ଆଜିଠୁ ଓଜେଇଇ ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ବାରା ପରିଚାଳିତ ବିଭିନ୍ନ ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କରୋନା କଟକଣାରେ ୬୫ କେନ୍ଦ୍ରରେ ୫୮ ହଜାରରୁ ଅଧିକ ବିଦ୍ୟାର୍ଥୀ ପରୀକ୍ଷା ଦେବେ ବୋଲି ଓଜେଇଇ ଅଧ୍ୟକ୍ଷ ଏସ୍‌.କେ ଚାନ୍ଦ କହିଛନ୍ତି। ପରୀକ୍ଷା କମ୍ପ୍ୟୁଟର ଆଧାରିତ (ସିବିଟି) ମାଧ୍ୟମରେ ହେବାକୁ ଥିବାବେଳେ ଦିନକୁ ତିନିଟି ଅଧିବେଶନ (ସିଫ୍ଟ)ରେ ପରୀକ୍ଷା ଚାଲିବ। ପ୍ରଥମ ଅଧିବେଶନ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ଦିନ ୧୧ଟା, ଦ୍ବିତୀୟ ଅଧିବେଶନ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ସାଢେ ୨ଟା ଏବଂ ତୃତୀୟ ଅଧିବେଶନ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ରେ ସରିବ।

ସୋମବାର ୩ଟି ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବାକୁ ଥିବାବେଳେ ୫ତାରିଖ‌ ୧ମ ଓ ୨ୟ ସିଫ୍ଟରେ ଏମସିଏ ଓ ଏମ.ଏସସି(କମ୍ପ୍ୟୁଟର ସାଇନ୍ସ) ପରୀକ୍ଷା ହେବ। ୩ୟ ସିଫ୍ଟରେ ଏମ.ଟେକ, ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା ଏବଂ ବି.କ୍ୟାଟ ପରୀକ୍ଷା ରହିଛି। ୬ରେ ପ୍ରଥମ ୨ଟି ସିଫ୍ଟରେ ଏମବିଏ ଏବଂ ତୃତୀୟ ସିଫ୍ଟରେ ଇଣ୍ଟ୍ରିଗ୍ରେଟେଡ ଏମବିଏ, ଲାଟେରାଲ ଫାର୍ମା, ଲାଟେରାଲ ଟେକ (ବି.ଏସସି) ଏବଂ ବି.କ୍ୟାଟ(ଫିଲ୍ମ ଏଡିଟିଂ)ପରୀକ୍ଷା ରହିଛି। ୭ରେ ଲାଟେରାଲ ଏଣ୍ଟ୍ରି ଏମବିଏ ଓ ଲାଟେରାଲ ଟେକ (ଡିପ୍ଲୋମା) ପରୀକ୍ଷା ରହିଛି। ୮ରେ ତିନିଟି ଯାକ ସିଫ୍ଟରେ ବି.ଫାର୍ମା ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

ଚଳିତ ବର୍ଷ ୫୮ ହଜାର ୯୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଅପେକ୍ଷା ଏବର୍ଷ ପ୍ରାୟ ଦୁଇ ହଜାର ବିଦ୍ୟାର୍ଥୀ ଅଧିକ ପରୀକ୍ଷା ଦେବେ। ଓଡ଼ିଶାରେ ୬୧ଟି ପରୀକ୍ଷା କେନ୍ଦ୍ର କରାଯାଇ ଥିବାବେଳେ ରାଜ୍ୟ ବାହାରେ ୪ଟି କେନ୍ଦ୍ର ହୋଇଛି। ରାଜ୍ୟର ପ୍ରତି ଜିଲାରେ ଗୋଟିଏ ଲେଖାଏଁ କେନ୍ଦ୍ର କରାଯାଇ ଥିବାବେଳେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲାରେ ଗୋଟିଏରୁ ଅଧିକ କେନ୍ଦ୍ର ହୋଇଛି। କଲକାତା ଓ ରାଞ୍ଚି ଏବଂ ପାଟନାରେ ୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଗତ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ଉକ୍ତ ପାଠ୍ୟକ୍ରମ ସହ ବି.ଟେକକୁ ମିଶାଇ ପ୍ରବେଶିକା ପରୀକ୍ଷା କରାଯାଉଥିଲା। ହେଲେ ଚଳିତ ବର୍ଷ କରୋନା ପରିସ୍ଥିତିରେ ସୁଧାର ଆସିଥିବାରୁ ପୂର୍ବ ପରି ସ୍ବତନ୍ତ୍ର ଓଜେଇଇ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

Comments are closed.