ବୃଦ୍ଧ ତରଭୁଜ ବିକାଳିଙ୍କୁ ମାଡ଼ ଘଟଣାରେ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ

କଟକ: ଜଣେ ବୃଦ୍ଧ ତରଭୁଜ ବ୍ୟବସାୟୀଙ୍କୁ ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ମାଡ ମାରିବା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ରୁଜୁ ହୋଇଛି। ଏଭଳି ଅମାନବିକ ଘଟଣାରେ ସମ୍ପୃକ୍ତ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମାନବାଧିକାର କମିସନଙ୍କ ନିକଟରେ ଦାଖଲ ଆବେଦନରେ ପ୍ରାର୍ଥନା କରାଯାଇଛି। ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାଖଲ ଆବେଦନରେ ଦର୍ଶାଯାଇଛି ଯେ ଗତ ୩ ତାରିଖ ଦିନ ରାସ୍ତା କଡ଼ରେ ତରଭୁଜ ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କୁ ଝାରସୁଗୁଡା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ବାଡିରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏପରି ମାଡ଼ ମରା ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଲକ୍ ଡାଉନ ସମୟରେ ଦିନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ରହିଛି। ଘଟଣା ଦିନ ପ୍ରାୟ ଦିନ ୧୨ଟା ସମୟରେ ବେହେରାମାଲ ରାସ୍ତାରେ ବୃଦ୍ଧ ଜଣକ ତରଭୁଜ ଦୋକାନ ବନ୍ଦ କରୁଥିବା ସମୟରେ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତିରିକ୍ତ ତହସିଲଦାର ଏକ ବାଡିରେ ବୃଦ୍ଧ ଓ ତାଙ୍କ ନାବାଳକ ୧୨ ବର୍ଷର ପୁଅକୁ ବାଡେଇ ଥିଲେ ବୋଲି ଅଭିଯୋଗ ହୋଇଥିଲା। ମାଡରେ ବୃଦ୍ଧଙ୍କ ଜଙ୍ଘ ଓ ଗୋଡରେ ଆଘାତ ଲାଗିଥିଲା। ଏଥି ସହିତ ବୃଦ୍ଧଙ୍କ ଓଜନ ଯନ୍ତ୍ର ମଧ୍ୟ ଛଡାଇ ନେବାକୁ ସେ ଉଦ୍ୟମ କରିଥିଲେ। ଜୀବନକୁ ବାଜି ଲଗାଇ ପରିବାର ଚଳାଇବା ଲାଗି ବୃଦ୍ଧ ତରଭୁଜ ବିକ୍ରି କରୁଥିବା ବେଳେ ଅତିରିକ୍ତ ତହସିଲଦାରଙ୍କ ଏପରି ବ୍ୟବହାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କୌଣସି ଆଇନ ବାଡ଼ିରେ ବାଡେଇବା ପାଇଁ ତହସିଲଦାରଙ୍କୁ ଅନୁମତି ଦେଇ ନାହିଁ। ଏହା ସତ୍ବେ ଘଟଣା ଦିନ ସବୁ ସୀମା ଟପି ଅତିରିକ୍ତ ତହସିଲଦାର ଜଣେ ବରିଷ୍ଠ ନାଗରିକଙ୍କୁ ମାଡ଼ ମାରିଥିଲେ। ବୃଦ୍ଧଙ୍କ ମାନବାଧିକାର ଉଲ୍ଲଙ୍ଘନ ହୋଇଛି। ଏଥିପାଇଁ ‌ସମ୍ପୃକ୍ତ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ପୀଡିତ ବୃଦ୍ଧଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଯାଇଛି।

Comments are closed.