ନାବାଳିକାଙ୍କୁ ବଳାତ୍କାର ମାମଲା: ମାନବାଧିକାର ଆୟୋଗକଙ୍କ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ନିର୍ଦେଶ

ଭୁବନେଶ୍ବର :ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆେୟାଗ ପୀଡିତା ନାବାଳିକାକୁ ସରକାରୀ ନିୟମାନୁସାରେ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହ ମାମଲାର ତଦନ୍ତର ସ୍ଥିତି ସମ୍ପର୍କରେ ସାତଦିନ ମଧ୍ୟରେ ଜଣାଇବାକୁ ଯାଜପୁର ଏସ.ପି.ଙ୍କୁ ମଧ୍ୟ ନିର୍ଦେଶ ଜାରି କରିଛନ୍ତି। ଏ ନେଇ ପ୍ରଦେଶ କଂଗ୍ରେସ କମିଟି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ସମେତ ପିସିସି କର୍ମକର୍ତ୍ତାମାନେ ମଙ୍ଗଳବାର ମାନବାଧିକାର ଆୟୋଗକଙ୍କ ନିକଟରେ ଅଭିେଯାଗ କରିଥିଲେ।

ପ୍ରକାଶ ଯେ ଧର୍ମଶାଳା ଥାନା ପିପଳିଡିହା ଗ୍ରାମର ଧନେଶ୍ବର ମଲ୍ଲିକଙ୍କ ନାବାଳିକା ଝିଅକୁ ସତ୍ୟନାରାୟଣ ସାମଲ ଓରଫ ପିଣ୍ଟୁ ଚଳିତ ମାସ ୧୫ ତାରିଖରେ ଅପହରଣ କରି ନେଇଥିଲେ। ପିଣ୍ଟୁ ଓ ତାଙ୍କ ସାଥୀମାନେ ନାବାଳିକାଙ୍କୁ କଟକରେ ଗଣବଳାତ୍କାର କରିଥିଲେ। ଏ ନେଇ ମଲ୍ଲିକ ଧର୍ମଶାଳା ଥାନାରେ ଅଭିେଯାଗ କରିଥିଲେ। ମାତ୍ର ପୁଲିସ ଏ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିଲା। ଫଳରେ ଅଭିଯୁକ୍ତ ପୀଡିତାଙ୍କ ପରିବାର ଲୋକଙ୍କୁ ଧମକ ଦେଇ ଆସୁଥିଲା। ୧୮ ତାରିଖରେ ଅଭିଯୁକ୍ତ ପିଣ୍ଟୁ ଫୋନ କରି ଝିଅକୁ କଟକରୁ ନେଇଯିବାକୁ କହିଥିଲା। ଏ ସମ୍ପର୍କରେ ଧନେଶ୍ବର ପୁଲିସକୁ ଜଣାଇଥିଲେ ମଧ୍ୟ ପୁଲିସ ତାଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରି ନ ଥିଲା। ପରିବାର ଲୋକେ ଝିଅକୁ ଯାଜପୁର ଜିଲା ବାରବାଟି ନିକଟରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ଅଭିଯୁକ୍ତ ପିଣ୍ଟୁ ଓ ତାଙ୍କ ଭଉଣୀ ନାବାଳିକାକୁ ଚଳନ୍ତା କାରରୁ ଠେଲି ଦେଇଥିଲେ ବୋଲି ନାବାଳିକା ଜଣକ କହିଥିଲେ। ଏ ସମ୍ପର୍କରେ ଧନେଶ୍ବର ଥାନାରେ ଜଣାଇବା ପରେ ପୁଲିସ ନାବାଳିକାଙ୍କୁ ଜିଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲା। ଏଠାରେ ନାବାଳିକା ଦେଇଥିବା ବୟାନରେ କହିଥିଲେ ଯେ ଶୁଭଶ୍ରୀ ପୃଷ୍ଟି ନାମ୍ନୀ ଜଣେ ମହିଳା କନଷ୍ଟେବଳ କୌଣସି ପୁଲିସ କର୍ମଚାରୀଙ୍କ ବିେରାଧରେ ନ କହିବାକୁ ଧମକ ଦେଇଥିଲେ। ଏହାଛଡା ଅଭିଯୁକ୍ତ ଜଣକ ତାଙ୍କୁ ନିଶାଯୁକ୍ତ ଖାଦ୍ୟ ଦେଇ ଚେତାଶୂନ୍ୟ କରି ବଳାତ୍କାର କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ନାମ ପୀଡିତା ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି।

ସମସ୍ତ ଘଟଣା ଏକ ସରକାରୀ ଅଧିକାରୀଙ୍କ ବାସଭବନରେ ଘଟିଥିବାରୁ ଆେୟାଗ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଏପରି ଏକ ଘୃଣ୍ୟ ଘଟଣାର ତଦନ୍ତରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆୟୋଗ ଉଲ୍ଲେଖ କରିଛନ୍ତି । ଏହାଛଡା ନାବାଳିକା ଜଣକ ଯେପରି ସୁରୁଖୁରରେ ମାଟ୍ରିକ ପରୀକ୍ଷା ଦେଇପାରିବେ ସେ ଦିଗରେ ବ୍ୟବସ୍ଥା କରିବା ସହ ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ଦେବାକୁ ଏସ.ପିଙ୍କୁ ନିର୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୦ ତାରିଖରେ ହେବ।

Comments are closed.