ରାଜଧାନୀର ଯୌନକର୍ମୀଙ୍କ ପାଇଁ ‘‘ମାଆ’’ ପାଲିଟିଛି ମହିଳା ଅଧିକାର ଅଭିଯାନ

ବିଏମସିକୁ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ; ଯୌନକର୍ମୀଙ୍କୁ ତୁରନ୍ତ ଖାଦ୍ୟଶସ୍ୟ ଯୋଗାଇବାକୁ ନିର୍ଦେଶ

ଭୁବନେଶ୍ବର: କରୋନା ସଙ୍କଟ କାଳରେ ସାଧାରଣ ଲୋକ ଭୟ ସାଙ୍ଗକୁ ଭୋକର ଶିକାର ହୋଇଛନ୍ତି । ପେଟକୁ ଦୁଇ ବେଳା ତ ଦୂରର କଥା ଗୋଟିଏ ଓଳି ଖାଇବାକୁ ବି ପାଉ ନାହାନ୍ତି । ଏପରି ସ୍ଥିତିରେ ଯୌନକର୍ମୀ ବି ବାଦ ପଡ଼ୁ ନାହାନ୍ତି । ଲକ୍ ଡ଼ାଉନ ସାଙ୍ଗକୁ ସାମାଜିକ ଦୂରତା ସେମାନଙ୍କ ପେଟପାଟଣାରେ କ୍ଷେତ୍ରରେ ସୃଷ୍ଟି କରିଛି ବଡ଼ ବାଧକ । ଏମିତି ଆଜି ଅର୍ଥାତ୍ ୨ ଜୁନରେ ସାରା ବିଶ୍ଵରେ ଆନ୍ତର୍ଜାତିକ ଯୌନ କର୍ମୀ ଅଧିକାର ଦିବସ ପାଳନ କରାଯାଉଛି, ମାତ୍ର କରୋନା ସଙ୍କଟ ସମୟରେ ଏହାର କିଛି ଅର୍ଥ ନାହିଁ । ଏହି ସ୍ଥିତିରେ ରାଜଧାନୀର ଯୌନ କର୍ମୀମାନଙ୍କ ପାଇଁ ‘‘ମା’’ ଅର୍ଥାତ୍ ମହିଳା ଅଧିକାର ଅଭିଯାନ ବାସ୍ତବରେ ମାଆ ପରି ଠିଆ ହୋଇଛି । ଏହି ସଙ୍ଗଠନର  ଅଧ୍ୟକ୍ଷା ତଥା ରାଜ୍ୟ ମହିଳା କମିଶନର ପୂର୍ବତନ ସଦସ୍ୟା ନମ୍ରତା ଚଡ଼୍ଡ଼ାଙ୍କ ଆବେଦନକୁ ବିଚାର କରି ରାଜ୍ୟ ମାନବାଧିକାର କମିଶନ ଯୌନକର୍ମୀମାନଙ୍କ ନିମନ୍ତେ ଭୋଜନ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛି । କେବଳ ସେତିକି ନୁହେଁ କମିଶନଙ୍କ ନିକଟରେ ଶ୍ରୀମତୀ ଚଡ଼୍ଡ଼ା କରିଥିବା ଆବେଦନ ଆଧାରରେ ଯୌନକର୍ମୀମାନଙ୍କୁ ରେସନ କାର୍ଡ଼ ପ୍ରଦାନ ନିମନ୍ତେ ମଧ୍ୟ ଭୁବନେଶ୍ଵର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ପ୍ରଦାନ କରିଛି । ଏହି ପ୍ରସଙ୍ଗରେ ୧୮ ଜୁନରେ ପରବର୍ତୀ ଶୁଣାଣି କରିବାକୁ ମଧ୍ୟ କମିଶନ ନିର୍ଦେଶ ଦେଇଛି ।

