ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ, ଜାନୁଆରୀ ୧୭ରେ ପରବର୍ତ୍ତୀ ଶୁଣାଣି

କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖା ଦେଇଥିବା ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୧୭ରେ ହେବ। ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ମାମଲାର ଶୁଣାଣି ସମୟରେ ପୁରସ୍କାର ପାଇଁ ଚୟନ କ୍ଷେତ୍ରରେ ପୁନଃମୂଲ୍ୟାୟନ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସରକାରଙ୍କ ତରଫରୁ ବିବରଣୀ ଉପସ୍ଥାପନ କରାଯାଇଥିଲା। ଏ ନେଇ ଆବେଦନକାରୀଙ୍କୁ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଜାନୁଆରି ୧୭କୁ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ଗତ ଡିସେମ୍ବର ୧୩ରେ ହାଇକୋର୍ଟ ଏ ସଂପର୍କିତ ବବି ଇସଲାମଙ୍କ ଆବେଦନର ଶୁଣାଣି କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ରାଜ୍ୟ ପୁରସ୍କାର ପାଇଁ ସିନେମା ଚୟନର ଲାଗି ପୁନଃ ମୂଲ୍ୟାୟନ ପାଇଁ ହାଇକୋର୍ଟ କହିଥିଲେ। ମାମଲାର ଶୁଣାଣି ସରିବା ପରେ ପୁରସ୍କାର ବିତରଣ କରାଯାଇ ପାରିବ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ।  ଏଭଳି ସ୍ଥିତିରେ ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ପୁରସ୍କାର ବିତରଣୀ ଉତ୍ସବ ଘୁଞ୍ଚାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଛବିରାଣୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ତରଫରୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଏହି ମାମଲା ଦାୟର ହୋଇଥିଲା। ବିଦେଶୀ ଓ ରାଜ୍ୟ ବାହାରର ସିନେମାକୁ ପୁରସ୍କାର ଦିଆଯାଇଥିଲେ ସୁଦ୍ଧା ୮୦ ଦଶକର ଚର୍ଚିତ ଘଟଣା ଉପରେ ନିର୍ମିତ ହୋଇଥିବା ଓଡିଆ ଫିଲ୍ମ ଛବିରାଣୀକୁ ୨୭ଟି ସମ୍ମାନରୁ ଗୋଟିଏରେ ବଛା ଯାଇନାହିଁ। ତୁରନ୍ତ ବିଚାରକମଣ୍ଡଳୀ ଏହାର ପୁନଃ ବିଚାର କରିବାକୁ ଆବେଦନରେ ଦର୍ଶାଇଥିଲେ ଆବେଦନକାରୀ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶିବନାରାୟଣ ବିଶ୍ବାଳ ମାମଲା ପରିଚାଳନା କରୁଥିଲେ।

Comments are closed.