ଓଜେଇଇର ନାମଲେଖା ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତିର ଉଲ୍ଲଙ୍ଘନ

ବିଟେକ୍‌ ପ୍ରଥମବର୍ଷ ନାମଲେଖାରେ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ଉପେକ୍ଷା

ଭୁବନେଶ୍ବର : ଓଡ଼ିଶାର ଯୁବପିଢିଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ସହିତ ନିଯୁକ୍ତି ପ୍ରଦାନ ଦିଗରେ ଗୁରୁତ୍ବାରୋପ ପୂର୍ବକ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବ୍ୟବସ୍ଥାରେ କେତେକ ତ୍ରୁଟି ଲକ୍ଷ୍ୟ ପୂରଣରେ ଅବରୋଧ ସୃଷ୍ଟି କରୁଛି। ଇଞ୍ଜିନିୟରିଂ ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ୪ ବର୍ଷୀୟା ବିଟେକ୍‌ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁମତି ନ ମିଳିବା ଏହାର ଏକ ଦୃଷ୍ଟାନ୍ତ।
ରାଜ୍ୟ ସରକାର ତିନି ବର୍ଷୀୟା ଇଞ୍ଜିନିୟରିଂ ଡିପ୍ଲୋମା ପାଠ୍ୟକ୍ରମକୁ ଯୁକ୍ତ ଦୁଇ ବିଜ୍ଞାନ ସହିତ ସମାନ ବୋଲି ଘୋଷଣା କରିଥି‌େ‌ଲ ମଧ୍ୟ ବିଟେକ ପ୍ରଥମ ବର୍ଷ ନାମ ଲେଖା ବେ‌େ‌ଳ ତାହାକୁ ଉପେକ୍ଷା କରାଯାଉଛି। ଯଦ୍ବାରା ବଡ଼ବଡ଼ କମ୍ପାନୀରେ ନିଯୁକ୍ତି ଆଶାରେ ୪ ବର୍ଷୀୟା ବିଟେକ୍‌ ଡିଗ୍ରୀ ଲାଭ କରିବାକୁ ଚାହୁଁଥିବା ଡିପ୍ଲୋମା ପାସ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେଉଛନ୍ତି।
ସାଧାରଣତଃ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମାଧ୍ୟମରେ ବିଟେକ୍‌ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ସମ୍ପାଦନ କରାଯାଏ। ଏ ନେଇ ଉଦ୍ଦିଷ୍ଟ ଯୋଗ୍ୟତା ସର୍ତ୍ତାବଳୀ ଅନୁସାରେ ଦ୍ବାଦଶ କିମ୍ବା ତତ୍‌ସମାନ ପରୀକ୍ଷାରେ ଉତ୍ତିର୍ଣ୍ଣ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ନମ୍ବର-୩୩୦୨/୨୫ା୦୬ା୨୦୧୪ ଅନୁସାରେ ଏସସିଟିଇ ଆଣ୍ଡ ଭିଟି (ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଭୋକେସନାଲ ଟ୍ରେନିଂ ପରିଷଦ) ଅଧୀନରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଇଂରାଜୀ ବାଧ୍ୟତାମୂଳକ ବିଷୟ ଥିବା ୩ ବର୍ଷୀୟା ଡିପ୍ଲୋମା ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଯୁକ୍ତ ଦୁଇ ବିଜ୍ଞାନ ସହିତ ସମାନ କରାଯାଇଛି। ଅର୍ଥାତ ଏସସିଟିଇ ଆଣ୍ଡ ଭିଟି ଅଧୀନରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ୪ ବର୍ଷୀୟା ବିଟେକ ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ମାତ୍ର ଓଜେଇଇ ଅଧୀନରେ ପ୍ରଚଳିତ କାଉନସେଲିଂରେ ୪ ବର୍ଷିୟା ବିଟେକ ପାଠ୍ୟକ୍ରମ ପାଇଁ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ପ୍ରଥମବର୍ଷରେ ନାମ ଲେଖାଇବାକୁ ଅନୁମତି ମିଳୁନାହିଁ। ଏମାନେ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ଡିପ୍ଲୋମା ଇଞ୍ଜିନିୟରିଂ ଅଧ୍ୟୟନ କରୁଛନ୍ତି।
ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ନିଯୁକ୍ତି ସମୟରେ ୪ ବର୍ଷୀୟା ବିଟେକ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦେଉଛନ୍ତି। ଫଳରେ ଡିପ୍ଲୋମା ପରେ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ବିଟେକ ଡିଗ୍ରୀ ଲାଭ କରିଥିବା ଯୋଗ୍ୟ ଛାତ୍ରଛାତ୍ରୀ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ଲାଟେରାଲ ଏଣ୍ଟ୍ରି ବେଳେ ଡିପ୍ଲୋମାରେ ଥିବା ଟ୍ରେଡରେ ହିଁ ନାମ ଲେଖାଇବାର ସୁଯୋଗ ମିଳୁଛି। ଯଦ୍ବାରା କୌଣସି କାରଣରୁ ଟ୍ରେଡ ପରିବର୍ତ୍ତନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ସମସ୍ୟାରେ ପଡୁଛନ୍ତି। ସର୍ବୋପରି ଡିପ୍ଲୋମା ପାଠ୍ୟକ୍ରମରେ ବିଟେକ ପ୍ରଥମ ବର୍ଷ ପାଇଁ ଉଦ୍ଦିଷ୍ଟ ପାଠ ସାମିଲ ଥାଏ। ଏହି କାରଣରୁ ଡିପ୍ଲୋମା ପାସ ଛାତ୍ରଛାତ୍ରୀଙ୍କର ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ବିଟେକ ଦ୍ବିତୀୟ ବର୍ଷରେ ନାମ ଲେଖାଯାଏ। କିନ୍ତୁ କୌଣସି ଛାତ୍ରଛାତ୍ରୀ ସମ୍ପୃକ୍ତ ବିଷୟରେ ନିଜର ଜ୍ଞାନ ଅଧିକ ମଜବୁତ କରିବା ଉଦ୍ଦେଶ୍ୟରେ ବିଟେକ ପ୍ରଥମ ବର୍ଷରୁ ନାମ ଲେଖାଇବାକୁ ଚାହିଁଲେ ତାହା ସମ୍ଭବ ହେଉ ନାହିଁ। ଏହି କାରଣରୁ ଚଳିତ ବର୍ଷ କିଛି ଡିପ୍ଲୋମା ଛାତ୍ରଛାତ୍ରୀ ବିଟେକ ପ୍ରଥମ ବର୍ଷରେ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ଏଣୁ ରାଜ୍ୟ ସରକାର ଡିପ୍ଲୋମାକୁ ଯୁକ୍ତ ଦୁଇ ସମକକ୍ଷ ଘୋଷଣା କରିଥିବା ବେଳେ ଓଜେଇଇ ଏହାକୁ ଗ୍ରହଣ ନ କରିବା ନେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ତଥା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଓଜେଇଇ ସମ୍ପାଦକ ରଞ୍ଜନ କୁମାର ଜେନା କହିଛନ୍ତି ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ନିୟମ ପରିଧିରେ ରହି ଇଞ୍ଜିନିୟରିଂ ନାମଲେଖା କାର୍ଯ୍ୟ ସମ୍ପାଦନ କରାଯାଉଛି। ଏହି ନିୟମ ଅନୁସାରେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ବିଟେକ ପ୍ରଥମ ବର୍ଷରେ ନାମଲେଖ ଅନୁମତି ନ ଥିବାରୁ ସେମାନଙ୍କ ଆବେଦନ ପତ୍ର ଗ୍ରହଣ କରାଯାଇପାରୁ ନାହିଁ। ତେବେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ରଛାତ୍ରୀ ମହଲରେ ଦାବି ହେଉଛି।

Comments are closed.