ଟୋକିଓ ଅଲିମ୍ପିକ୍‌ସ: ହାନ୍ନା ବୟୋଜ୍ୟେଷ୍ଠ; ଜାଜା ସର୍ବକନିଷ୍ଠ

ଟୋକିଓ: ଟୋକିଓ ଅଲିମ୍ପିକ୍‌ସରେ ଅଷ୍ଟ୍ରେଲିଆର ୬୬ ବର୍ଷ ବୟସ୍କା ଅଶ୍ବଚାଳିକା ମ୍ୟାରୀ ହାନ୍ନା ବୟୋଜ୍ୟେଷ୍ଠ ଓ ୧୨ ବର୍ଷ ବୟସ୍କ ସିରିୟାର ଟେବୁଲ୍‌ ଟେନିସ୍‌ ଖେଳାଳି ହେଣ୍ଡ୍‌ ଜାଜା ସର୍ବକନିଷ୍ଠ ପ୍ରତିଯୋଗୀ। ୬୬ ବର୍ଷ ବୟସ୍କା ମ୍ୟାରୀ ହାନ୍ନା ଅଲିମ୍ପିକ୍‌ ଇତିହାସରେ ୨ୟ ବୟୋଜ୍ୟେଷ୍ଠ ଖେଳାଳି। ୧୯୭୨ ଅଲିମ୍ପିକ୍‌ସରେ ବ୍ରିଟେନ୍‌ର ଲୋର୍ନା ଜନ୍‌ଷ୍ଟୋନ୍‌ ବୟୋଜ୍ୟେଷ୍ଠ ଖେଳାଳିର ମାନ୍ୟତା ପାଇଛନ୍ତି। ମାତ୍ର ୪ ବର୍ଷ ବୟସରୁ ଅଶ୍ବଚାଳନା କରୁଥିବା ଅଷ୍ଟ୍ରେଲିଆର ମ୍ୟାରୀ ହାନ୍ନା ତାଙ୍କର ୭ମ ଅଲିମ୍ପିକ୍‌ସରେ ଭାଗନେବାକୁ ଯାଉଛନ୍ତି।

ଅଷ୍ଟ୍ରେଲିଆର ଆଉ ଜଣେ ଅଶ୍ବଚାଳକ ଆଣ୍ଡରୁ ହୟ ୬୨ ବର୍ଷ ବୟସରେ ଟୋକିଓ ଅଲିମ୍ପିକ୍‌ସରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି। ୧୨ ବର୍ଷ ବୟସ୍କ ସିରିୟାର ହେଣ୍ଡ୍‌ ଜାଜା ଟୋକିଓ କ୍ରୀଡ଼ାର ସର୍ବକନିଷ୍ଠ ପ୍ରତିଯୋଗୀ। ପୁଣି ଅଲିମ୍ପିକ୍‌ ଇତିହାସରେ ପ୍ରଥମ ଟେବୁଲ୍‌ ଟେନିସ୍‌ ଖେଳାଳି ଭାବେ ଜାଜା ଅଲିମ୍ପିକ୍‌ସରେ ଭାଗନେବାକୁ ଯାଉଛନ୍ତି। ଜାଜାଙ୍କଠାରୁ କେଇ ମାସ ବଡ଼ ଜାପାନର ୧୨ ବର୍ଷ ବୟସ୍କା କୋକୋନା ହିରାକି ଟୋକିଓ ଅଲିମ୍ପିକ୍‌ସର ୨ୟ ସର୍ବକନିଷ୍ଠ ଖେଳାଳି। ହିରାକି ସ୍କେଟ୍‌ ବୋର୍ଡିଂରେ ଭାଗନେବାକୁ ଯାଉଛନ୍ତି। ଅଲିମ୍ପିକ୍‌ସ ଇତିହାସରେ ସର୍ବକନିଷ୍ଠ ପଦକ ବିଜେତା ହେଲେ ଗ୍ରୀସ୍‌ର ଡିମିଟ୍ରିଓସ୍ ଲୌଣ୍ଡ୍ରାସ୍‌। ୧୮୯୬ ଏଥେନ୍‌ସ ଅଲିମ୍ପିକ୍‌ସରେ ଲୌଣ୍ଡ୍ରାସ୍‌ ମାତ୍ର ୧୦ ବର୍ଷ ବୟସରେ ଜିମ୍‌ନାଷ୍ଟିକ୍‌ସରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।

Comments are closed.