୧୧୭ ବର୍ଷରେ ବିଶ୍ବର ସବୁଠୁ ବୟସ୍କା ମହିଳା

ଜାପାନ : ଜାପାନ ନିବାସୀ କେନ୍ ତନାକା ବିଶ୍ବର ସବୁଠୁ ବୟସ୍କ ମହିଳା ଭାବେ ରେକର୍ଡ ସ୍ଥାପନ କରିଛନ୍ତି। ଜାପାନଲୋକଙ୍କ ଖାଦ୍ୟପେୟ ଓ ଉତ୍ତମ ଜୀବନଶୈଳୀ ହିଁ ସେମାନଙ୍କୁ ଦୀର୍ଘାୟୁ କରାଇଥାଏ। ଗଣମାଧ୍ୟମରେ ସେମାନଙ୍କ ଜୀବନଶୈଳୀ ସମ୍ପର୍କିତ ବିଭିନ୍ନ ତଥ୍ୟ ନିୟମିତ ଭାବେ ପ୍ରକାଶିତ ମଧ୍ୟ ହୋଇଥାଏ। ମିଳିଥିବା ତଥ୍ୟ ଅନୁସାରେ, କେନ୍ ୧୯୦୩ ଜାନୁଆରୀ ୨ରେ ଟୋକିଓରେ ଜନ୍ମଗ୍ରହଣ କରିଥିଲେ। ଗତ ବର୍ଷ ମାର୍ଚ୍ଚ ୯ରେ ସେ ୧୧୬ ବର୍ଷ ୬୬ଦିନ ପୂର୍ତ୍ତି କରିବା ସହ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍‌‌ରେ ମଧ୍ୟ ସ୍ଥାନ ପାଇଥିଲେ। ଏଥରକ ସେ ରହୁଥିବା ‘ଫୁଫୁଓକା ନର୍ସିଂହୋମ୍‌’ରେ ଅନ୍ତେବାସୀ ଓ ତାଙ୍କ ବନ୍ଧୁବାନ୍ଧବ ମହାଆଡ଼ମ୍ବରରେ କେନ୍‌‌ଙ୍କ ୧୧୭ତମ ଜନ୍ମଦିବସକୁ ପାଳନ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ ସେ ହିଦାଓ ତନାକା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ୪ଟି ପିଲାଙ୍କର ମା’ କେନ୍ ଗୋଟିଏ ଝିଅକୁ ପୋଷ୍ୟ କନ୍ୟା ଭାବେ ମଧ୍ୟ ଲାଳନପାଳନ କରିଥିଲେ। ତନାକାଙ୍କର ୮ଜଣ ନାତିନାତୁଣୀ ଓ ୧୨ଜଣ ଅଣ ନାତି-ନାତୁଣୀ ଅଛନ୍ତି। ତାଙ୍କ ସ୍ବାମୀ ଓ ବଡ଼ ପୁଅ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ପ୍ରାଣ ହରାଇଥିଲେ।

Comments are closed.