ମା ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦେଶ ଦେଇଥିଲେ। ନିଷେଧ ଯୋଗୁ ପ୍ରଭାବିତ ପ୍ରାୟ ୧୦,୬୬୬ ମତ୍ସ୍ୟଜିବୀ ପରିବାରଙ୍କୁ ୭୫୦୦ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ସ୍ଥିର କରାଯାଇଥିଲା।
    ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ସଂରକ୍ଷଣ ଓ ସୁରକ୍ଷା କାର୍ଯ୍ୟ ଯୋଜନା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।ଏଥିପାଇଁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ୬୧ଟି ‘ଅନ୍‍ ସୋର୍‍’ ଏବଂ ୫ଟି ‘ଅଫ୍‍ ସୋର୍‍’ ଏହିପରି ୬୬ଟି ପେଟ୍ରୋଲିଂକ୍ୟାମ୍ପ କରାଯିବ। ଏପିଆର୍‍ ପୁଲିସ, କୋଷ୍ଟଗାର୍ଡ, ପେଟ୍ରୋଲିଂ ସିପ୍‍ ଏବଂ ସାମୁଦ୍ରିକ ଥାନାମାନଙ୍କ ମଧ୍ୟରେ ସୂଚନା ଦେଣନେଣ ପ୍ରକ୍ରିୟାକୁ ଅଧିକ ନିୟମିତ ଏବଂ ଲକ୍ଷ୍ୟଭେଦୀ କରାଯିବ। ସ୍ଥାନୀୟ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ପ୍ରକୃତି ପ୍ରେମୀ ବ୍ୟକ୍ତି ବିଶେଷଙ୍କୁ ଏଥିରେ ସାମିଲ କରି ଊପକୂଳରେ ଓଲିଭ୍‍ ରିଡ୍‍ଲେ ଅଣ୍ଡାର ସୁରକ୍ଷା ସହ ଛୁଆ ଫୁଟିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରକୁ ଛାନିବା କାର୍ଯ୍ୟ କରାଯିବ।
    ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ପ୍ରମୁଖ ପ୍ରଧାନ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଶାସନ ସଚିବ ଆର୍‍ ରଘୁ ପ୍ରସାଦ, ବନ୍ୟଜନ୍ତୁ ପ୍ରଧାନ ମୁଖ୍ୟ ସାରକ୍ଷକ ଡ.ହରିଶଙ୍କର ଉପାଧ୍ୟାୟ, ବିଶେଷଜ୍ଞ ଡ.ପ୍ରିୟମ୍ବଦା ମହାନ୍ତି ହେଜ୍‍ମାଦୀ, ବନ୍ୟଜନ୍ତୁ ସରକ୍ଷଣ ଅନୁଷ୍ଠାନର ନିର୍ଦେଶକ ସମେତ ଡିଆର୍‍ଡିଓ, ଆଇଟିଆର୍‍, ଧାମରା, ଗୋପାଳପୁର ଏବଂ ପରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.