ବାସ୍ତୁ ଅନୁଯାୟୀ ସଜାନ୍ତୁ କାର୍ଯ୍ୟାଳୟ: ହେବ ସମୃଦ୍ଧି

ଉଭୟ ଘରେ ଓ କାର୍ଯ୍ୟାଳୟରେ ବାସ୍ତୁ ଅନୁସାରେ ଜିନିଷ ପତ୍ର ରହିଲେ ଅନେକ ସମସ୍ୟା ଦୂର ହେବା ସହ ଧନ ଓ ମାନ ବୃଦ୍ଧି ହୋଇଥାଏ।  ଆମେ ଘରେ ତ ବାସ୍ତୁ ନିୟମ ଅନୁସାରେ ପ୍ରାୟ କାମ କରି ଥାଆନ୍ତି, ହେଲେ କାର୍ଯ୍ୟାଳୟରେ ଏ ଦିଗ ପ୍ରତି ଆମେ ଏତେଟା ଧ୍ୟାନ ଦେଇ ନ ଥାଉ। ଏହି କାରଣରୁ ଆମର ଅନେକ କ୍ଷତି ହେବା ସହ ଉନ୍ନତି ପରିବର୍ତ୍ତେ ଅବନତି ହୋଇଥାଏ। ତେଣୁ ବାସ୍ତୁ ନିୟମ ଅନୁଯାୟୀ ଅଫିସ୍‌ ଡେସ୍କକୁ କେମିତି ସଜାଇବେ ଆସନ୍ତୁ ଜାଣିବା-

-ପୂର୍ବ କିମ୍ବା ଉତ୍ତର କୋଣରେ ମନିପ୍ଲାଣ୍ଟ କିମ୍ବା ବାମ୍ବୋ ପ୍ଲାଣ୍ଟ ରଖିଲେ ସୁନ୍ଦର ଦେଖାଯିବା ସହ ସମୃଦ୍ଧି ବଢ଼ିଥାଏ। ଏହା ବ୍ୟତୀତ ଡେସ୍କ ଉପରେ କେବେହେଲେ ଶୁଖି ଯାଇଥିବା କିମ୍ବା କଣ୍ଟା ଥିବା ପ୍ଲାଣ୍ଟ ରଖିବା ଠିକ୍‌ ନୁହେଁ। ଏହା ନିରାଶର ସୂଚନା ଦେଇଥାଏ।

-ଉତ୍ତର ପଟେ ସବୁଜ ବନାନୀ କିମ୍ବା ପବନରେ ଦୋହଲୁଥିବା ଫସଲର ଫଟୋ ରଖିଲେ ଅନେକ ଲାଭ ମିଳିଥାଏ। ସେହିପରି ଗଛଲତା, ଦୌଡୁଥିବା ଘୋଡ଼ା, ସ୍ବସ୍ତିକ ଚିହ୍ନ କିମ୍ବା ସୂର୍ୟ୍ୟୋଦୟର ଚିତ୍ର ଥିବା ଯେ କୌଣସି ଫଟୋ ଡେସ୍କର ଏହି କୋଣରେ ଲଗାଇପାରିବେ। କିନ୍ତୁ ଛୋଟ ପିଲାର କାନ୍ଦିବା ଫଟୋ, କଟା ହୋଇଥିବା ଗଛ କିମ୍ବା ଭାଙ୍ଗିଯାଇଥିବା କୌଣସି ମୂର୍ତ୍ତିର ଫଟୋ ଡେସ୍କରେ ରଖିବା ଉଚିତ ନୁହେଁ। ଏହା କାର୍ଯ୍ୟାଳୟରେ ନକରାତ୍ମକ ପ୍ରଭାବ ପକାଇଥାଏ।

-ଆପଣ ଚାହିଁଲେ ସତେଜ ଫୁଲତୋଡ଼ାକୁ ଡେସ୍କ ଉପରେ ରଖି ମଧ୍ୟ ଆନନ୍ଦ ଅନୁଭବ କରିପାରିବେ।

-ଠାକୁରଙ୍କ ଫଟୋ ରଖିବା ପାଇଁ ଚାହୁଁଥିଲେ, ଏହାକୁ ଡେସ୍କର ଉତ୍ତର ଓ ପୂର୍ବ ଦିଗରେ ରଖିପାରିବେ। କିନ୍ତୁ ଧ୍ୟାନ ଦେବେ ଠାକୁରଙ୍କ ଫଟୋ ଉପରେ ଯେମିତି ଧୂଳି ନ ଜମିବ।

-କାର୍ଯ୍ୟାଳୟରେ ଜିନିଷପତ୍ରକୁ ସବୁବେଳେ ସଜାଡ଼ି ରଖିବା ଦରକାର। ଖାସ୍‌କରି ଫାଇଲ୍‌ ଓ କାଗଜପତ୍ରଗୁଡ଼ିକୁ ଡେସ୍କ ଉପରେ ଗଦା କରି ରଖିବା ଉଚିତ ନୁହେଁ। ଏହାଦ୍ୱାରା ସୃଜନଶୀଳତା ଉପରେ କୁ-ପ୍ରଭାବ ପଡ଼ିଥାଏ।

-ଡେସ୍କ ଉପରେ ଆମେ କାମ କରୁଛେ, ତାହା ବହୁତ ପବିତ୍ର ହୋଇଥାଏ। କାରଣ ଏହିଠାରେ କାମ କରି ହିଁ ଆମେ ଆମର ଜୀବିକା ପାଇଁ ଅର୍ଥ ଉପାର୍ଜନ କରୁଛେ। ସେଥିପାଇଁ ଏହି ଡେସ୍କ ଉପରେ କେବେହେଲେ ଚା/କଫି ପିଇବା, ଭୋଜନ କରିବା କିମ୍ବା ଆମିଷ ଖାଇବା ଉଚିତ ନୁହେଁ। କାରଣ ଏହା କାର୍ଯ୍ୟସ୍ଥଳରେ କ୍ଲେଶ, ମାନସିକ ଅଶାନ୍ତି ତଥା କ୍ୟାରିୟରରେ ବାଧା ସୃଷ୍ଟି କରିଥାଏ।

-ଡେସ୍କର ଉତ୍ତର-ପୂର୍ବ ଦିଗରେ ଗୋଟିଏ କ୍ରିଷ୍ଟାଲ୍‌ ଗ୍ଲୋବ ରଖିପାରିବେ। ଏହାଦ୍ବାରା ମାନସମ୍ମାନ ବୃଦ୍ଧି ହେବା ସହ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ। ଏହାକୁ କାମ କରିବା ସମୟରେ ଦୁଇ-ତିନିଥର ବୁଲାଇଲେ କାମ କରିବା ପାଇଁ ସକରାତ୍ମକ ଶକ୍ତି ମିଳିଥାଏ।

-ସେହିପରି ଡେସ୍କ ଉପରେ ଗୋଟିଏ ଛୋଟ ଖଣ୍ଡ ଫିଟିକିରି କିମ୍ବା ପେନ୍‌ଷ୍ଟାଣ୍ଡ ଭିତରେ କର୍ପୂର ରଖିଲେ ମଧ୍ୟ ଅନେକ ଲାଭ ମିଳିଥାଏ।

Comments are closed.