ତେଲରେ ଲାଗିଛି ନିଆଁ: ମୁମ୍ବାଇରେ ପେଟ୍ରୋଲ ୯୧.୩୪ ଟଙ୍କା, ଭୁବନେଶ୍ବରରେ ୮୪.୮୫ ଟଙ୍କା

ଭାରତରେ ଟିକସ ସର୍ବାଧିକ ୬୯%

ଭୁବନେଶ୍ବର: ଦୁଇ ବର୍ଷ ପରେ ପୁଣି ଥରେ ତେଲରେ ଲାଗିଛି ନିଆଁ । ପେଟ୍ରୋଲ ଓ ଡ଼ିଜେଲ ଦର ହୁ ହୁ ହୋଇ ବଢ଼ିଛି । ଗତ ନଭେମ୍ବର ୨୦ ତାରିଖରୁ ଡ଼ିସେମ୍ବର ୯ ତାରିଖ ମଧ୍ୟରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଇନ୍ଧନ ଦର ୧୫ ଥର ବଢ଼ାଇ ସାରିଲେଣି । ଏମିତି ହୋଇଛି ମୁମ୍ବାଇ, ଭୋପାଳ ପରି ସହରରେ ପେଟ୍ରୋଲ ଦର ୯୧ ଟଙ୍କା ଅତିକ୍ରମ କରିଛି । ଆଜି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୧.୩୪ ପଇସା ।  ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଅନୁରୂପ ସ୍ଥିତି । ଦୁଇ ବର୍ଷ ତଳର ଦରକୁ ଅତିକ୍ରମ କରି ନୂଆ ରେକର୍ଡ଼ ସୃଷ୍ଟି କରିଛି ପେଟ୍ରୋଲ ଡ଼ିଜେଲ । ୨୦୧୮ ଅକ୍ଟୋବର ୪ ତାରିଖରେ ଦିଲ୍ଲୀରେ ପେଟ୍ରୋଲ ଦର ସର୍ବାଧିକ ୮୫ ଟଙ୍କା ରେକର୍ଡ଼ କରାଯାଇଥିଲା । ଏବେ ପୁରୁଣା ରେକର୍ଡ଼କୁ ଭାଙ୍ଗି ଦର ଆହୁରି ଆଗକୁ ବଢ଼ିଛି ।

କୁହାଯାଉଛି ମଧ୍ୟପ୍ରାଚ୍ୟର ସ୍ଥିତି, ଓପେକ୍ (ତୈଳ ଉତ୍ପାଦନକାରୀ ଦେଶ)ର ତୈଳ ଦର ବୃଦ୍ଧି ଯୋଗୁଁ ଏପରି ସମସ୍ୟା ଦେଖା ଦେଇଛି ଓ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ତେଲ ଦର ବଢ଼ାଉଛନ୍ତି ।  କଞ୍ଚା ତେଲ ଦର ବଢ଼ିଲେ ପେଟ୍ରୋଲିୟମ ସାମଗ୍ରୀର ଦର ବଢ଼ିବା ସ୍ବାଭାବିକ । ମାତ୍ର ପେଟ୍ରୋଲିୟମ ସାମଗ୍ରୀ ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ଟିକସ ନେଉଛନ୍ତି ତାହାକୁ ହ୍ରାସ କରିବା ଦିଗରେ କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।

ଏକ ଆକଳନ ଅନୁସାରେ ପେଟ୍ରୋଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବଦରେ ଯେତିକି ଟିକସ ଆଦାୟ କରୁଛନ୍ତି ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାଟ ଆଦାୟ କରୁଛନ୍ତି । ବର୍ତମାନ ପେଟ୍ରୋଲ ଦର ଭୁବନେଶ୍ବର ୮୪.୮୫ ପଇସାରେ ପହଞ୍ଚିଛି ।  ଏହାର ପ୍ରାୟ ୬୦% ଅର୍ଥାତ ପାଖାପାଖି ୫୦ ଟଙ୍କା କେବଳ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବାବଦରେ ନେଉଛନ୍ତି । ଏକ ଆକଳନ ଅନୁସାରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା  ୩୨.୯୮ ପଇସା ଓ ଡ଼ିଜେଲରେ ଲିଟର ପିଛା  ୩୧.୮୩ ପଇସା ଆଦାୟ କରୁଛନ୍ତି । ସେହିପରି ଓଡ଼ିଶା ସରକାର ପେଟ୍ରୋଲିୟମ ସାମଗ୍ରୀ ଉପରେ ୩୨% ଭାଟ୍ ଆଦାୟ କରୁଛନ୍ତି। ମଧ୍ୟପ୍ରଦେଶରେ ଏହି ଭାଟ ପରିମାଣ ୩୬% ।  ଏହାପରେ ରହିଛି ଡ଼ିଲରଙ୍କ କମିଶନ । ପେଟ୍ରୋଲ ଲିଟର ପିଛା ଜଣେ ଡ଼ିଲର ୩.୫୭ ପଇସା ଓ ଡ଼ିଜେଲ ଲିଟର ପିଛା ୨.୫୧ ପଇସା କମିଶନ ପାଉଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେବେଠାରୁ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ କେନ୍ଦ୍ର ସରକାରଙ୍କ ଅଧୀନରୁ ମୁକ୍ତ ହେଲେଣି, ସେବେଠାରୁ ପେଟ୍ରୋଲିୟମ ସାମଗ୍ରୀ ଦର ବଢ଼ିବାରେ ଲାଗିଛି ।