ଏହି ପ୍ରସଙ୍ଗରେ ‘‘ମହିଳା ଅଧିକାର ଅଭିଯାନ’’ (ମା)ର ଅଧ୍ୟକ୍ଷା ନମ୍ରତା ଚଡ଼୍ଡ଼ା କହିଛନ୍ତି ଯେ ସମାଜର ସବୁଠାରୁ ଅବହେଳିତ କୁହାଯାଉଥିବା ଏହି ମହିଳାମାନେ ମଧ୍ୟ ଖାଦ୍ୟ, ଶିକ୍ଷା, ଆବାସ ଓ ଶିକ୍ଷା ପରି ମୌଳିକ ଅଧିକାରର ହକଦାର । ଦେଶର ନାଗରିକ ଭାବରେ ଏହା ତାଙ୍କର ସର୍ବନିମ୍ନ ଆବଶ୍ୟକତା । ଏହାର ପୂରଣ କରିବା ସମସ୍ତଙ୍କର ଦାୟିତ୍ଵ ।

୨୩ ମାର୍ଚରେ ଜନତା କର୍ଫ୍ୟୁ ଓ ଏହାପରେ ଲକ୍ଡ଼ାଉନ ଯୌନ କର୍ମୀଙ୍କ ପେଟରେ ମାରିଛି ଲାତ । ପେଟର ଭୋକ ସେମାନଙ୍କ ପାଇଁ ଉତ୍କଟ ହେଉଛି । ନାଁ ସେମାନଙ୍କୁ କାହାରି ସହାୟତା ମିଳୁଛି ନା ସେମାନେ ସହାୟତା ନିମନ୍ତେ କାହା ପାଖରେ ହାତ ପାତି ପାରୁଛନ୍ତି । ସାମାଜିକ ଦୂରତ୍ଵ ଓ ଲକ୍ ଡ଼ାଉନ ସେମାନଙ୍କ ବ୍ୟବସାୟ ଉପରେ ସାଂଘାତିକ ଭାବରେ ପ୍ରଭାବ ପକାଇଛି ।

ଏହି ସ୍ଥିତିରେ ରାଜଧାନୀର ଯୌନକର୍ମୀମାନଙ୍କୁ  ଖାଦ୍ୟ ଓ ସରକାରୀ ବ୍ୟବସ୍ଥା ଅନୁସାରେ ଖାଦ୍ୟଶସ୍ୟ ପ୍ରଦାନ କରିବାକୁ ଭୁବନେଶ୍ବର ମହାନଗର ନିଗମକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । କମିଶନ ସଦସ୍ୟ ଅସୀମ ଅମିତାଭ ଦାଶ  ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ପରବର୍ତୀ ଶୁଣାଣି ସମୟରେ ଏ ସମ୍ପର୍କରେ ରିପୋର୍ଟ ଦାଖଲ ନିମନ୍ତେ ନିର୍ଦେଶ ଦେଇଛନ୍ତି । ମହାନଗର ନିଗମକୁ ଏହି ନିର୍ଦେଶ ଦେବା ସମୟରେ ମାନବାଧିକାର କମିଶନ ବିଶେଷଭାବରେ କରୋନା କାଳରେ ସମସ୍ତଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ନିମନ୍ତେ ସରକାରଙ୍କ ନିର୍ଦେଶକୁ ସ୍ମରଣ କରାଇଛନ୍ତି । ରେସନ କାର୍ଡ଼ ଥାଉ ବା ନ ଥାଉ ସମସ୍ତଙ୍କୁ ଏହି ସମୟରେ ଖାଦ୍ୟଶସ୍ୟ ପ୍ରଦାନ କରାଯିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦେଶ ରହିଛି ।

