ଲଣ୍ଡନରେ ଦେଶୀ ଧାନ, ଯୁବଚାଷୀ ଅଶୋକ ପଧାନଙ୍କ ନିଆରା ପ୍ରଚେଷ୍ଟା

ବରଗଡ଼: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ସାରସମାଲ ଗ୍ରାମର ଅଶୋକ ପଧାନ। ବିନା କୀଟନାଶକ କିମ୍ବା ରାସାୟନିକ ସାର ବ୍ୟବହାର କରି ଆଜି ପ୍ରାୟ ୨୦ପ୍ରକାରର ଦେଶୀ ଧାନ ଚାଷକରି ଏବଂ ସେହି ଧାନରୁ ଚାଉଳ ସହିତ ବିହନ ପ୍ରସ୍ତୁତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଦେଶୀ ଧାନ ବିହନ ସୁଦୂର ଆନ୍ଧ୍ରପ୍ରଦେଶ, ହରିୟାନା, ପଶ୍ଚିମବଙ୍ଗ ଏପରିକି ଲଣ୍ଡନ ମଧ୍ୟ ଯାଇସାରିଲାଣି। ସେ ଜଣେ ଉଚ୍ଚଶିକ୍ଷିତ ଯୁବକ, ବାପା ଭ୍ରମରବର ପଧାନଙ୍କ ୧୯୮୮ ମସିହା ଯେତେବେଳେ ଦେହାନ୍ତ ହୋଇଗଲା ସେହି ସମୟରେ ସେ ମାତ୍ର ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ। ଅନେକ ବାଧାବିଘ୍ନ ସହ ସ୍ନାତକ ପର୍ୟ୍ୟନ୍ତ ପାଠ ପଢ଼ିିବା ପରେ ସରକାରୀ ଚାକିରି ପଛରେ ନ ଯାଇ ଚାଷକାମରେ ମନୋନିବେଶ କରିଥିଲେ। ପ୍ରଥମେ ଭୁଲୁ, ସଁପୁରୀ, ଝୁଲି ପ୍ରଭୃତି ଦେଶୀଧାନ କରିଥିଲେ।
ତାଙ୍କ କହିବା ଅନୁସାରେ ୧୯୯୫ ଯାଏ ପ୍ରାୟ ପାଣିପାଗ ଏକ ପ୍ରକାର ଠିକ ରହିବା ସହ ଠିକ ସମୟରେ ବର୍ଷା ହେଉଥିଲ। ଫଳରେ ଚାଷବାସ ଠିକ ହୋଇ ପାରୁଥିଲା। ମାତ୍ର ପରବର୍ତ୍ତୀ ସମୟରେ ପାଣିପାଗରେ ପରିବର୍ତ୍ତନ ହେବା ଯୋଗୁଁ ସେ ମଧ୍ୟ ରାସାୟନିକ ପଦ୍ଧତିରେ ହାଇବ୍ରିଡ୍ ଧାନ ଚାଷ କରିଥିଲେ। ମାତ୍ର ଅତ୍ୟଧିକ ଖର୍ଚ୍ଚ ତାଙ୍କ ପରି ଆର୍ଥିକ ସମସ୍ୟା ଭିତରକୁ ଟାଣିନେଲା ଯେ ନିଜ ପାଖରେ ଥିବା ଘରର ସବୁ ସୁନାଗହଣା ବନ୍ଧକ ଓ ବିକ୍ରିକରି ମଧ୍ୟ କ୍ଷତି ଭରଣା କରି ପାରିଲେ ନାହିଁ। ଏହିପରି ଏକ ଘଡ଼ିସନ୍ଧି ମସୟରେ ଦେଖାହୁଏ ଯୁବଚାଷୀ ନେତା ତଥା ଦେଶୀ ବିହନ ସହରକ୍ଷଣ ସମିତିର ଆବାହକ ସରୋଜ ମହାନ୍ତିଙ୍କ ସହ ଏବଂ ପୁଣିଥରେ ଦେଶୀ ଧାନ ଚାଷ କରିବାକୁ ମନୋନିବେଶ କରନ୍ତି। ସରୋଜଙ୍କ ସହ ଏହି କାମରେ ତ୍ରିରଙ୍ଗା ଯୁବକ ସଂଘର କର୍ମକର୍ତ୍ତାମାନେ ତାଙ୍କୁ ବହୁତ ସାହାଯ୍ୟ କରିଲେ। ଯାହାଫଳରେ ସେ କଦଳିକେଣ୍ଡା, ମଲିଫୁଲ, ଝୁଲି, ଦଶମତୀ, ଲଜନୀ ସୁପର (ଲାଲ ରଙ୍ଗ ଧାନ), ଶୋରିଷଫୁଳ, ଧାନ ମଲିଫୁଲ(କଳା ରଙ୍ଗ ଧାନ), କଳାକୃଷ୍ଣ, ସୁନା ହରିଣ, ବାସପତ୍ରୀ, ଦୁବରାଜ, ସୁନାକାଠି, ଆପନ ଚୁଡ଼ି, ଆକୂଳ, ଗେଲେହିକଁଠି ପ୍ରଭୃତି ଓଡ଼ିଶାର ଦେଶୀ ଧାନ ସହ କେରଲ ରାଜ୍ୟର ବ୍ରାଉନ ରାଇଓ ନାଉରା, ମହିସୁର ରାଜ୍ୟର ରାଜାମୁଡ଼ି(ଲାଲ ଚାଉଳ), ଚତିଶଗଡ଼ ରାଜ୍ୟର ହରିତ ମୋତି(ସବୁଜ ଧାନ), ତିଳ କସ୍ତୁରୀ, ମଣିପୁର ରାଜ୍ୟର ସେନଟେନ୍ ପ୍ରଭୃତି ଧାନ ସଂଗ୍ରହ କରି ନିଜ ଖେତରେ ଚାଷ କରିଛନ୍ତି।
ସେ ଧାନରୁ ଚାଉଳ ପ୍ରସ୍ତୁତ କରି ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପ୍ରଦର୍ଶନୀରେ ବିକ୍ରି କରୁଛନ୍ତି। ଏବଂ ବିହନ ପ୍ରସ୍ତୁତ କରି ଇଚ୍ଛୁକ ଚାଷୀମାନଙ୍କୁ ମଧ୍ୟ ଯୋଗାଇ ଆସୁଛନ୍ତି। ସବୁଠାରୁ ଗୁରୁତ୍ୱ୍ୱପୂର୍ଣ୍ଣ କଥାହେଲା ବିମଳ ଫାର୍ମର୍ସ ପ୍ରଡ୍ୟୁସର ଗୃପ ନାମରେ ନାବାର୍ଡ଼ ଜରିଆରେ ଏକ ସଂସ୍ଥା ପଞ୍ଜିକରଣ କରାଇଛନ୍ତି ଏବଂ ଦେଶୀଧାନର ପ୍ରଚା ତଥା ସୁରକ୍ଷା ଓ ବୃଦ୍ଧି ପାଇଁ କାମ କରୁଛନ୍ତି। ଗତବର୍ଷ ଲଣ୍ଡନର ଜଣେ ଚାଷୀଙ୍କୁ ୭ପ୍ରକାର ଦେଶି ଧାନ ବିହନ ପଠାଇଛନ୍ତି। ତାଙ୍କର ଏହିପରି ଉଦ୍ୟମ ଯୋଗୁଁ ଅଶୋକ ଅନେକ ଅନୁଷ୍ଠାନମାନଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଛନ୍ତି।