ଆଫଗାନିସ୍ତାନରେ ଫେରୁଛି ପୁରୁଣା ତାଲିବାନୀ ଦଣ୍ଡ ବ୍ୟବସ୍ଥା

କାବୁଲ : ତାଲିବାନ ଶାସନର କାର୍ଯ୍ୟଧାରା ଜାଣିବା ପାଇଁ ସାରା ବିଶ୍ବ ଅପେକ୍ଷା କରିଥିବାବେଳେ ଏହା ଗୋଟିଏ ପରେ ଗୋଟିଏ ପୁରୁଣା ନୀତି କାର୍ଯ୍ୟକାରୀ କରିବାରେ ଲାଗିଛି। ପୂର୍ବରୁ ବିଭିନ୍ନ ସଂସ୍କାର କଥା କହୁଥିବା ତାଲିବାନ ଶାସକ ନାରୀ ଶିକ୍ଷା ଉପରେ ଲଗାମ ଲଗାଇ ସାରିଥିବାବେଳେ ଏବେ କୌଣସି ଅପରାଧ ପାଇଁ ହାତ କାଟିବା ଓ ସର୍ବସାଧାରଣରେ ଫାଶୀ ଦେବା ଦଣ୍ଡ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି। ତାଲିବାନ ନେତା ମୁଲ୍ଲା ନୁରୁଦ୍ଦିନ ତୁରାବି ଶୁକ୍ରବାର ଘୋଷଣା କରିଛି ଯେ ‘ଏଭଳି ଦଣ୍ଡ ଖୁବ୍‌ ଶୀଘ୍ର ଲାଗୁ ହେବ। ଆମକୁ କେହି ଆଇନ କାନୁନ୍‌ ସମ୍ପର୍କରେ କହିପାରିବେ ନାହିଁ। କୋରାନ୍‌ ଆନୁସାରେ ଇସ୍‌ଲାମିକ୍‌ ଆଇନ ପ୍ରବର୍ତ୍ତନ ହେବ। ଆମେ ଆମର ଆଇନ ତିଆରି ଓ କାର୍ଯ୍ୟକାରୀ କରିବୁ; ତେବେ ସର୍ବସାଧାରଣରେ ଏହା କାର୍ଯ୍ୟକାରୀ କରାଯିବ କି ନାହିଁ ତାହା ଉପରେ ମନ୍ତ୍ରିମଣ୍ଡଳ ବିଚାର କରୁଛି।’ ଏକଆଖିଆ, ୬୦ବର୍ଷୀୟ ତୁରାବି ହେଉଛି ଇସ୍‌ଲାମିକ୍‌ ଚିନ୍ତାଧାରା ତଥା ଅତି କଠୋରପନ୍ଥୀ ନୀତି ନିୟମର ପ୍ରବର୍ତ୍ତକ। ସେ ପୂର୍ବ ତାଲିବାନ ଶାସନରେ ଆଇନ ମନ୍ତ୍ରୀ ଥିଲା। ପୁରୁଣା ଦଣ୍ଡ ବ୍ୟବସ୍ଥା ଫେରିବା ଏବେ ଜରୁରୀ ବୋଲି ସେ କହିଛି।

Comments are closed.