‘‘ମହିଳା ଅଧିକାର ଅଭିଯାନ’’ ଓ ‘‘ମଧ୍ୟମ’’ର ଅଧ୍ୟକ୍ଷା ନମ୍ରତା ଚଡ଼୍ଢ଼ା ଏ ସମ୍ପର୍କରେ ରାଜ୍ୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କୋବିଦ-୧୯ ମହାମାରୀ ଓ ଲକ୍ଡ଼ାଉନ ସମୟରେ ରାଜଧାନୀର ଯୌନକର୍ମୀମାନେ ଖାଦ୍ୟ ନିମନ୍ତେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ଏହି ଯୌନକର୍ମୀମାନଙ୍କର ରେସନ କାର୍ଡ଼ ନ ଥିବାରୁ ସେମାନେ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଖାଦ୍ୟଶସ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଉଲ୍ଲେଖ କରି ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ।  ରେସନ କାର୍ଡ଼ ଥାଉ ବା ନ ଥାଉ ଖାଦ୍ୟ ନିରାପତ୍ତା ଯୋଜନାରେ ସେମାନଙ୍କୁ ସାମିଲ କରାଯିବା ସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଶ୍ରୀମତୀ ଚଡ଼ଢ଼ା ଅନୁରୋଧ କରିଥିଲେ ।  ଏହାଉପରେ ବିଚାର କରି ରାଜ୍ୟ ମାନବାଧିକାର କମିଶନ ଭୁବନେଶ୍ବର ମହାନଗର ନିଗମକୁ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ଜୁନ୍ ୧୮ ତାରିଖ ସୁଦ୍ଧା ଏ ସମ୍ପର୍କରେ ରିପୋର୍ଟ ଦେବାକୁ କମିଶନ ନିର୍ଦେଶ ଦେଇଛନ୍ତି । ସେହିପରି ରେସନ କାର୍ଡ଼ ଥାଉ ବା ନ ଥାଉ ସେମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରିବା ପାଇଁ ମଧ୍ୟ କମିଶନ ମହାନଗରନିଗମକୁ ଆଦେଶ ଦେଇଛନ୍ତି ।

ଦେଶରେ ଯୌନ କର୍ମୀଙ୍କ ଭବିଷ୍ୟତ ଅନିଶ୍ଚିତ

ରାଷ୍ଟ୍ରୀୟ ଏଡ଼୍ସ ନିୟନ୍ତ୍ରଣ ସଙ୍ଗଠନ (ନାକୋ)ର ପରିସଂଖ୍ୟାନ ଅନୁସାରେ ଭାରତରେ ପ୍ରାୟ ୬୩୭୫୦୦ ଯୌନ କର୍ମୀ ବସବାସ କରୁଛନ୍ତି। ୫ ଲକ୍ଷ ଲୋକ ପ୍ରାୟ ଦୈନିକ ରେଡ଼ଲାଇଟ ଅଞ୍ଚଳକୁ ଯାଇଥାଆନ୍ତି । ମାତ୍ର କରୋନା ସଂକ୍ରମଣ ଓ ତତ୍ପରବର୍ତୀ ସ୍ଥିତି ଏହି ବର୍ଗର ଲକ୍ଷଲକ୍ଷ ଜୀବନକୁ ପ୍ରଭାବିତ କରିଛି । ଦେହ ବ୍ୟବସାୟ ଦ୍ବାରା କରୋନା ସଂକ୍ରମଣ ତୀବ୍ର ହେବାର ଆଶଙ୍କା ରହିଛି ଓ ସଂକ୍ରମିତ ଗ୍ରାହକ ଅନ୍ୟମାନଙ୍କ ପାଇଁ ସଂକ୍ରମଣର ମାଧ୍ୟମ ହେବାର ସମ୍ଭାବନା ଅଛି । ୟେଲ ସ୍କୁଲ ଅଫ୍ ମେଡ଼ିସିନ୍ ଓ ହାଭାର୍ଡ଼ ମେଡ଼ିକାଲ ସ୍କୁଲର ବିଶେଷଜ୍ଞମାନେ କରୋନାକାଳରେ  ରେଡ଼ଲାଇଟ୍ ଅଞ୍ଚଳଗୁଡ଼ିକୁ ବନ୍ଦ ଉପରେ ଗୁରୁତ୍ଵାରୋପ କରିଛନ୍ତି ।

Comments are closed.