ଆଇଓସିର ଓ୍ୱେବସାଇଟ୍‌ ଆନୁସାରେ ପେଟ୍ରୋଲିୟମ ସାମଗ୍ରୀର ମୂଳ ମୂଲ୍ୟ (ବେସ‌ ପ୍ରାଇସ୍)‌ ୨୬.୩୪ ଟଙ୍କା ଥିବା ବେଳେ ମାଲ ଭଡା ଖର୍ଚ୍ଚ ୦.୩୭ ଟଙ୍କା । ଡ଼ିଲରମାନଙ୍କୁ ୨୬.୭୧ ଟଙ୍କା ରେ ପେଟ୍ରୋଲ ଯୋଗାଇ ଦିଆଯାଉଛି । ଏହା ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ଭାଟ୍ ।  କେନ୍ଦ୍ର ସରକାର ୩୧.୮୩ ଟଙ୍କା ଏକ୍ସାଇଜ୍‌ ଡ୍ୟୁଟି ନେଉଥିବା ବେଳେ ରାଜ୍ୟ ସରକାର ୧୯ ଟଙ୍କା ଭାଟ ଆଦାୟ କରୁଛନ୍ତି ।  ।

ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲ ବ୍ୟାରେଲ ପାଖାପାଖି ୫୦ ଡ଼ଲାରରେ ପହଞ୍ଚିଛି । ମାତ୍ର ଏହା ସେତେବଡ଼ ସମସ୍ୟା ନୁହେଁ। ପୂର୍ବରୁ ଆନ୍ତର୍ଜାତିକ ବଜାରରେ ତେଲ ଦର ୩୦ ଡ଼ଲାର ତଳକୁ ମଧ୍ୟ ଖସି ଆସିଥିଲା । ତଥାପି ରାଜ୍ୟ ତଥା ଦେଶରେ ପେଟ୍ରୋଲିୟମ ସାମଗ୍ରୀ ଦର ଆଖି ଦୃଶିଆ କମିଥିବା ଦେଖା ଯାଇ ନ ଥିଲା । ସବୁଠାରୁ ବଡ଼ କଥା ହେଲା ପେଟ୍ରୋଲିୟମ ସାମଗ୍ରୀ ଉପରେ ଟିକସ ଭାରତରେ ଅନ୍ୟ ଦେଶଠାରୁ ଅଧିକ । ଭାରତରେ ପେଟ୍ରୋଲ ଲିଟରରେ ୬୯% ଟିକସ ଆଦାୟ କରାଯାଉଛି । ଇଟାଲୀ ଭାରତ ପଛକୁ ରହିଛି । ଏହି ଦେଶରେ ଟିକସ ୬୪% । ଫ୍ରାନ୍ସରେ ୬୩%, ଜର୍ମାନରେ ୬୩%, ବ୍ରିଟେନରେ ୬୨%, ସ୍ପେନରେ ୫୩%, ଜାପାନରେ ୪୭%, କାନାଡ଼ାରେ ୩୩% ଓ ଆମେରିକାରେ ପେଟ୍ରୋଲିୟମ ସାମଗ୍ରୀ ଉପରେ  ଟିକସ ୧୯% ରହିଛି ।

ମାତ୍ର ସମ୍ପ୍ରତି ପେଟ୍ରୋଲ-ଡ଼ିଜେଲ ଦର ବୃଦ୍ଧି ପରେ ଲୋକମାନେ ସ୍ବାଭାବିକ ଭାବରେ କଂଗ୍ରେସ ସରକାର ସମୟର ଇନ୍ଧନ ଦର ସହ ତୁଳନା ଆରମ୍ଭ କରିଛନ୍ତି । ଦର ହ୍ରାସ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ  ପଦକ୍ଷେପ ନ ନେଲେ ଖୁବ୍ ଶୀଘ୍ର ପେଟ୍ରୋଲ ଦର ୧୦୦ ଟପିବ ଏଥିରେ ସନ୍ଦେହ ନାହିଁ ।

Comments are closed.