ଲଗାତାର ୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ୯ମ ଦିନ ପାଇଁ ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୮ ପଇସା ବଢ଼ାଇଥିବାବେଳେ ଡିଜେଲ ଦର ୫୯ ପଇସା ବୃଦ୍ଧି କରିଛନ୍ତି। ଏହି ୯ଦିନ ମଧ୍ୟରେ ପେଟ୍ରୋଲ ମୂଲ୍ୟରେ ୫ ଟଙ୍କା ବୃଦ୍ଧି ଘଟିଥିବାବେଳେ ଡିଜେଲ ୫ଟଙ୍କା ୨୩ ପଇସା ବଢ଼ିଛି। ଫଳରେ ଗ୍ରାହକଙ୍କ ଉପରେ ଏହାର ସିଧାସଳଖ ବୋଝ ପଡ଼ିଛି। ଗତ ରବିବାର ପଟ୍ରୋଲ ୬୨ ପଇସା ଏବଂ ଡିଜେଲ ୬୪ ପଇସା ବୃଦ୍ଧି ପାଇଥିଲା।

ଦିଲ୍ଲୀରେ ସୋମବାର ପେଟ୍ରୋଲ ଦର ୪୮ ପଇସା ବୃଦ୍ଧି ପାଇ ୭୬ ଟଙ୍କା ୨୬ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୫୯ ପଇସା ବଢ଼ି ୭୪ ଟଙ୍କା ୬୨ ପଇସା ହୋଇଛି। ସେହିପରି ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୮୩ ଟଙ୍କା ୧୭ ପଇସା ଏବଂ ଡିଜେଲ ୭୩ ଟଙ୍କା ୨୧ ପଇସାରେ ପହଞ୍ଚିଛି। ଚେନ୍ନାଇରେ ପେଟ୍ରୋଲ ୭୯ ଟଙ୍କା ୯୬ ପଇସା ଏବଂ ଡିଜେଲ ୭୨ ଟଙ୍କା ୬୯ ପଇସା, କଲକାତାରେ ପେଟ୍ରୋଲ ଦର ୭୮ ଟଙ୍କା ୧୦ ପଇସା ଓ ଡିଜେଲ ମୁଲ୍ୟ ୭୦ ଟଙ୍କା ୩୩ ପଇସାକୁ ବୃଦ୍ଧି ପାଇଛି।

Comments are closed.