ଓଡ଼ିଶା କ୍ରିକେଟ ଦଳର ନୂତନ ଜର୍ସି ଉନ୍ମୋଚିତ

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ) ପକ୍ଷରୁ ଚଳିତ ୨୦୨୧-୨୨ ଘରୋଇ କ୍ରିକେଟ ସିଜିନ ଲାଗି ଓଡ଼ିଶା କ୍ରିକେଟ ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଯାଇଛି। ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ ଦଳର ପ୍ରାୟୋଜକ ହୋଇଛି। ଗତବର୍ଷ ଓସିଏ ଆୟୋଜନ କରିଥିବା ଓପିଏଲ୍‌ରେ ମଧ ଏମ୍‌ଜିଏମ୍‌ ଟୁର୍ଣ୍ଣାମେଣ୍ଟର ପ୍ରାୟୋଜକ ରହିଥିଲା। ବୁଧବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଥିଲା। ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ୱାସିମ ଜାଫର ଉକ୍ତ ନୂତନ ଜର୍ସିକୁ ଉନ୍ମୋଚିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ଚନ୍ଦ୍ର ପ୍ରଧାନ, ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ ବେହେରା, ଓଡ଼ିଶା ବରିଷ୍ଠ କ୍ରିକେଟ ଦଳର ଅଧିନାୟକ ରାଜେଶ ଧୁପର ଓ ବରିଷ୍ଠ ମହିଳା କ୍ରିକେଟ ଦଳର ଅଧିନାୟିକା ମଧୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ନୂତନ ଜର୍ସି ଉନ୍ମୋଚନ ଅବସରରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଥିଲେ, ଓଡ଼ିଶା କ୍ରିକେଟ ସହ କର୍ପୋରେଟ ସଂସ୍ଥାକୁ ଯୋଡ଼ିବା ନେଇ ଓସିଏ ପ୍ରୟାସ ଆରମ୍ଭ କରିଛି। ପ୍ରଥମଥର ଲାଗି ଏକ କର୍ପୋରେଟ୍‌ ସଂସ୍ଥା ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ ଦଳ ସହିତ ଯୋଡ଼ିହୋଇଛି। ଏହା ଓଡ଼ିଶା କ୍ରିକେଟ ପାଇଁ ଭଲ ଖବର। ଓସିଏ ଆଗକୁ କର୍ପୋରେଟ କ୍ରିକେଟ ଲିଗ୍‌ର ଆୟୋଜନ କରିବା ନେଇ ଲକ୍ଷ୍ୟ ରଖିଛି। ଏହା ଦ୍ବାରା କ୍ରିକେଟ ସହିତ କର୍ପୋରେଟ ସଂସ୍ଥାମାନେ ଯୋଡ଼ିହେବେ। ତୃଣମୂଳସ୍ତରରୁ କ୍ରିକେଟ୍‌ର ବିକାଶ ପାଇଁ ରାଜ୍ୟରେ ୩୫ଟି କ୍ରିକେଟ ଏକାଡେମୀ ପ୍ରତିଷ୍ଠା କରାଯିବ; ଯେଉଁଠାରେ ଆବାସିକ ଓ ଅଣଆବାସିକ ଭିତ୍ତିରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଓଡ଼ିଶା କ୍ରିକେଟର କିଭଳି ଆଇପିଏଲ ଓ ଜାତୀୟ ଦଳରେ ସ୍ଥାନପାଇବେ; ସେ ନେଇ ଓସିଏ ନିରନ୍ତର ଭାବେ କାର୍ଯ୍ୟକରୁଛି। ଆଗାମୀ ୩ /୪ ବର୍ଷ ମଧ୍ୟ​‌େ‌ର ନିଶ୍ଚିତ ଏହାର ଫଳ ମିଳିବ ବୋଲି ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।

Comments are closed.