ପହଞ୍ଚିଲା ଓଡ଼ିଶା ଅଗ୍ନିଶମ ଦଳ

0

ଭୁବନେଶ୍ୱର : କେରଳର ପ୍ରଳୟଙ୍କରୀ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ଓଡ଼ିଶା ସରକାର ସହାୟତାର ହାତ ବଢ଼ାଇଛନ୍ତି। କେରଳ ଲାଗି ବିଭିନ୍ନ ପ୍ରାଦେଶିକ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶା ସରକାର କେରଳକୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ସୂଚନା ଦେଇଛନ୍ତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି। ରାଜ୍ୟ ସଚିବାଳୟଠାରେ ଏନେଇ ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଅଦ୍ୟାବଧି କେରଳ ବନ୍ୟାରେ ୩୨୪ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ
୨.୫ ଲକ୍ଷ ଲୋକ ବାସଚ୍ୟୁତ ହୋଇପଡିଛନ୍ତି।
ଅନ୍ୟପକ୍ଷରେ କେରଳର ବନ୍ୟାବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଇଁ ସଜାଗ ରହିଥିବା ଅଗ୍ନିଶମ ବିଭାଗର ୨୪୦ ଜଣିଆ ଦଳ ଏବେ କେରଳରେ ପହଞ୍ଚିଛି। ବାୟୁସେନାର ଦୁଇଟି ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିଥିବା ୨୪୦ ଜଣିଆ ଦଳ ମଧ୍ୟରେ ୨୨୫ ଜଣ ଫାୟାର ମେନ୍‍, ଲିଡିଂ ଫାୟାର ମେନ୍‍ ଓ ବୋଟ ଚାଳକ ଅଛନ୍ତି। ୧୫ ଜଣ ବରିଷ୍ଠ ତଦାରଖକାରୀ ଅଧିକାରୀ ରହିଛନ୍ତି। ଏହି ଟିମ୍‍ ୭୬ଟି ପାୱାର ବୋଟ୍‍, ୮ଟି ପାଣିରେ ବୁଡି ଖୋଜିବା ପୋଷାକ, ୧୦ଟି ଟାୱାରଲାଇଟ୍‍, ୩୫ଟି ମୋଟରଚାଳିତ କରତ, ୧୪ଟି ଟର୍ଚ୍ଚ, ୨୩୪ଟି ଲାଇଫ୍‍ ଜ୍ୟାକେଟ୍‍, ୧୩୭ଟି ଲାଇଫ୍‍ ବୟ(ସର୍କଲ), ୩୦ଟି ସ୍ଲିପିଂ ମ୍ୟାଟ୍‍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଧରି ଯାଇଥିବା ଜଣାପଡିଛି। ଏହି ଉଦ୍ଧାରକାରୀ ଦଳ କେରଳର ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ରହିବେ ବୋଲି ଅଗ୍ନିଶମ ବିଭାଗର ମହାନିର୍ଦେଶକ ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।
କେରଳ ଯାଇଥିବା ଓଡ଼ିଶା ଅଗ୍ନିଶମ ବିଭାଗ ଉଦ୍ଧାରକାରୀ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ସେଠାକାର ବନ୍ୟା ପରିସ୍ଥିତି ଉପରେ ଗଭୀର ଉଦ୍‍ବେଗ ପ୍ରକାଶ କରିଛନ୍ତି। ସ୍ଥାନୀୟ ବରମୁଣ୍ଡାସ୍ଥିତ ରାଜ୍ୟ ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ପରିସରରେ କେରଳ ଯିବାକୁ ପ୍ରସ୍ତୁତ ବୃହତ ଟିମ୍‍ର ସଦସ୍ୟଙ୍କୁ ଶ୍ରୀ ଶର୍ମା ଆବଶ୍ୟକ ପରାମର୍ଶ ଦେବା ସହିତ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ବିଜୁପଟ୍ଟନାୟକ ବିମାନବନ୍ଦରରୁ ଏହି ଟିମ୍‍ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଉଡ଼ାଣ ଆରମ୍ଭ କରିଥିଲା।

Leave A Reply