ଆଧାର କାର୍ଡ ସଂଯୋଗ ନଥିବା ଯୋଗୁଁ ଦେଢ଼ ବର୍ଷରୁ ଉର୍ଦ୍ଧ୍ଵ ହେବ ଚାଉଳ ପାଇବାରୁ ବଞ୍ଚିତ ଦୃଷ୍ଟିହୀନ ବୃଦ୍ଧ ବ୍ରଜମାଳି 

ନବରଙ୍ଗପୁର: ବାସହୀନ ଗରିବ ଓ ଭିନ୍ନକ୍ଷମମାନଙ୍କ ପାଇଁ ସରକାରଙ୍କ ରହିଛି ମାଳମାଳ ଯୋଜନା । ଖାଦ୍ୟ ସୁରକ୍ଷା ଯୋଜନାରେ ବିନା ମୂଲ୍ୟରେ ଚାଉଳ, ମାସିକ ଭତ୍ତା ଓ ଆବାସ ଯୋଗାଇ ଦିଆଯାଉଥିବା ବେଳେ ଗରିବ ବେସାହାରା ପାଇଁ ଉଦ୍ଧିଷ୍ଟ ଲୋକାଭିମୁଖୀ ଯୋଜନା ବାସ୍ତବରେ ସେମାନଙ୍କ ହାତ ପାହାନ୍ତାରେ ପହଞ୍ଚି ପାରୁନାହିଁ । ଏହା କେବଳ ପ୍ରଚାର ପ୍ରସାର ମଧ୍ୟରେ ସୀମିତ ହୋଇ ରହିଯାଉଛି । ଏପରି ଦୁଖଦଃ ଘଟଣା ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଭାଲୁ୍ଝର ଗ୍ରାମରେ । ଦୀର୍ଘ ୧୭ ମାସ ହେବ ଦୃଷ୍ଟିହୀନ ବ୍ରଜ ମାଳି ଖାଦ୍ୟ ସୁରକ୍ଷା ଯୋଜନାରେ ମୁଠାଏ ବି ଚାଉଳ ପାଇନାହାନ୍ତି । ଏମିତିକି ତାଙ୍କୁ ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ହେବାକୁ ପଡିଛି ।

ବ୍ରଜ ମାଳିଙ୍କ ପାଖରେ ଆଦୌ ଆଧାରକାର୍ଡ଼ ହିଁ ନାହିଁ । ସରକାର ଆଧାରକାର୍ଡ କୁ ବାଧ୍ୟତାମୂଳକ କରିଥିବାରୁ ବ୍ରଜ ମାଳିଙ୍କୁ ସରକାର ଙ୍କର ସମସ୍ତ ଯୋଜନାରୁ ବାଦ ଦିଆଯାଇଛି । ଏଥିପାଇଁ ବ୍ରଜ କ୍ଷବ ପ୍ରକାଶ କରିଛନ୍ତି । ତାଙ୍କ ପରିବାର କହିଲେ ମୋଟ ପାଞ୍ଚ ପ୍ରାଣୀ କୁଟୁମ୍ବ । ପରିବାର ର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ସେ ଜଣେ ଦିବ୍ୟାଙ୍ଗ । ତେବେ ଅନ୍ତୋଦ୍ୟୋୟ ଯୋଜନାରେ ତାଙ୍କୁ ସାମିଲ କରାଯିବ କଥା । ହେଲେ ତାହା ହୋଇପାରିନି । ଆଧାରକାର୍ଡ ସଂଯୋଗ ହାଇ ପାରିନଥିବାରୁ ମାସିକ ଚାଉଳ ପାଇବା ସାତ ସପନ ପାଲଟିଛି ବ୍ରଜ ଙ୍କ ପାଇଁ । ସେହିପରି ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ଆବାସ ଯୋଜନାରେ ସାମିଲ କରି କାର୍ୟ୍ୟାଦେଶ ଦିଆଯିବା କଥା, ତାହା ବି ମିଳିପାରିନାହିଁ । ଝାଟିମାଟି କୁଡ଼ିଆ ଘରେ ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି । ଦିନରେ ମଧ୍ୟ ତାଙ୍କ ଘରେ ଚନ୍ଦ୍ର ଆଉ ତାର ଦେଖା ଯାଏ । ପଲିଥିନ ତଳେ ତାଙ୍କ ପରିବାର ଖରା ବର୍ଷା ଶୀତ କାକରରେ ମଧ୍ୟ ଆଶ୍ରୟ ନେବାପାଇଁ ବାଧ୍ୟ ହେଉଛନ୍ତି । ଚାରିଖଣ୍ଡ କାଠରେ ମାଟି ଲେପି ମୁଣ୍ଡ ଉପରେ ପଲିଥିନ ଦେଇ ଝୁପୁଡି ଘରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବ୍ରଜ । ସରକାରଙ୍କ ଯୋଜନା ଯେପରି କି ବ୍ରଜଙ୍କ ପାଇଁ ଉପହାସ ପାଲଟିଛି । ଆବାସ ଯୋଜନାରେ ବହୁ ଥିଲାବାଲା ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଘର ହାତେଇ ନେଉଥିବା ବେଳେ ନଥିଲାଵାଲା ଡହଳ ବିକଳ ହୋଇ ଘର ଖଣ୍ଡିଏ ପାଇଁ ଚାହିଁ ରହୁଛନ୍ତି । ପଞ୍ଚାୟତ କାର୍ୟ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କାର୍ୟ୍ୟାଳୟର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ବି କେହି ତାଙ୍କ ଦୁଃଖ ବୁଝୁନଥିବା କହିଛନ୍ତି ବ୍ରଜ । ବ୍ରଜଙ୍କୁ ସବୁ ସମୟରେ ସାହାଯ୍ୟ କରିଥାନ୍ତି ତାଙ୍କ ଛଟ ପୁଅ ସୁନୀଲ । ବ୍ରଜଙ୍କୁ ଶୀଘ୍ର ଆଧାରକାର୍ଡ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଅନ୍ୟପଟେ ଏହି ସମସ୍ୟାର ଯଦି ଶୀଘ୍ର ସମାଧାନ ନ ହୁଏ ତାହେଲେ ସ୍ବପରିବାର ସହ ଆତ୍ମହତ୍ୟା କରିବୁ ବୋଲି ଧମକ ଦେଇଛନ୍ତି ବ୍ରଜ । ଏନେଇ ଆମ ପ୍ରତିନିଧି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ପଚାରିବାରୁ ସେ ଏହି ବିଷୟରେ ଅବଗତ ନଥିବା କହିଛନ୍ତି । ଅତିଶୀଘ୍ର ବ୍ରଜଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.