ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡରେ କଇଁଛ ଗଣନା ଶେଷ

ଧାମରା : ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ରାଜନଗର ବନ୍ୟପ୍ରାଣୀ ବନଖଣ୍ଡର ମିଳିତ ସହଯୋଗରେ କଇଁଛ ଗଣନା କାର୍ଯ୍ୟ ଶେଷ ହୋଇଛି। ଗତ ୯ ତାରିଖରୁ ଏହା ଆରମ୍ଭ ହୋଇ ୩୧ ତାରିଖରେ ଏହା ଶେଷ ହୋଇଥିଲା। ଏସିଆ ମହାଦେଶର ସର୍ବବୃହତ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା (ନାସୀ)ରେ ଅଛି। ଗତବର୍ଷ ୨୦୧୯-୨୦ ମସିହାରେ ଏହି ସ୍ଥାନରେ ୪ଲକ୍ଷ ୭ହଜାର ୨ଶହ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ଥିବା ବେଳେ ଚଳିତ ବର୍ଷ ଏହାର ପରିମାଣ କମି ଯାଇଛି। ୨୦୨୦-୨୧ରେ ସମୁଦାୟ ୩ ଲକ୍ଷ ୪୯ହଜାର ୬୨୫ଟି ଅଲିଭରିଡଲେ କଇଁଛ ଏହି ସ୍ଥାନକୁ ଅଣ୍ଡା ଦେବାକୁ ଆସିଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ବର୍ତମାନ ସମୟରେ ଏହି ଅଲିଭ ରିଡଲେ କେଉଁ ମହାଦେଶରୁ ଆସି ପୁନଶ୍ଚ କେଉଁଠିକି ଫେରନ୍ତି ତାହାର ଆକଳନ କରିବା ସମ୍ଭବ ହୋଇ ପାରି ନାହିଁ। ଫଳରେ ଏହି କଇଁଛ ମାନଙ୍କର ଜୀବନ ଶୈଳୀ ଆଜି ଭଳି ଦିନରେ ଏକ କୁହେଳିକା ସୃଷ୍ଟି କରିଛି। ଚଳିତ ବର୍ଷ ଏହି କଇଁଛମାନଙ୍କ ଗତିବିଧିକୁ ନଜର ରଖିବା ପାଇଁ କଛି କଇଁଛ ମାନଙ୍କୁ ଟ୍ୟାଗ କରିଥିବା ଜଣାଯାଇଛି ଏହା ଫଳରେ ଏହି କଇଁଛ ମାନେ କେଉଁ କେଉଁ ଅଞ୍ଚଳ ଦେଇ କେଉଁଠାକୁ ଯାଉଛନ୍ତି ତାହାର ଗତିବିଧି ନଜର କରାଯାଇ ପାରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଗଣ ଅଣ୍ଡାଦାନ ପ୍ରକ୍ରିୟା ଗହୀର ମଥା ନାସି ଠାରେ ହୋଇଥିବା ବେଳେ ଏଥର ନୂତନ ଭାବରେ କିଛି କଇଁଛ କନିକା ଦ୍ୱୀପକୁ ଆସିଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ପ୍ରତିକୂଳ ପାଗ ପାଇଁ ଏହି କଇଁଛ ମାନଙ୍କ ସଂଖ୍ୟା କମିଥିବା ଆଶା କରାଯାଉଛି। ଏହି ଅଲିଭ ରିଡଲେ କଇଁଛ ମାନଙ୍କର ଅଣ୍ଡା ଦାନ ପରେ ୪୫ ଦିନ ପର୍ଯ୍ୟନ୍ତ ଏହି ଅଣ୍ଡା ଉପରେ ତୀକ୍ଷଣ ନଜର ରଖା ଯାଇଥାଏ। ୪୫ ଦିନ ପରେ ଅଣ୍ଡାରୁ ଛୁଆ ଫୁଟିବା ପରେ ଏହି ଶାବକ କଇଁଛ ମାନେ ସମୁଦ୍ର ଆଡକୁ ଆଗଭର ହୋଇଥାନ୍ତି। ଏହି କଇଁଛ ମାନଙ୍କ ଅଣ୍ଡାଦନ, ଗଣନା ଏବଂ ସୁରକ୍ଷା ପାଇଁ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଭାବରେ ଗହୀରମଥାର ଚର୍ତୁପାଶ୍ୱରେ ବେସ କ୍ୟାମ୍ପ କରି କଇଁଛ ମାନଙ୍କ ଉପରେ ନଜର ରଖିଥାନ୍ତି।

Comments are closed.