ବଲାଣିରେ ଅଘଟଣ : ଉପୁଡି ପଡିଲା ପୁରୁଣା ବରଗଛ, ୪ ପରିବାର କ୍ଷତିଗ୍ରସ୍ତ

ସରକାରୀ ସହାୟତା ପାଇଁ ନିବେଦନ

ବଲାଣି : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବାଲାଗୋଡା ପଞ୍ଚାୟତର ବଲାଣି ଟାଉନସିପ୍ ଅନ୍ତର୍ଗତ ଆତ୍ରୀ ହଟିଂ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ଭୋର ସମୟରେ ହଟିଂ ଅଂଚଳରେ ସମସ୍ତେ ଶୋଇ ପଡ଼ିଥିବା ବେଳେ ହଠାତ ପ୍ରଚଣ୍ଡ ଶବ୍ଦରେ ଏକ ବଡ଼ ପୁରୁଣା ବର ଗଛ ମୂଳରୁ ଉପୁଡି ପଡିଥିଲା। ଏହା ୫ ଟି ଘର ଉପରେ ପଡିଥିଲା। ତେବେ ସୌଭାଗ୍ୟବଶତଃ ସମସ୍ତେ ଶବ୍ଦ ଶୁଣି ପିଲା ଛୁଆଙ୍କୁ ଧରି ବାହାରକୁ ଦୌଡ଼ି ପଳାଇବା ଯୋଗୁଁ ଏଥିରେ କେହି ହତାହାତ ହୋଇ ନଥିବାର ସୂଚନା ରହିଛି ।

ତେବେ ଏହି ଘଟଣା ଯୋଗୁଁ ସୁସେନା କୁଜୁର, ନିମିତ୍ ସୋରେନ୍, ଯସ୍ମୀନ୍ତା ଟେଟେ, ରାମ ଗପ, ରବି ପାତ୍ରଙ୍କ ପରିବାରଙ୍କର ଘର କ୍ଷତିଗ୍ରସ୍ତ ହୋଇଛି । ସୁସେନା ସରେନ୍ ଙ୍କର ପରିବାରରେ ୧୪ ଜଣ ସଦସ୍ୟ ରହିଥିବା ବେଳେ ଶ୍ରୀମତୀ ସୋରେନ୍ ଘରର ଏକ ମାତ୍ର ରୋଜଗାରକ୍ଷମ ଥିବା ବେଳେ ଘରଟି ପ୍ରାୟ ସମ୍ପୂର୍ଣ କ୍ଷତିଗ୍ରସ୍ଥ ହୋଇପଡିଥିବାରୁ ପରିବାରଟି ବାସହରା ହୋଇ ପଡିଛନ୍ତି। ଏ ନେଇ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କୁ ଖବର ଦେବାରୁ ସେ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗ ଦ୍ଵାରା ଗଛ କାଟିବାକୁ ନିର୍ଦେଶ ଦେଇଥିଲେ ଓ ସରକାରୀ ସହାୟତା ପ୍ରଦାନ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଯୁବ ସମାଜସେବୀ ସନ୍ନି ଖାନ ଅସହାୟ ପରିବାରଙ୍କୁ ଭେଟି ଆର୍ଥିକ ସହାୟତା ସହ ସପ୍ତାହ ନିମନ୍ତେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି। ଏହା ବ୍ୟତୀତ ଶ୍ରମିକ ନେତା କମଳାପତି ଯାଦବ ଅସହାୟ ପରିବାରଙ୍କୁ ଆର୍ଥିକ ସାହାଯ୍ୟ ପହଞ୍ଚାଇବେ ବୋଲି ଆଶ୍ୱାସନା ଦେଇଛନ୍ତି । ତେବେ ବିଭିନ୍ନ ସ୍ବେଛାସେବୀ ସଂଗଠନ ଅସହାୟ ପରିବାରଙ୍କୁ ସହାୟତାର ସାହାଯ୍ୟ ବଢ଼ାଇଛନ୍ତି ।

Comments are closed.