ସରକାରୀ ଯୋଜନା ବାଟବଣା; ଅସହାୟ ଅବସ୍ଥାରେ ବୃଦ୍ଧା, ଭଙ୍ଗା କୁଡିଆରେ ବିତୁଛି ଜୀବନ

ହରଭଙ୍ଗା :  ସରକାର ଗରିବ କଲ୍ୟାଣ ଯୋଜନାରେ ଜନ୍ମ ଠାରୁ ମୃତ୍ୟୂ ପର୍ଯ୍ୟନ୍ତ ମାଳ ମାଳ ଜନହିତକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏତେ ସବୁ ଯୋଜନା ସତ୍ୱେ ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତର ନୂଆପଡା ଗ୍ରାମର ବାସିନ୍ଦା ଦୁଲଣା କହଁର (୮୬) ଭଳି ଜଣେ ଗରିବ ଅସହାୟ ବୃଦ୍ଧା ବୟସର ଅପରାହ୍ନରେ ଏକାକୀ ଝାଟିମାଟି ପଲିଥିନ ଟଣା ଭଙ୍ଗା କୁଡିଆଘରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯୋଗ୍ୟ, ବୀରନରସିଂହପୁର ନୂଆପଡା ଗ୍ରାମର ଦୁଲଣା କହଁରଙ୍କ ସ୍ୱାମୀ/ପିଲା, ଛୁଆ କେହି ନାହାଁନ୍ତି। ସ୍ୱାମୀ ଚାଲିଗଲା ପରେ ଏକାକୀ ବିଧବା ଅବସ୍ଥାରେ ଏହି ଅସହାୟ ବୃଦ୍ଧା ଜଣଙ୍କ ମାସିକ ଭତା ଟଙ୍କାରେ ଚଳୁଛନ୍ତି। ଘର ଛପର ପାଇଁ ସମ୍ବଳ ନଥିବାରୁ ନୁଆଁଣିଆ ଚାଳଘରର ମାଟି କାନ୍ଥ ଲଗାଣ ବର୍ଷା ପାଣିରେ ଭାଙ୍ଗି ଗଲାଣି। ଏଭଳି ଅବସ୍ଥାରେ ଘର କାନ୍ଥ ଏବଂ ଛପର ଉପରେ କଳାପଲିଥିନ ଟାଣି ବୃଦ୍ଧା ଜଣଙ୍କ ଏକାକୀ ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି। ଗ୍ରାମୀଣ ଆବାସରେ ସମସ୍ତ ଗରିବ ହିତାଧିକାରୀଙ୍କୁ ପକ୍କା ଘର ପ୍ରଦାନ କରାଯାଉଥିବାବେଳେ ଦୁଲଣାଙ୍କ ପାଇଁ ଏହି ଯୋଜନା ସାତ ସପନ ହୋଇ ରହିବ। ସରକାରୀ ଯୋଜନାର ବିଫଳତାକୁ ପଦାରେ ପକାଇଛି। ତୁରନ୍ତ ଦୁଲଣାଙ୍କୁ ଅଗ୍ରାଧିକାର ଭିତିରେ ଘର ଖଣ୍ଡିଏ ଯୋଗାଇବାକୁ ସାଧାରଣରେ ଦାବୀ ହୋଇଛି।

Comments are closed.