ଜୁନ୍ ୧୭ରୁ ଓଜେଇଇ : ମେ ୧୫ ସୁଦ୍ଧା ପଞ୍ଜୀକରଣ

ଜୁନ୍‌ ପହିଲାରୁ ଆଡମିଟ୍‌ କାର୍ଡ ଡାଉନଲୋଡ

ଭୁବନେଶ୍ୱର : ସରକାରୀ ଏବଂ ବେସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ମହାବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜୁନ୍ ୧୭ରୁ ୨୪ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବି.ଫାର୍ମା, ଏମବିଏ, ଏମସିଏ, ଏମ.ଟେକ୍, ଏମ.ଟେକ୍(ପାର୍ଟ ଟାଇମ୍), ଏମ. ଆର୍କ, ଏମ.ପ୍ଲାନ୍, ଏମ.ଫାର୍ମା, ଇଣ୍ଟିଗ୍ରେଟେଡ ଏମବିଏ ଏବଂ ଲାଟେରାଲ ବି.ଟେକ୍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବେ। କମ୍ପ୍ୟୁଟର ବେସ୍‌ ଟେଷ୍ଟ (ସିବିଟି) ପଦ୍ଧତିରେ ପରୀକ୍ଷା କରାଯିବ। ଜୁନ୍ ୧୭ରୁ ଅନଲାଇନ୍ ପରୀକ୍ଷା ଆରମ୍ଭ ହୋଇ ୨୪ ଯାଏଁ ଚାଲିବ। ପ୍ରବେଶିକା ନିମନ୍ତେ ଆଗ୍ରହୀ ଛାତ୍ରଛାତ୍ରୀ ଅନଲାଇନ୍‌ରେ ପଞ୍ଜୀକରଣ କରିବାକୁ ଓଜେଇଇ ପକ୍ଷରୁ ପୋର୍ଟାଲ ଖୋଲିଛି। ବିଦ୍ୟାର୍ଥୀ ଓଜେଇଇ ୱେବସାଇଟ୍‌ (www. ojee.nic.in)ରେ ମେ ୧୫ ସୁଦ୍ଧା ପଞ୍ଜୀକରଣ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଜୁନ୍ ପ୍ରଥମ ସପ୍ତାହରେ ଆଡମିଟ୍‌କାର୍ଡ ଡାଉନ୍‌ଲୋଡ୍‌ କରିବାକୁ କୁହାଯାଇଛି।
ସରକାରୀ ମହାବିଦ୍ୟାଳୟରେ ବି.ଟେକ୍ ଏବଂ ଏମ.ଟେକ୍ ପାଠ୍ୟକ୍ରମ ନିମନ୍ତେ ବାହାର ରାଜ୍ୟ ବିଦ୍ୟାର୍ଥୀ ନାମଲେଖାଇ ପାରିବେ ନାହିଁ; କିନ୍ତୁ ରାଜ୍ୟରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡିକରେ ନାମଲେଖାଇ ପାରିବେ। ବି.ଟେକ୍ ସହ ଡାକ୍ତରୀ ପାଠ୍ୟକ୍ରମ ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଏମଏସ୍‌ ଏବଂ ବିଏଚଏମଏସ୍‌ରେ ନାମଲେଖାଇବାକୁ ହେଲେ ବିଦ୍ୟାର୍ଥୀଙ୍କୁ ଜାତୀୟସ୍ତରରେ ଜେଇଇ ମେନ୍ ଏବଂ ନିଟ୍‌ ରାଙ୍କ ହାସଲ କରିବାକୁ ପଡିବ। ଜେଇଇ ମେନ୍‌ ମେ ସେସନ ପଞ୍ଜୀକରଣ ସରିବା ପରେ ରାଜ୍ୟରେ ବି.ଟେକ୍‌ ପାଇଁ ପଞ୍ଜୀକରଣ ସମୟ ସୀମା ଘୋଷଣା କରାଯିବ। ଜେଇଇ ମେନରେ ପଞ୍ଜୀକରଣ କରିପାରି ନଥିବା ବିଦ୍ୟାର୍ଥୀଙ୍କ ହିତକୁ ଦୃଷ୍ଟିରେ ରଖି ଓଜେଇଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଓଜେଇଇ ଅଧ୍ୟକ୍ଷ ଏସ୍‌.କେ ଚାନ୍ଦ କହିଛନ୍ତି।

Comments are closed.