ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା, ଘର ପୋଡି

ବଣେଇ: ସୁନ୍ଦରଗଡ ଜିଲା ବଣେଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଗାଁର କାଳିଆ ଦେହୁରୀ(୫୫)। ଏହି ଘଟଣାରେ ପୁଲିସ ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖିଛି।

ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକଙ୍କ ସହିତ କାଳିଆଙ୍କର ପୂର୍ବରୁ ଶତ୍ରୁତା ରହିଥିଲା। କାଳିଆ ସୋମବାର ନିଜ ଚାଷ ଜମିକୁ ଯାଇଥିବାବେଳେ ଅଭିଯୁକ୍ତ ଯୁବକ ହଠାତ୍‌​‌ ସେଠାକୁ ଯାଇ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟରେ କାଳିଆଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା। ଘଟଣାସ୍ଥଳରେ କାଳିଆଙ୍କର ମୃତ୍ୟୁ ଘଟିଥିଲା।

ଏତିକିରେ ଅଭିଯୁକ୍ତ ରାଗ ଶାନ୍ତ ହୋଇ ନ ଥିଲା। ଘଟଣାସ୍ଥଳରୁ ଫେରି ସେ କାଳିଆର ଘରେ ନିଆଁ ଲଗାଇ ପୋଡ଼ି ଦେଇଥିଲା। ଖବର ପାଇ ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ସହିତ ଅଭିଯୁକ୍ତକୁ ଥାନାକୁ ନେଇ ଅଟକ ରଖିଛି।

Comments are closed.